ଢେଙ୍କାନାଳ : ପ୍ରତିବର୍ଷ ଜୁନ ମାସ ୫ ତାରିଖ ଦିନ ଏହି ଦିବସ ପାଳିତ ହୋଇଥାଏ । ମିଳିତ ଜାତିସଂଘ ୧୯୭୨, ଜୁନ ୫ରେ ବିଶ୍ୱ ପରିବେଶ ଦିବସ ପାଳନ ପାଇଁ ଏକ ବୈଠକର ଆୟୋଜନ କରିଥିଲା । ବୈଠକ ପରେ ପ୍ରତିବର୍ଷ ଏହି ଦିବସ ପାଳନ ନିଷ୍ପତି ହୋଇଥିଲା ।
ତେବେ ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା ଓ ଏହାର ସଂରକ୍ଷଣ ନେଇ ସଚେତନତା ସୃଷ୍ଟି କରାଇବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ଜାତିସଂଘ ପୁରସ୍କାର ପ୍ରାପ୍ତ ଯୁବ ପରିବେଶବିତ୍ ଶୁଭ୍ରାଂଶୁ ଶତପଥୀଙ୍କ ଦ୍ୱାରା ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଳକରେ ଏହି ଦିବସ ପାଳନ କରାଯାଇଛି ।
ଏହି ଉପଲକ୍ଷେ ଗଁଦିଆ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ ମାନବ ଶୃଙ୍ଖଳର ଆୟୋଜନ କରାଯାଇଥିଲା । ହାତକୁ ହାତ ଧରି କୁନି କୁନି ଛାତ୍ରଛାତ୍ରୀ ପରିବେଶ ସୁରକ୍ଷାର ବାର୍ତା ଦେଇଥିଲେ । ସେହିପରି ଖରାଦିନରେ ପକ୍ଷୀମାନଙ୍କ ତୃଷ୍ଣା କିପରି ମେଣ୍ଟା ଯାଇ ପାରିବ ଏ ନେଇ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା ।
ଏଥିରେ ଗଁଦିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ସହ ସରକାର ପ୍ରାଥମିକ ବିଦ୍ୟାଳୟ ରାମଚନ୍ଦ୍ରପୁର ସରକାରୀ ଉଚ୍ଚ୍ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସୂଚନା ଥାଉକି ଶୁଭ୍ରାଂଶୁ ଏ ନେଇ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ କର୍ମଶାଳାର ଆୟୋଜନ କରି ୨୫୦୦୦ରୁ ଉର୍ଦ୍ଧ୍ୱ ମାଟିପାତ୍ର ବଣ୍ଟନ କରିଛନ୍ତି ।