ଢେଙ୍କାନାଳ : ରଜସଂକ୍ରାନ୍ତି ଉପଲକ୍ଷେ ଲୋକାରଣ୍ୟ ହୋଇ ଉଠିଥିଲା ପ୍ରସିଦ୍ଧ ଶୈବ ପୀଠ କପିଳାସ ।
ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ବାରବାଙ୍କ ଘାଟି ରାସ୍ତାରେ ପ୍ରବଳ ଭିଡ଼ ସାଙ୍ଗକୁ ଟ୍ରାଫିକ୍ ଜାମ୍ ପରିସ୍ଥିତି ସୃଷ୍ଟି ହୋଇଥଲା। ପ୍ରତିବର୍ଷ ରଜ ସଂକ୍ରାନ୍ତିରେ ମହାପ୍ରଭୁ ଶ୍ରୀଚନ୍ଦ୍ରଶେଖରଙ୍କ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ।
ତେବେ ଚଳିତବର୍ଷ ପାଖାପାଖି ଦୁଇଗୁଣା ଶ୍ରଦ୍ଧାଳୁଙ୍କ ଭିଡ଼ ଜମି ଥିଲା । ଛୁଟିଦିନ ଥିବାରୁ ସମୟ ବିତାଇବାକୁ ଜନସାଧାରଣଙ୍କ ମଧ୍ୟରେ ଉତ୍କଣ୍ଠା ପରିଲକ୍ଷିତ ହୋଇଥଲା। ସେହିପରି ପୀଠରେ ଚାଲିଥିବା ୨୪ ପ୍ରହର ପୂଜା ଦର୍ଶନ ପାଇଁ ବିଭିନ୍ନ ସ୍ଥାନରୁ ଶୈବ ଭକ୍ତମାନେ ଆସିଥିଲେ ।
ପିଇବା ପାଇଁ ଆଦୌ ପାଣିର ବ୍ୟବସ୍ଥା ହେଇନଥିଲା। ପୀଠରେ ଶ୍ରଦ୍ଧାଳୁଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ଗ୍ରାମ୍ୟ ଜଳଯୋଗାଣ ଓ ପାନୀୟ ଜଳ ବିଭାଗ ପକ୍ଷରୁ ୫ଟି ଟାଙ୍କିର ବ୍ୟବସ୍ଥା ହୋଇଛି। ମାତ୍ର ବିଦ୍ୟୁତ୍ ସମସ୍ୟା ନେଇ ଅଧିକାଂଶ ସମୟ ମଟରରୁ ପାଣି ଉଠାଯାଇ ପାରୁନାହିଁ। ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ବିଦ୍ୟୁତ୍ ସମସ୍ୟା ନେଇ ପାଣି ଉଠିପାରି ନଥିବାରୁ ଟାଙ୍କି ଗୁଡିକ ଶୁଖିଲା ପଡିଥିଲା। ଫଳରେ ଶ୍ରଦ୍ଧାଳୁମାନେ ପୀଠରେ ପାଣି ଚଟାପାଏ ପାଇପାରି ନଥିଲେ। ପାର୍କିଂ ରେ ମଧ୍ୟ ଚରମ ଅବ୍ୟବସ୍ଥା ଦେଖା ଯାଇ ଥିଲା।
ତେବେ ଟ୍ରାଫିକ୍ ପରିଚାଳନାରେ ଅବ୍ୟବସ୍ଥା ଯୋଗୁ ଘାଟି ରାସ୍ତା ଜାମ୍ ହୋଇଯାଇଥଲା। ଅପରାହ୍ନ ଯାଏ ପୀଠ ସମେତ ପାଦଦେଶରେ ଜନ ସମାଗମ ଲାଗିରହିଥିବା । ଏପରି ଅବ୍ୟବସ୍ଥା କୁ ନେଇ ଶ୍ରଦ୍ଧାଳୁ ଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଥିଲା ।