କପିଳାସ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ବିବାହ ଓ ଶୀତଳ ଷଷ୍ଠୀ ବିବାହ କାର୍ଯ୍ୟ ସମ୍ପନ୍ନ !

ଢେଙ୍କାନାଳ : ପ୍ରସିଦ୍ଧ ଶୈବପୀଠ କପିଳାସ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କ ବିବାହ ଉତ୍ସବ ଓ ଶୀତଳ ଷଷ୍ଠୀ ଅନୁଷ୍ଠିତ ହୋଇଯାଇଛି ।

ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ବିବାହ ଉତ୍ସବ ଉପଲକ୍ଷେ ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ତିଥିରୁ ହର ପାର୍ବତୀଙ୍କ ଚଳନ୍ତି ପ୍ରତିମାକୁ କପିଳାସ ପୀଠରୁ ଶୁକ୍ରବାର ଦିନ ସୁସଜ୍ଜିତ ବିମାନରେ ଅଣାଯାଇ କପିଳାସ ଚିଡ଼ିଆଖାନା ସମ୍ମୁଖରେ ଥିବା ବିଶ୍ରାମ ଗୃହରେ ଅବସ୍ଥାପିତ କରାଯାଇଥିଲା । ଏହାପରେ ଶ୍ରୀ ଜୀଉଙ୍କୁ ପଣା ଏବଂ ଭୋଗ ଲାଗି କରାଯାଇ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରକୁ ଅଣାଯାଇଥିଲା । ସେଠାରେ ମଙ୍ଗନ କାର୍ଯ୍ୟ ଯଥାରୀତି ଅନୁସାରେ ସମାପନ କରାଯାଇ ଦିଅଁ ମଙ୍ଗୁଳା କରାଯାଇଥିଲା । ଏଥିପୂର୍ବରୁ ପାଶ୍ୱର୍ବର୍ତୀ ଗ୍ରାମ ଦେବଦେବତୀଙ୍କୁ ପାରମ୍ପରିକ ନୀତିରେ ବିବାହ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିଲା ।

ସେଠାରେ ସନ୍ଧ୍ୟା ଆରତୀ ପରେ ଦିଅଁମଙ୍ଗୁଳା କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଦେବବିବାହ ଦିନ ଶ୍ରୀ ଜୀଉ ଦେଓଗାଁ ଠାରେ ବର ବେଶରେ ସଜାଯାଇ ବେଦୀକୁ ଅଣାଯାଇ ବିବାହ କାର୍ଯ୍ୟ କରାଯାଇଥିଲା । ସେବାୟତଙ୍କ ଦ୍ୱାରା ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଏହା ସନ୍ଧ୍ୟାରେ ଆରମ୍ଭ ହୋଇ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି । ମନ୍ଦିରରେ ଥିବା ବିବାହ ମଣ୍ଡପରେ ଶ୍ରୀ ଜୀଉଙ୍କ ବିବାହ ନୀତି ପୀଠ ପୂଜାପଣ୍ଡା ଆର୍ତଚରଣ ଦାଶଙ୍କ ଦ୍ୱାରା ଦେବ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଥିଲା । ବିବାହ ଉତ୍ସବରେ ବର ପିତା ଭାବେ ରମେଶ ପତି ଓ କନ୍ୟା ପିତା ଭାବରେ ସନ୍ନାସୀ ମହାପାତ୍ର ବିବାହ କାର୍ଯ୍ୟ ସମ୍ପନ୍ନ କରିବାର କାର୍ଯ୍ୟକ୍ରମ ରହିଛି ।

ଦେଓଗାଁ ଠାରେ ବିଜେ ପ୍ରତିମା ଚତୁର୍ଥି ଅଷ୍ଟମଙ୍ଗୁଳି ନୀତି ସମ୍ପନ୍ନ ହେବାପରେ ହର-ପାର୍ବତୀ କପିଳାସ ପୀଠକୁ ପ୍ରତ୍ୟାବର୍ତନ କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମକୁ ଦେବୋତର ନିରୀକ୍ଷକ ଅଜୟ ହୋତା ପରିଚାଳନା କରିଥିବାବେଳେ ପ୍ରଦ୍ୟୁମ୍ନ ତ୍ରିପାଠୀ, ଜିମାଦାର ଦିଲ୍ଲୀପ ମହାନ୍ତି, ଦେବୋତର କର୍ମଚାରୀ ପ୍ରଦ୍ୟମ୍ନ ଭୂତିଆ, ଅଭିମନ୍ୟୁ ହୋତା, ସେବାସୀ ମହାସଂଘର ସଭାପତି ରମେଶ ପତି, ସମ୍ପାଦକ କାଳିଆ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଭିନ୍ନକ୍ଷମ ପିଲାମାନଙ୍କୁ ନେଇ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଗ୍ରାମବାସୀଙ୍କ ତରଫରୁ ପ୍ରଥମ ଥର ପାଇଁ ଯାତ୍ରା କାର୍ଯ୍ୟକ୍ରମ ରହିଛି । ଶିବସାଗର ପୋଖରୀ ନିକଟରୁ ଦେବଦେବ ମହାଦେବ ବରବେଶରେ ପାଲିଙ୍କି ଯୋଗେ ଛତ୍ର, ଚାମର, ବାଜା, ବାଣ, ରୋଷଣୀରେ ଆସି ବଳଦେବ ଜୀଉ ମନ୍ଦିରରେ ପହଞ୍ଚି ଥିଲେ। କପିଳାସ ବ୍ୟତୀତ ଢେଙ୍କାନାଳ ସହରରେ ଅନ୍ୟାନ୍ୟ ଶିବ ମନ୍ଦିର ଗୁଡ଼ିକରେ ଦେବବିବାହ ଓ ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.

eighteen + twenty =