ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କଲେ ଆହତ ଡ୍ରାଇଭର !

ଢ଼େଙ୍କାନାଳ ହିନ୍ଦୋଳ ବ୍ଲକ୍ ରାସୋଳ ଥାନା ଅନ୍ତର୍ଗତ ଗଣ୍ଡାନାଳୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସୂଚନା ଅନୁଯାୟୀ ଗଣ୍ଡାନାଳୀ ଗ୍ରାମର ନିଶାକାର ପ୍ରଧାନ (୪୫) ଓ ସୁବ୍ରତ ସାହୁ (୩୮) ନାମକ ଦୁଇ ଡ୍ରାଇଭର ନିଜେ ଚଳାଉଥିବା ଗାଡିକୁ ପୂଜା କରିବାକୁ ଶନିବାର ଦିନ ରଥପଦାକୁ ଯାଇଥିଲେ । ସେଠାରୁ ଗାଡ଼ି ପୂଜା ସାରି ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓସ୍ତପାଳ ପୋଲ ଉପରେ ଥିବା ସିମେଣ୍ଟ ଖୁଣ୍ଟି ରେ ମାଡ ହୋଇଥିଲେ। ଯାହାଫଳରେ ଉଭୟ ଗୁରୁତର ଆହତ ହୋଇପଡିଥିଲେ। ସ୍ଥାନୀୟ ଲୋକେ ଏହା ଦେଖିବା ପରେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ନିଶାକର ଙ୍କ ଅବସ୍ଥା ସେଠାରେ ଅତ୍ୟଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ସୋମବାର ଦିନ ମୃତ୍ୟୁ ଘଟିଛି। ସ୍ଥାନୀୟ ଅଞ୍ଚଳରେ ତାଙ୍କର ମୃତ୍ୟୁ ଖବର ପ୍ରଘଟ ହେବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ନିଶାକର ଜଣେ ମେଳାପୀ,ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଥିଲେ। ସୁବ୍ରତ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.

18 + twelve =