ଢେଙ୍କାନାଳ : ତମାଖୁ ସେବନର ହାନିକାରକ ପ୍ରଭାବ ସମ୍ପର୍କରେ କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ କମ୍ପାନୀର ଶ୍ରମିକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଏହାର କାରଖାନାରେ “ବିଶ୍ୱ ତମାଖୁ ବର୍ଜନ” ଦିବସ ପାଳିତ ହୋଇଯାଇଛି ।
ତମାଖୁ ବିରୋଧୀ ସଚେତନତା ଅଭିଯାନର ଅଂଶବିଶେଷ ଭାବେ ଟାଟା ଷ୍ଟିଲ ମେରାମଣ୍ଡଳୀ ମେଡ଼ିକାଲ ସର୍ଭିସେସ୍ ବିଭାଗ ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ ସହିତ କାରଖାନା ପରିସର ଏବଂ ଆବାସିକ କଲୋନୀରେ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା ।
ତମାଖୁ ସେବନର କାରଣ, ଏହାକୁ ଛାଡ଼ିବାର ଲକ୍ଷଣ, ଶିଶୁ ଓ କିଶୋର ଏବଂ କିଶୋରୀମାନଙ୍କ ମଧ୍ୟରେ ତମାଖୁର ବ୍ୟବହାର, ତମାଖୁ ସେବନ ସମ୍ବନ୍ଧୀୟ ବିଭିନ୍ନ ରୋଗ ଏବଂ ଏହାର କୁପ୍ରଭାବ ଉପରେ କ୍ଷୁଦ୍ର ଅଭିନୟ ଓ ବିଶ୍ଲେଷଣ ମାଧ୍ୟମରେ ଡାକ୍ତର ଓ ପାରା ମେଡ଼ିକାଲ କର୍ମଚାରୀମାନେ ଉପସ୍ଥିତ ଲୋକମାନଙ୍କ ମଧ୍ୟରେ ଏହି ବାର୍ତାର ପ୍ରସାର କରିଥିଲେ ।
ଏହି ଅବସରରେ ତମାଖୁ ବିରୋଧୀ ସଚେତନତା ବାର୍ତା ଥିବା ପ୍ରଚାରପତ୍ରିକା ବଂଟନ କରାଯାଇଥିଲା । ଏହି ଦିନିକିଆ ସଚେତନତା କାର୍ଯ୍ୟକ୍ରମରେ ୫୦୦ରୁ ଊର୍ଦ୍ଧ୍ୱ ଲୋକ ଅଂଶଗ୍ରହଣ କରିଥିଲେ । ମେଡ଼ିକାଲ ସର୍ଭିସେସ୍ ବିଭାଗ ପକ୍ଷରୁ ଏକ ସପ୍ତାହବ୍ୟାପୀ ସ୍ୱୟଂ-ନାମାଙ୍କନ ଅଭିଯାନ ମାଧ୍ୟମରେ ବ୍ୟକ୍ତିମାନଙ୍କୁ ତମାଖୁ ଛାଡ଼ିବାର ସକଳ୍ପ ନେବାକୁ ଆହ୍ୱାନ ଦିଆଯାଇଛି । ତମାଖୁ ସେବନ କରୁଥିବା ବହୁ ବ୍ୟକ୍ତି ଏହି ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ପ୍ରୋତ୍ସାହିତ ହୋଇ ଏହି ସପ୍ତାହବ୍ୟାପୀ ଅଭିଯାନ ଅନ୍ତର୍ଗତ ତମାଖୁ ଛାଡ଼ିବା ପାଇଁ ନିଜେ ନିଜକୁ ମନୋନୀତ କରିଛନ୍ତି ।
ପ୍ରତ୍ୟେକ ବର୍ଷ ମେ ୩୧ ତାରିଖରେ ସାରା ବିଶ୍ୱରେ “ବିଶ୍ୱ ତମାଖୁ ବର୍ଜନ” ଦିବସ ପାଳନ କରାଯାଇଥାଏ । ତମାଖୁ ସେବନରୁ ନିବୃତ ରହିବା ପାଇଁ ସମଗ୍ର ବିଶ୍ୱର ଲୋକମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହା ପାଳନ କରାଯାଉଛି । ଚଳିତ ବର୍ଷର ବିଷୟବସ୍ତୁ ହେଉଛି “ତମାଖୁ: ଆମ ପରିବେଶ ପ୍ରତି ବିପଦ” ।