ପ୍ରୋବେସନର ଆଇଏଏସ ଅଧିକାରୀଙ୍କୁ ପଥର ମାଫିଆ କଲେ ମରଣାନ୍ତକ ଆକ୍ରମଣ : ଗିରଫ ହେଲେ ୮ ଅଭିଯୁକ୍ତ !

ଢେଙ୍କାନାଳ:ଢେଙ୍କାନାଳ ସହରରେ ଲଘୁ ଖଣିଜ ଦ୍ରବ୍ୟ ଚୋରା କାରବାର ନେଇ ବିଭିନ୍ନ ସମୟରେ ଖବର ପ୍ରସାରଣ ଓ ପ୍ରଶାସନ ପକ୍ଷରୁ ଚଢାଉ ପରେ ମଧ୍ୟ ଏହି ଚୋରା କାରବାର କମିବାର ନାଁ ଗନ୍ଧ ଧରୁନାହିଁ ।

ଅତୀତରେ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ବେଆଇନ ଭାବେ ଚାଲୁଥିବା ଖଣିଗୁଡିକୁ ତୁରନ୍ତ ଆଇନ ପରିସରଭୁକ୍ତ କରି ନିଲାମ କରିବାକୁ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଏବଂ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପ୍ରଶାସନର ବେପରୁଆ ମନୋଭାବ ପାଇଁ ଲଘୁ ଖଣିଜ ଦ୍ରବ୍ୟ ଚୋରା କାରବାର ବହୁଳ ମାତ୍ରାରେ ବୃଦ୍ଧି ପାଇବା ସହ ପଥର ମାଫିଆଙ୍କ ଦୌରାତ୍ମ୍ୟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏପରିକି ମାଫିଆଙ୍କ ହାବୁଡରୁ ପ୍ରଶାସନିକ ଅଧିକାରୀ ସମେତ ଆଇଏଏସ ଅଧିକାରୀ ମାନେ ମଧ୍ୟ ରକ୍ଷା ପାଇବାକୁ ସମର୍ଥ ହୋଇପାରୁନାହାନ୍ତି ।

ଏଭଳି ଏକ ଘଟଣା ୨ ଦିନ ଧରି ସହରରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଜନୈକ ପ୍ରୋବେସନର ଆଇଏଏସ ଅଧିକାରୀ ବିଳମ୍ବିତ ରାତିରେ ଚୋରା ଖଣି ଉପରେ ଚଢାଉ କରୁଥିବା ବେଳେ ପଥର ମାଫିଆମାନେ ଉକ୍ତ ଅଧିକାରୀଙ୍କୁ ମାଡ ମାରିବା ସହ ତାଙ୍କ ସାଙ୍ଗରେ ଯାଇଥିବା କର୍ମଚାରୀଙ୍କୁ ଗୁରୁତର କରି ତାଙ୍କର ଗାଡିକୁ ଭାଙ୍ଗି ଦେଇଥିବା ଘଟଣା ସହରରେ ବେଶ ଆଲୋଚନାର ବିଷୟ ହୋଇଛି ।

ଓଡାପଡା ତହସିଲ ଇନ୍ଦିପୁର -ଗୁଣ୍ଡୁରାପଶି ଖଣିରୁ ଚୋରା ଚାଲାଣ ରୋକିବା ଲାଗି ପ୍ରଶାସନ ପକ୍ଷର ସୋମବାର ବିଳମ୍ବିତ ରାତିରେ ଚଢାଉ କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଛନ୍ତି ପ୍ରୋବେସନର ଆଇଏଏସ୍ ତଥା ଉପଜିଲ୍ଲାପାଳଙ୍କ ସମେତ ତହସିଲ କାର୍ଯ୍ୟାଳୟର ପଦସ୍ଥ ଅଧିକାରୀ । ଏ ନେଇ ଉପ ଜିଲ୍ଲାପାଳଙ୍କ ଏତଲା ଆଧାରରେ ସଦର ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୮ଜଣଙ୍କୁ ଗିରଫ କରିଛି ।

ଓଡାପଡା ତହସିଲ ଅନ୍ତର୍ଗତ ଇନ୍ଦିପୁର-ଗୁଣ୍ଡୁରାପଶି ପଥର ଖଣିରେ ସୋମବାର ବିଳମ୍ବିତ ରାତ୍ରିରେ ବେଆଇନ ପଥର ଖନନ କରି ଚୋରାଚାଲାଣ କରାଯାଉଥିବା ସୂଚନା ପାଇ ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ତଥା ଆଇଏଏସ୍ ପ୍ରୋବେସନର ବିଭୁତି ଭୂଷଣ ନାୟକ,ଓଡାପଡା ତହସିଲଦାର ଏବଂ ତାଙ୍କ ଟିମ ସମେତ ୧୦ ଜଣ କର୍ମଚାରୀ ଅତର୍କିତ ଚଢାଉ କରିଥିଲେ । ତେବେ ଧରାପଡିବା ଭୟରେ ୨ ଜଣ ପଥର ମାଫିଆଙ୍କ ନେତୃତ୍ୱରେ ୧୨ରୁ ୧୪ ଜଣ ଅସାମାଜିକ ବ୍ୟକ୍ତି ଠେଙ୍ଗାବାଡି, ବନ୍ଧୁକ ଓ ମାରଣାସ୍ତ୍ର ଧରି ସେମାନଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ । ଉପଜିଲ୍ଲାପାଳଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଆତଙ୍କ ସୃଷ୍ଟି କରିବା ସହିତ ଗାଡି ଭଙ୍ଗାରୁଜା କରିଥିଲେ ।

