ଢେଙ୍କାନାଳ ଜିଲ୍ଲା ରେଡ୍‌କ୍ରସ୍ ଶାଖା ଓ ଜିଲ୍ଲା ରେଡ୍‌କ୍ରସ୍ ରାଫିଡ୍ ରେସ୍‌ପନ୍ସ ଗ୍ରୁପ ପକ୍ଷରୁ ଜିଲ୍ଲା ସ୍ତରୀୟ ବିଶ୍ୱ ରେଡ୍‌କ୍ରସ୍ ଦିବସ ପାଳିତ !

ଢେଙ୍କାନାଳ : ସ୍ଥାନୀୟ କଣ୍ଟେଇକୋଳିଆ ସ୍ଥିତ ମହର୍ଷି ଦୟାନନ୍ଦ ସର୍ଭିସ୍ ମିଶନ ପରିସରରେ ଜରାନିବାସରେ ଜିଲ୍ଲା ରେଡ୍‌କ୍ରସ୍ ଶାଖା ଓ ଜିଲ୍ଲା ରେଡ୍‌କ୍ରସ୍ ରାପିଡ୍ ରେସ୍‌ପନ୍ସ ଗ୍ରୁପ୍ ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ୱ ରେଡ୍‌କ୍ରସ୍ ଦିବସ ପାଳିତ ହୋଇଯାଇଛି ।

ଜିଲ୍ଲା ରେଡ୍‌କ୍ରସ୍ ଶାଖା ଉପସଭାପତି ବିରଞ୍ଚି ନାରାୟଣ ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡା. ଅଭିମନ୍ୟୁ ଆଚାର୍ଯ୍ୟ, ମହର୍ଷି ଦୟାନନ୍ଦ ସର୍ଭିସ୍ ମିଶନର ସଂପାଦକ ପ୍ରଦୀପ କୁମାର ସାହୁ ଓ ରୋଟାରିଆନ୍ ରାଜ କିଶୋର ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ।

ସମଗ୍ର ବିଶ୍ୱରେ ମାନବବାଦ୍ ଶାନ୍ତି ଓ ମୈତ୍ରୀର ବାର୍ତା ପ୍ରଚାର କରୁଥିବା, ସର୍ବବୃହତ ସେବା ଅନୁଷ୍ଠାନ “ରେଡ୍‌କ୍ରସ ” ର ପ୍ରାଣ ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟ୍‌ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ୧୮୨୮ ମସିହା ମଇ ୮ ତାରିଖରେ ସୁଇଜରଲାଣ୍ଡର ଜେନେଭା ସହରରେ ଜନ୍ମ ଗ୍ରହଣ କରିଥିବା ଏହି ଦୂରଦର୍ଶୀ, ନୋବେଲ୍ ପୁରସ୍କାର ପ୍ରାପ୍ତ ସମାଜସେବୀ “ସଲଫରିନୋ ” ଯୁଦ୍ଧର ବିଭୀଷିକା, ମୃତାହତଙ୍କୁ ଦେଖି ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଚେଷ୍ଟା କରିଥିଲେ ଓ “ରେଡ୍‌କ୍ରସ୍‌ ‘ ତାଙ୍କର ମାନସ ସନ୍ତାନ । ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବା ଓ ସମସ୍ତ ସଂକୀର୍ଣ୍ଣତାରୁ ଉର୍ଦ୍ଧ୍ୱରେ ରହି “ବସୁଧୈବ କୁଟୁମ୍ବକ ” ନୀତିରେ ବିଶ୍ୱ ଭାତୃତ୍ୱ ଓ ମାନବ ସେବାରେ ନିଜକୁ ଉତ୍ସର୍ଗ କରିବାକୁ ବକ୍ତାମାନେ ପରାମର୍ଶ ଦେଇଥିଲେ । ମାନବ ଜାତି ପ୍ରତି ସେବା ମନୋଭାବ, ଦୟା, କରୁଣା ଭାବ ପ୍ରକଟ କରିବା ସହକ୍ଷୁଧା, ଦାରିଦ୍ର‌୍ୟ, ପ୍ରାକୃତିକ ଦୁର୍ବିପାକ, ମହାମାରୀ ଆଦି ସମୟରେ ରେଡ୍‌କ୍ରସ୍ ସ୍ୱେଚ୍ଛାସେବୀ ଅଗ୍ରଣୀ ଭୂମିକା ନିର୍ବାହ କରିଥାଏ ବୋଲି ଉପସଭାପତି ଶ୍ରୀଯୁକ୍ତ ପାଣି ପ୍ରକାଶ କରିଥିଲେ ।

