ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମୀକ୍ଷା ବୈଠକ : ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱାରୋପ !

ଢ଼େଙ୍କାନାଳ : ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଗୁଣାତ୍ମକ ଶିକ୍ଷା ଦାନ ନିମନ୍ତେ ସମସ୍ତ ଯୋଜନାକୁ ଅଗ୍ରାଧିକାର ଦେଇ ଯଥାଶୀଘ୍ର ସମ୍ପୁର୍ଣ୍ଣ କରିବାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଆସନ୍ତା ଜୁନ ୩ ତାରିକ ଦିନ ମହିଷାପାଟସ୍ଥ ଆଦର୍ଶ ବିଦ୍ୟାଳୟ ଠାରେ ଜିଲ୍ଲାରେ ୫-ଟି ଅନ୍ତର୍ଗତ ୧୦୫ଟି ରୂପାନ୍ତରିତ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବାକୁ ଥିବାରୁ ଏହି ସମସ୍ତ ବିଦ୍ୟାଳୟର ସମସ୍ତ ଆନୁଷଙ୍ଗୀକ କାର୍ଯ୍ୟ ଚଳିତ ମାସ ସୁଦ୍ଧା ଶେଷ କରିବାକୁ ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାର ସାକ୍ଷରତା ହାରକୁ ୯୦%କୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଜିଲ୍ଲାର ପ୍ରତ୍ୟେକ (ଜଣେ) ଶିକ୍ଷକ ଜଣେ ନିରକ୍ଷରକୁ ସାକ୍ଷର କରିବାରେ ସହଯୋଗ କରୁଛନ୍ତି ଏବଂ ସମସ୍ତ ଅଙ୍ଗନୱାଡି କର୍ମୀ ଜଣେ ଲେଖାଏଁ ନାବାଳିକାକୁ ପୋଷ୍ୟ ଭାବେ ଗ୍ରହଣ କରି ତାର ଶିକ୍ଷା ଓ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେଉଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।

ନୂତନ ଚିନ୍ତାଧାରା ନେଇ ଶିଶୁ ଓ କିଶୋର, କିଶୋରୀ ମାନଙ୍କ ବିକାଶ ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି ବୋଲି ସେ ପ୍ରକାଶ କରିଛନ୍ତି । ଜିଲ୍ଲାବାସୀଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏକ ୨୪ ଘଂଟିଆ ହେଲ୍‌ପ ଡେସ୍କ (ଟୋଲ ଫ୍ରି ନଂ.୧୦୪) କାର୍ଯ୍ୟକରୁଛି ଏବଂ ଏହା ବିଏସକେୱାଇ ଯୋଜନାର ହିତାଧିକାରୀମାନଙ୍କୁ ଆବଶ୍ୟକ ସହାୟତ ଓ ସୂଚନା ପ୍ରଦାନ କରିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଅଶୋକ କୁମାର ଦାଶ ପ୍ରକାଶ କରିଛନ୍ତି ।

ଜିଲ୍ଲାର ସମସ୍ତ ଚିକିତ୍ସାଳୟରେ ହର୍ବାଲ ଗାର୍ଡେନ କରାଯାଉଛି ଏବଂ ଚିକିତ୍ସାଳୟ ପରିସରକୁ ପରିଷ୍କାର ପରିଚ୍ଛନ୍ନ କରାଯାଇ ପରିବେଶ ଅନୁକୂଳ କରାଯାଉଛି ବୋଲି କହିଛନ୍ତି । ଜିଲ୍ଲାରେ ଜଳସ୍ତର ବୃଦ୍ଧି ନିମନ୍ତେ ଜଳଶକ୍ତି ଅଭିଯାନରେ ଜିଲ୍ଲାର ପ୍ରାୟ ୪୦୦୦ ବ୍ୟବହୃତ ପୋଖରୀର ସୌନ୍ଦର୍ଯ୍ୟକରଣ /ବିକାଶ କରାଯିବ । ଏଥି ସହିତ ଅମୃତ ସରୋବର ଯୋଜନାରେ ୭୫ଟି ବଡ ଧରଣର ପୋଖରୀ ଖୋଳାଯିବ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ ପ୍‌କାଶ କରିଛନ୍ତି । ଗ୍ରାମାଂଚଳବାସୀଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ନିମନ୍ତେ ପ୍ରତ୍ୟେକ ପଂଚାୟତରେ ଗୋଟିଏ ଲେଖାଏଁ ମଡେଲ ଟ୍ୟାଙ୍କ, ଚଉଡା ମାଟି ରାସ୍ତା ଏବଂ ରୁରାଲ ପାର୍କ ନିର୍ମାଣ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି ।

ଉନ୍ନୟନମୁଳକ କାର୍ଯ୍ୟର ସୂଚନା ଆଦାନ-ପ୍ରଦାନ ଉଦେଶ୍ୟରେ ପ୍ରତ୍ୟେକ ବ୍ଳକ କାର୍ଯ୍ୟାଳୟରେ ଗୋଟିଏ ଲେଖାଏଁ ଗୃହରେ କମ୍ପ୍ୟୁଟର ବ୍ୟବସ୍ଥା କରାଯାଇ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ରାଜ୍ୟର ଏକମାତ୍ର ସରକାରୀ ଗୋଶାଳାକୁ (ବାବନ୍ଧ ସ୍ଥିତ)ବ୍ୟବସ୍ଥିତ କରାଯିବ ବୋଲି ଜଣାଯାଇଛି । ଏହି ବୈଠକରେ ଆବାସ ଯୋଜନାରେ ଗୃହ ନିର୍ମାଣର ଅଗ୍ରଗତି ସମ୍ପର୍କରେ ବିଡିଓ ମାନେ ଅବଗତ କରାଇଥିଲେ । ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରାଯାଇ ସ୍ଥାୟୀ ସମ୍ପତି ସୃଷ୍ଟି ସହିତ ପଂଚାୟତର ରୋଜଗାର ବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ମତ ପ୍ରକାଶ କରି ଅଧିକରୁ ଅଧିକ ଶ୍ରମ ଦିବସ ସୃଷ୍ଟି ଉପରେ ମଧ୍ୟ ଧ୍ୟାନ ଦେବାକୁ ପ୍ରକଳ୍ପ ନିର୍ଦ୍ଦେଶକ କହିଥିଲେ । ମହିଳା ସ୍ୱୟଂ ସହାୟକଗୋଷ୍ଠୀଙ୍କର କାର୍ଯ୍ୟକ୍ରମ ଗୁଡିକୁ ଅଧ୍‌ିକ କ୍ରିୟାଶୀଳ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଭିଲେଜ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ସହ ଘରେ ଘରେ କମ୍ପୋଷ୍ଟ ପିଟ୍ ତିଆରି କରିବା , ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବାକୁ କହିଥିଲେ ।

ଶେଷରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ବିଳାସିନୀ ସେଠୀ, ଜିଲ୍ଲା ଗ୍ରାମ୍ୟ ଜଳ ଓ ପରିମଳର ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର କୁମାର ବେହେରାଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ବ୍ଳକ ଶିକ୍ଷା ଅଧିକାରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

sixteen − 12 =