ଢେଙ୍କାନାଳ : ଗଁଦିଆ ବ୍ଳକରେ ପଞ୍ଚାୟତ ସ୍ତରରେ କାର୍ଯ୍ୟକାରି ହେଉଥିବା ବିଭିନ୍ନ ଯୋଜନା ଗୁଡିକ ଦୁର୍ନୀତିର ବୁଢିଆଣୀ ଜାଲରେ ଛନ୍ଦି ହେଉଥିବାର ଅଭିଯୋଗ ବାରମ୍ବାର ହୋଇ ଆସୁଅଛି ।
ଏହି ବ୍ଳକରେ ଜଣେ ସ୍ଥାୟୀ ବିଡିଓ ନଥିବାରୁ ତହସିଲଦାର ବିଡିଓ ଦାୟିତ୍ୱ ତୁଲାଉଥିବାରୁ ଠିକାଦାର ମାନେ ଏହାର ସୁଯୋଗ ନେଇ ମନରେଗା କାର୍ଯ୍ୟ ଏବଂ ଅନ୍ୟାନ୍ୟ କାର୍ଯ୍ୟଗୁଡିକ ନିଜ ମନ ଇଛା ମେସିନ ଲଗାଇ କରୁଛନ୍ତି ବୋଲି ବିଭିନ୍ନ ପଞ୍ଚାୟତରୁ ଅଭିଯୋଗମାନ ଆସୁଛିୁ । ଏହିଭଳି ଏକ ଅଭିଯୋଗ ଆସିଛି ଦିଗାମ୍ବରପୁର ଗ୍ରାମ ପଞ୍ଚାୟତରୁ । ଏହି ଦିଗମ୍ବରପୁର ଗ୍ରାମ ପଞ୍ଚାୟତ (କଣ୍ଟାବଣି) ପର୍ବତ କଣି ଓ ରାମସୁଧା ମୌଜା ସଂଲଗ୍ନ ଅଞ୍ଚଳରେ ମନରେଗା ଅର୍ଥରେ ଏକ ପୋଖରୀ ତଡା କାର୍ଯ୍ୟ କରାଯାଉଛି । ଉକ୍ତ ଜାଗାଟି କିସମ ଗୋଚର ଏବଂ ଶ୍ମଶାନ ଅଛିବୋଲି ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ଜାଗାଟି ବ୍ରାହ୍ମଣୀ ନଦୀକୂଳରୁ ମାତ୍ର ୫୦ ଫୁଟ ଦୂରରେ ଅବସ୍ଥିତ ରହିଥିବା ବେଳେ ନଦୀର କୂଳରେ ଉକ୍ତ ଜାଗା ପ୍ରତ୍ୟେକ ବର୍ଷ ବନ୍ୟାଜଳରେ ବାରମ୍ବାର ବୁଡିରହିଥାଏ । ଯାହାକି ଜନସାଧାରଣଙ୍କର କୌଣସି କାମରେ ଆସିବାରେ ନାହିଁ ।ଏହି ୍ସ୍ଥାନରେ ପୂର୍ବରୁ ଏକ ପୋଖରୀ ଖୋଳାଯାଇ ଅବ୍ୟବହୃତ ଭାବେ ପଡି ରହିଛି । ପୁନର୍ବାର ଏହି ସ୍ଥାନରେ ନିୟମ ଉଲ୍ଲଂଘନ କରାଯାଇ ପୋଖରୀ ଖନନ କାର୍ଯ୍ୟକୁ ଶ୍ରମିକ ବଦଳରେ ଜେସିବି ମେସିନ ଦ୍ୱାରା କରାଯାଉଛି । ଏହି ପୋଖରୀରୁ ଖୋଳା ଯାଉଥିବା ମାଟିକୁ ଏକ ଉଦ୍ୟାନ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ କରାଯାଇ ଅର୍ଥ ହରିଲୁଟ କରିବାର ମସୁଧା ଚାଲିଛି । ଏହି ଜାଗା ଦ୍ୱୟ ପ୍ରତ୍ୟେକ ବର୍ଷ ବନ୍ୟା ଜଳରେ ବୁଡିଯାଏ ।ପର୍ବତକଣି ଏକ ବନ୍ୟା ପ୍ଲାବିତ ଅଞ୍ଚଳ ହୋଇଥିବା ବେଳେ ବନ୍ୟା ସହାୟତା ରାଶି ପ୍ରଦାନ କରାଯାଇ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ରାସ୍ତା ନିର୍ମାଣ କରାଯାଏ ।
ଉପରୋକ୍ତ କାର୍ଯ୍ୟ ଦ୍ୱୟରେ ୫୦ ଲକ୍ଷ ଟଙ୍କାର ମନରେଗା ଅର୍ଥକୁ ସମସ୍ତ ସରକାରୀ ନୀତିନିୟମକୁ ଉଲ୍ଲଂଘନ କରାଯାଇ ଅପବ୍ୟୟ କରାଯାଉଛି ଏବଂ ଏହା ଲୋକଙ୍କ ହିତରେ ଆଦୌ ଆସିବାର ନାହିଁ ବୋଲି ଗ୍ରାମବାସୀମାନେ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ।
ଏଣୁ ଉକ୍ତ ଜାଗାକୁ ସରଜମିନ ତଦନ୍ତ କରାଯାଇ କାର୍ଯ୍ୟକୁ ବନ୍ଦ କରାଯିବା ପାଇଁ ଗ୍ରାମବାସୀମାନେ ବିଡିଓଙ୍କୁ ଅନୁରୋଧ କରିବା ସହ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲାପାଳ, ଜିଲ୍ଲା ପରିଷଦ ସଭାପତି ପ୍ରମୂଖଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।