ଢ଼େଙ୍କାନାଳ : ଶ୍ରୀଶ୍ରୀ ଜଗନ୍ନାଥ ନାମ ସଂକୀର୍ତ୍ତନ ପରିଷଦ ଓଡିଶା ଶାଖା ଢେଙ୍କାନାଳ ଜିଲ୍ଲା ତରଫରୁ ଏକ ବିଶାଳ ସମାବେଶ ରାଜ୍ୟ ସଭାପତି ବିପ୍ରବର ସାହୁଙ୍କ ନେତୃତ୍ୱରେ ଜିଲ୍ଲାର ୮ଟି ବ୍ଲକ୍, ୩ଟି ଏନ୍.ଏ.ସି. ଓ ଢେଙ୍କାନାଳ ମ୍ୟୁନିସିପାଲିଟିର ପ୍ରାୟ ୧୦ ହଜାର କୀର୍ତ୍ତନ ମଣ୍ଡଳୀ ଭାଇଭଉଣୀମାନେ ଯୋଗ ଦେଇଥିଲେ ।
ପୁରୁଣା ଜିଲ୍ଲାପରିଷଦ ହଲ୍ରେ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ଜିଲ୍ଲାର ସଭାପତି ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲାପାଳ ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦ୍ୱୀପ ପ୍ରଜ୍ୱଳନ କରି ସମାବେଶକୁ ଉଦ୍ଘାଟନ କରିବା ସହିତ ଜଗନ୍ନାଥ ମହାପ୍ରଭୁଙ୍କ ବିଗ୍ରହରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । କହିଥିଲେ ଯେ, ଏହି ବିଶାଳ ସମାବେଶ ଆଜି ସମଗ୍ର ଢେଙ୍କାନାଳ ଜିଲ୍ଲାରେ ଚହଳ ସୃଷ୍ଟି କରିଛି ।
ବିଶେଷତଃ ମା’ମାନେ ହଜାର ହଜାର ସଂଖ୍ୟାରେ ଆଧ୍ୟାତ୍ମିକ ପୋଷାକ ପରିଧାନ କରି ନାମସଂକୀର୍ତନ ପରିବେଷଣ କରି ଦୀର୍ଘ ୭ କି.ମି.ପାଦରେ ଚାଲିଚାଲି ଆସିବା ଏକ ଗୌରବର ବିଷୟ ଅଟେ କହି ପ୍ରଶଂସା କରିଥିଲେ । ସରକାରଙ୍କର କଳାକାରମାନଙ୍କୁ ସାହାଯ୍ୟ ସଂପର୍କରେ ବିକାଶର ବାର୍ତା ଦେଇଥିଲେ । ତୁରନ୍ତ ଢେଙ୍କାନାଳ ସହରରେ ନାମ ସଂକୀର୍ତ୍ତନ ପାଇଁ ଜାଗା ଓ ଘରର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଥିଲେ । ସଂକୀର୍ତ୍ତନ ମଣ୍ଡଳୀର କଳାକାରମାନଙ୍କୁ ଯଥୋଚିତ ସାହାଯ୍ୟ ସହଯୋଗ କରିବା ପାଇଁ କହିଥିଲେ । ଏତେବଡ ସମାବେଶର ସଂଗଠକମାନଙ୍କୁ ପ୍ରଶଂସା କରିଥିଲେ । ଉକ୍ତ କଳାକାରମାନଙ୍କୁ ପ୍ରତ୍ୟେକ ସରକାରୀ କାର୍ଯ୍ୟକ୍ରମରେ ସାମିଲ୍ ହେବା ପାଇଁ ବାର୍ତ୍ତା ଦେଇଥିଲେ ।
ଏତଦ୍ବ୍ୟତୀତ ମହାପ୍ରଭୁ ବଳରାମଙ୍କର ଧଣ୍ଡା ସହିତ ନଗର ପରିକ୍ରମା ଏକ ନୂତନ ଆଧ୍ୟାତ୍ମିକ ଚିନ୍ତାଧାରା ଢେଙ୍କାନାଳବାସୀଙ୍କ ଉପରେ ପ୍ରଭାବ ପକାଇଛି । ସମସ୍ତ ଅନୁଷ୍ଠାନ ଗୁଡିକ ପଞ୍ଜିକୃତ ହେବା ପାଇଁ କର୍ମକର୍ତ୍ତାଙ୍କୁ କହିଥିଲେ । ମୁଖ୍ୟବକ୍ତା ଜିଲ୍ଲା କୃଷି ଅଧିକାରୀ ଅଂଶୁମାନ ପଟ୍ଟନାୟକ କହିଥିଲେ ଯେ, କଳିଯୁଗର ଶେଷ ମୁହୂର୍ତରେ ମହିଳାମାନେ ଜଗନ୍ନାଥ ନାମ ସଂକୀର୍ତ୍ତନ ର ମହାମନ୍ତ୍ରରେ ମନ୍ତ୍ରୀତ ହୋଇ ସତ୍ୟଯୁଗ ପାଇଁ ବାର୍ତା ଦେବେ ବୋଲି ବର୍ଣ୍ଣନା କରିଥିଲେ ।
ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରିୟମ୍ବଦା ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସରକାରଙ୍କର ଲୋକକଳାର ବିକାଶ ସଂପର୍କରେ ସାହାଯ୍ୟ ସହଯୋଗ ବାବଦରେ ଆଲୋଚନା କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଶିକ୍ଷାବିତ୍ ତଥା ସମାଜସେବୀ ପ୍ରଦ୍ୟୁମ୍ନ କୁମାର ରଥ ପାରମ୍ପରିକ ରୀତିନୀତି କୁ ବଞ୍ଚାଇବାକୁ ହେଲେ କୀର୍ତ୍ତନ ର ଆବଶ୍ୟକ ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ରାଜ୍ୟ କଳା ସଂସ୍କୃତି ଉପସଭାପତି ଅବନୀ କୁମାର ମିଶ୍ର ସଂଯୋଜନା କରିବା ସହିତ ଭାବବିହୋଳ ହୋଇ ନାମ ସଂକୀର୍ତ୍ତନ ପରିବେଷଣ କରିଥିଲେ ।
ରାଜ୍ୟ ସଭାପତି ବୀପ୍ରବର ସାହୁ ଜିଲ୍ଲା ସ୍ତରରେ ଜଗନ୍ନାଥ ନାମ ସଂକୀର୍ତ୍ତନ କୁ ଓ କର୍ମକର୍ତ୍ତାଙ୍କୁ ସରକାରଙ୍କ କଳା ସଂସ୍କୃତି କମିଟିରେ ସାମିଲ୍ କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ରାଜ୍ୟ ସଂପାଦକ ବିପିନ୍ ବିହାରୀ ଦାସ ସାରା ଓଡିଶା ପ୍ରଦକ୍ଷିଣ କରିଥିବାରୁ ଜିଲ୍ଲାପାଳ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଅଫିସ୍ ସମ୍ପାଦକ ପ୍ରଶାନ୍ତ କୁମାର ବଡଜେନା, କଟକ ଜିଲ୍ଲା ସଭାପତି ପ୍ରହଲ୍ଲାଦ ସାହୁ, ଜିଲ୍ଲା ସମ୍ପାଦକ ବିଜନ ମହାନ୍ତି ପ୍ରମୁଖ କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।
ଢେଙ୍କାନାଳ ଅଳସୁଆ ହାଟ ପଡିଆରୁ ସକାଳ ୮ଟାରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ପୁରୁଣା ଜିଲ୍ଲାପରିଷଦ ସଭାଗୃହ ପର୍ଯ୍ୟନ୍ତ ଆସିଥିଲା । ଶାନ୍ତି ଶୃଙ୍ଖଳା ରକ୍ଷାକରି ଉକ୍ତ ଶୋଭାଯାତ୍ରାକୁ ମମତା ସାହୁ, ଭାରତୀ ସ୍ୱାଇଁ, କଳ୍ପନା ସାହୁ, ଦମୟନ୍ତୀ ବେହେରା, କମଳିନୀ ଦେହୁରୀ, ବିଷ୍ଣୁଚରଣ ସାହୁ, ଭବାନୀ ଶଙ୍କର ସାହୁ ସମେତ ୮ଟି ବ୍ଲକ୍ର ସଭାପତି ଓ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ ସଭାରେ ରଶ୍ମିତା ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟ ସମ୍ପାଦକ ବିପିନ୍ ବିହାରୀ ଦାସ, ଜିଲ୍ଲା ସଭାପତି ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ବିଶାଳ ଶୋଭାଯାତ୍ରାର ପରିଚାଳନା କରିଥିଲେ ।