ହିନ୍ଦୋଳରେ ମୃତ ଡ୍ରାଇଭରଙ୍କ ସ୍ତ୍ରୀ ଆଣିଲେ ହତ୍ୟା ଅଭିଯୋଗ !

ଢେଙ୍କାନାଳ : ହିନ୍ଦୋଳ ଏନ.ଏ.ସି. ପାଟଣା ଠାରେ ଶନିବାର ସନ୍ଧ୍ୟାରେ ଘଟିଥିବା କାର ଦୁର୍ଘଟଣାକୁ ନେଇ ରବିବାର ହିନ୍ଦୋଳରେ ବେଶ୍ ତୁମ୍ବିତୋଫାନ ଦେଖିବାକୁ ମିଳିଥିଲା । ବନମାଳିପୁର ଗ୍ରାମର କାର୍ ଚାଳକ ଦେବୀପ୍ରସାଦ ମୁଦୁଲିଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ।

ଯାହାକୁ ନେଇ ଦେବୀପ୍ରସାଦଙ୍କ ସ୍ତ୍ରୀ ସୁଭଦ୍ରା ମୁଦୁଲି ଥାନାରେ ଏତଲା କରିଛନ୍ତି । ବନମାଳିପୁର ଗ୍ରାମର ଦେବୀପ୍ରସାଦ ମୁଦୁଲି ନିଜେ କାର ଚଳାଇ ନିଜ ଘରୁ ଡାକ୍ତରଖାନା ଛକ ଆଡେ ଯାଉଥିବା ବେଳେ ହଠାତ୍ କାରଟି ଭାରସାମ୍ୟ ହରାଇ ପାଟଣା ଗ୍ରାମର ଗୋଲାପ ମହମ୍ମଦଙ୍କ ଘରକୁ ଧକ୍କା ଦେଇଥିଲା । ଯାହା ଫଳରେ ଗୋଲାପଙ୍କ ଘରର ସମ୍ମୁଖଭାଗ ଭାଙ୍ଗିରୁଜି ଯାଇଥିଲା ।
ଦୁର୍ଘଟଣା ପରେ ଲୋକମାନେ ଘଟଣା ସ୍ଥଳରେ ରୁଣ୍ଡ ହୋଇଥିଲେ ଏବଂ ଦେବୀପ୍ରସାଦଙ୍କୁ କାର ଭିତରୁ ଟାଣି ଆଣିଥିଲେ । ଗୋଲାପ ମହମ୍ମଦଙ୍କ ପଡୋଶୀ ସନ୍ତୋଷ ମହାପାତ୍ର ଏବଂ ଅନ୍ୟ କିଛି ବ୍ୟକ୍ତି କାର ଚାଳକ ଦେବୀପ୍ରସାଦଙ୍କୁ ନିସ୍ତୁକ ମାଡ ମାରିଥିଲେ ବୋଲି ତାଙ୍କ ସ୍ତ୍ରୀ ସୁଭଦ୍ରା ଏତଲାରେ ଦର୍ଶାଇଛନ୍ତି । କାର ଦୁର୍ଘଟଣାରେ ନୁହେଁ ବରଂ ନିସ୍ତୁକ ମାଡରେ ସ୍ୱାମୀଙ୍କର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରିବା ସହ ଘଟଣା ସମୟର ସିସିଟିଭି ଫୁଟେଜ୍ ଯାଞ୍ଚ କରିବାକୁ ମଧ୍ୟ ସେ ଦାବି କରିଛନ୍ତି ।

ଅଭିଯୁକ୍ତଙ୍କୁ ଗିରଫ ଦାବୀରେ ଗ୍ରାମବାସୀଙ୍କ ସହ ସ୍ଥାନୀୟ ଡ୍ରାଇଭର ସଂଘ ଟାୟାର ଜାଳି ଏବଂ ମୃତ ଦେହ ରଖି ହିନ୍ଦୋଳ-ନରସିଂହପୁର , ହିନ୍ଦୋଳ- ଅନୁଗୁଳ ଓ ହିନ୍ଦୋଳ-ଗୁଡିଆକାଟେଣୀ ପ୍ରମୁଖ ରାସ୍ତାକୁ ଅବରୋଧ କରିଥିଲେ । ହିନ୍ଦୋଳ ଅତିରିକ୍ତ ଉପଜିଲ୍ଲାପାଳ ଗଜାନନ ପ୍ରଧାନ,ଏସଡିପିଓ ଅଞ୍ଜନା ଟୁଡୁ, ତହିଲଦାର ସୁଶାନ୍ତ କୁମାର ମିଶ୍ର ଓ ଥାନା ଅଧିକାରିଣୀ ଚାରୁଲତା ବେହେରା ପ୍ରମୁଖ ଘଟଣା ସ୍ଥଳରେ ଉପସ୍ଥିତ ରହି ବୁଝାସୁଝା କରିଥିଲେ ।

ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବା ସହ ଅଭିଯୁକ୍ତ ମାନଙ୍କୁ ୭ ଦିନ ମଧ୍ୟରେ ଗିରଫ କରିବାକୁ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଦେଖିବାକୁ ବାକି ରହିଲା କେବେ ଅଭିଯୁକ୍ତମାନେ ଗିରଫ ହେଉଛନ୍ତି ।

Leave A Reply

Your email address will not be published.

19 − five =