ଏହି ଅବସରରେ ଜରାନିବାସ ଅନ୍ତେବାସୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଚକ୍ଷୁ ପରୀକ୍ଷା, ଓଜନ,ପଲ୍ସ, ରକ୍ତଚାପ ଆଦି ପରୀକ୍ଷା କରାଯାଇ ଆବଶ୍ୟକ ଚିକିତ୍ସା ପରାମର୍ଶ ଦିଆଯାଇଥିଲା । ସମସ୍ତଙ୍କୁ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା । ସେମାନଙ୍କ ଦୈନନ୍ଦିନ ଶୃଙ୍ଖଳିତ ଜୀବନ ଚର୍ଯ୍ୟା ଓ ସନ୍ତୁଳିତ ଖାଦ୍ୟ ସମ୍ପର୍କରେ ଡା.ଗୀତାଞ୍ଜଳି ତ୍ରିପାଠୀ ପରାମର୍ଶ ଦେଇଥିଲେ । ରେଡ୍‌କ୍ରସ୍‌ର ବରିଷ୍ଠ ପ୍ରସିକ୍ଷକ ଅକ୍ଷୟ ଜେନା ପରିଣତ ବୟସରେ ସୁସ୍ଥ ଓ ନିରୋଗ ଜୀବନଯାପନ ନିମନ୍ତେ ଯୋଗ ଓ ପ୍ରାଣାୟମର ଉପାଦେୟତା ସମ୍ପର୍କରେ ପରାମର୍ଶ ଦେଇଥିଲେ ।

ପ୍ରତ୍ୟହ ସଂଧ୍ୟାରେ ଆଧ୍ୟମିକ ଆଲୋଚନା, ଗୀତା ଭାଗବତ ପଠନ ଓ ଶ୍ରବଣ ନିମନ୍ତେବରିଷ୍ଠ ସଦସ୍ୟ ଶିବ ପ୍ରସାଦ ପଣ୍ଡା ପରାମର୍ଶ ଦେବା ସହ କିଛି ଆଧ୍ୟାତ୍ମିକ ପୁସ୍ତକ ପ୍ରଦାନ କରିଥିଲେ । ଅନ୍ୟତମ ସଦସ୍ୟା କବିତା ବେହେରାଓ ରଶ୍ମିତା ରଥ ଅନ୍ତେବାସୀମାନଙ୍କୁ ପରିସ୍କାର ପରିଚ୍ଛନ୍ନ ରହିବା ପ୍ରେରଣା ଦେଇଥିଲେ ଓ ସେମାନଙ୍କୁ ଗୋଡ ଓ ହାତର ନଖ କାଟିଥିଲେ । ଦିଲ୍ଲୀପ ସାହାଣୀ, ଚିନ୍ମୟ ଜେନା, ସୁଜିତ୍ ନନ୍ଦ, ରାମେଶ୍ୱର ମାଇତି ପ୍ରମୁଖ ନୂତନ ବସ୍ତ୍ର, ଫଳ ଓ ମିଠା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିହାର, ସୁଭାଶିଷ କାଦମ୍ବରୀ, ରୁନୁବାଳା, ବିକାଶ, ଦିପୁନା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

ସଂଧ୍ୟାରେ ଜିଲ୍ଲା ରେଡ୍‌କ୍ରସ୍ ରକ୍ତ ଭଣ୍ଡାର ପରିସରରେ ରେଡ୍‌କ୍ରସ୍ ରାପିଡ ରେସ୍‌ପନ୍ସ ଗ୍ରୁପ୍‌ର ସଦସ୍ୟମାନେ ବିଶ୍ୱ ରେଡ୍‌କ୍ରସ୍ ଦିବସ ଅବସରରେ କେକ୍‌ କାଟିବା ସହ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ରୋଟାରିଆନ୍ ରାଜକିଶୋର ବେହେରା ତାଙ୍କର ୯୧ତମ ରକ୍ତଦାନ କରି
ଶିବିର ଉଦ୍‌ଘାଟନ କରିଥିଲେ । ଏହି ଶିବିରରେ ୧୧ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।

Leave A Reply

Your email address will not be published.

5 − one =