ମହୁଲପୁଞ୍ଜି ଗ୍ରାମରୁ କୁକୁଡା ଫାର୍ମ ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କୁ ଘେରିଲେ ଗ୍ରାମବାସୀ : ୭ ଦିନ ଭିତରେ ଉଚ୍ଛେଦ କାର୍ଯ୍ୟ କରାନଗଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ !

ଢେଙ୍କାନାଳ : ସଦର ବ୍ଲକ ଭାପୁର ଗ୍ରାମ ପଞ୍ଚାୟତର ମହୁଲପୁଞ୍ଜି ଗ୍ରାମରୁ କୁକୁଡା ଫାର୍ମ ଉଚ୍ଛେଦ ପାଇଁ ଗ୍ରାମବାସୀମାନେ ଦୀର୍ଘ ଦିନ ହେବ ଦାବି କରିଆସୁଥିଲେ ।

ଏହାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଣଦେଖା କରାଯିବା ସହ କୁକୁଡା ଫାର୍ମ ମାଲିକକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନକୁ ନେଇ ଆଜି ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହ ଚେତାବନୀ ଦେଇଛନ୍ତି ।ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ମହୁଲପୁଞ୍ଜି ଗ୍ରାମରେ ସୃଷ୍ଟି ଆଗ୍ରୋ ଫାର୍ମ ପକ୍ଷରୁ ଏକ କୁକୁଡା ଫାର୍ମ କରାଯାଇଥିଲା । ଏହାକୁ ନେଇ ଗ୍ରାମବାସୀମାନେ ବିଭିନ୍ନ ସମୟରେ ଉଚ୍ଛେଦ କରିବାକୁ ଦାବି କରିଆସୁଥିବା ବେଳେ ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିଥିଲେ ।

ଏପରିକି ଭୋଟ ବର୍ଜନ ପାଇଁ ନିଷ୍ପତି ନେବା ସହ ଭୋଟ ବର୍ଜନ କରିଥିଲେ । ଜିଲ୍ଲାପାଳ ସରୋଜ କୁମାର ସେଠୀ , ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ, ସଦର ବିଡିଓ ସୁଧୀର କୁମାର ନାୟକ ପ୍ରମୁଖ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କୁ ଭୋଟଦାନରୁ ବିରତ ନ ରହିବା ପାଇଁ ନିବେଦନ କରିବା ସହ ତିନି ମାସ ମଧ୍ୟରେ ଗ୍ରାମରୁ କୁକୁଡା ଫାର୍ମ ହଟାଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ଏପରିକି କୁକୁଡା ଫାର୍ମର ଡାଇରେକ୍ଟର ନିରାକାର ପୁହାଣ ଓ ଶ୍ରୀମତୀ ମମତା ପୁହାଣ ମଧ୍ୟ ଲିଖିତ ଭାବେ ପ୍ରତିଶୃତି ନାମା ଗ୍ରାମବାସୀଙ୍କୁ ଦେଇଥିଲେ ।

ତିନି ମାସ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନ ନିଆଯିବା ଓ କୁକୁଡା ଫାର୍ମ ମାଲିକ ଗତ ୯ ତାରିଖ ଦିନ ଗ୍ରାମ ବୈଠକରେ ଆସି ଜିଲ୍ଲାପାଳଙ୍କ ସମ୍ମାନ ରଖିବା ପାଇଁ ସେ କୁକୁଡା ଫାର୍ମ ଉଠାଇ ନେବାକୁ ପ୍ରତିଶୃତି ଦେଇଥିଲେ ବୋଲି ଗ୍ରାମବାସୀଙ୍କୁ କହିଥିଲେ । ଜିଲ୍ଲା ପ୍ରଶାସନ ଉପସ୍ଥିତିରେ ଏଭଳି ମିଥ୍ୟା ପ୍ରତିଶୃତି ଦିଆଯିବା ନେଇ ଗ୍ରାମବାସୀମାନେ କ୍ଷୁବ୍ଧ ହୋଇପଡିଥିଲେ । ବର୍ଷା ଦିନରେ କୁକୁଡା ଫାର୍ମ ଯୋଗୁ ସଂକ୍ରମଣର ସମସ୍ୟା ଦେଖା ଦେଇଥିବା ବେଳେ ଡଣଡଣିଆଁ ମାଛି ଉତ୍ପତି ହେଲେଣି ।

ଏହାର ପ୍ରଭାବରେ ଗ୍ରାମବାସୀମାନେ ସଂକ୍ରମିତ ହେବାର ଆଶଙ୍କା ରହିଥିବାରୁ ଆଜି ମହୁଲପୁଞ୍ଜି ଗ୍ରାମର ସଭାପତି ବୈରାଗୀ କାଞ୍ଜିଆ, ସମ୍ପାଦକ ଶ୍ରୀକାନ୍ତ କୁମାର ମହାରଣା, ବିଷ୍ଣୁପ୍ରସାଦ ଲେଙ୍କାଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଘେରାଉ କରିବା ସହ ୭ ଦିନ ମଧ୍ୟରେ କୁକୁଡା ଫାର୍ମ ଉଚ୍ଛେଦ କରିବାକୁ ଦାବିପତ୍ର ପ୍ରଦାନ କରିବା ସହ ତାହା କାର୍ଯ୍ୟକାରି କରାନଗଲେ ଗ୍ରାମବାସୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

16 + 2 =