ଏହି ଘଟଣାରେ ୪ ଜଣ କର୍ମଚାରୀ ଗୁରୁତର ହୋଇଛନ୍ତି । ଅପରପକ୍ଷେ ଉପଜିଲ୍ଲାପାଳଙ୍କ ଅଭିଯୋଗ କ୍ରମେ ଥାନାରେ ନଂ.୨୧୨/୨୨, ଦଫା ୩୪୧, ୩୨୩,୩୫୭, ୨୦୭, ୨୫ ଏବଂ ଆର୍ମସ ଆକ୍ଟରେ ମାମଲା ରୁଜ୍ଜୁ ହୋଇଛି । ଏହିଭଳି ଘଟଣା ସହରରେ ଯେ ପ୍ରଥମ ଘଟଣା ତାହାନୁହେଁ । ଅତୀତରେ ଗଁଦିଆ ବ୍ଳକ ନିହଲପ୍ରସାଦ ଅଞ୍ଚଳରେ ଅନୁରୂପ ଘଟଣା ଘଟିଥିଲା । ପଥର ଖାଦାନରୁ ଗାଡି ଜବତ କରି ଆଣୁଥିବା ବେଳେ ମାଫିଆଙ୍କ ରୋଷର ଶିକାର ହୋଇଥିଲେ ଜଣେ ଅତିରିକ୍ତ ଜିଲ୍ଲାପାଳ । ଅଭିଯୁକ୍ତମାନେ ତାଙ୍କ ଠାରୁ ଗାଡି ଛଡାଇ ନେଇଥିଲେ । କିଛିଦିନର ବ୍ୟବଧାନ ପରେ ଏଭଳି ଘଟଣାର ପୂନରାବୃତିକୁ ନେଇ ପ୍ରଶାସନର ରାଜସ୍ୱ ଆଦାୟ ପ୍ରତି କିଭଳି ଦାୟିତ୍ୱ ରହିଛି ତାହା ଚର୍ଚ୍ଚାର ବିଷୟ ପାଲଟିଛି ।

ଲଘୁ ଖଣିଜ ଉପରୁ ଚୋରା ଚାଲାଣ ରୋକିବା ଲାଗି ସରକାର ଗୁରୁତ୍ୱାରୋପ କରୁଥିବା ବେଳେ କାର୍ଯ୍ୟାନୁଷ୍ଠାନ ସମୟରେ ମାଫିଆଙ୍କ ଆକ୍ରମଣ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତେବେ ବିଳମ୍ବରେ ମାମଲା ଦାଖଲ ହେବା ପରେ ୮ଜଣ ଅଭିଯୁକ୍ତଙ୍କୁ ପୋଲିସ କରିବାରେ ସକ୍ଷମ ହୋଇଛି । ଅଭିଯୁକ୍ତମାନେ ହେଲେ ବିଜୟ ପ୍ରଧାନ, କୃତି ଓରଫ କୃତିବାସ ସାହୁ, ପ୍ରତାପ କୁମାର ବେହେରା ,ରମେଶ ଚନ୍ଦ୍ର ପ୍ରଧାନ,ଜିତେନ୍ଦ୍ର କୁମାର ସାହୁ, ସୁବାସ ଚନ୍ଦ୍ର ସାହୁ, ପ୍ରିୟବ୍ରତ ନାୟକ, ଗୌରାଙ୍ଗ ସାହୁ ।

ତେବେ ପ୍ରଶ୍ନ ଉଠେ ଯେ, ରାଜ୍ୟ ସରକାରଙ୍କର ରାଜସ୍ୱ ଆଦାୟ ପାଇଁ ସରକାର ଓ ରାଜସ୍ୱ ମନ୍ତ୍ରୀ ଏବଂ ଖଣିମନ୍ତ୍ରୀ ଲଘୁ ଖଣିଜ ଦ୍ରବ୍ୟ ଆଇନକୁ କଡାକଡି ଭାବେ ପାଳନ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିବା ସତ୍ୱେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଆଇନ ପାଳନ କରିବାରେ କେଉଁ ଉଦେଶ୍ୟ ରଖି ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି ତାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.

nineteen − 6 =