ଶକ୍ତି ବାହିନୀ ପକ୍ଷରୁ ମହିଳା ସଶକ୍ତିକରଣ ସପ୍ତାହ ପାଳନର ଉଦଯାପନୀ ଉତ୍ସବ ଅନୁଷ୍ଠିତ !

ଢେଙ୍କାନାଳ: ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଗୁରୁଦେବଜୀ ଫାଉଣ୍ଡେସନର ମହିଳା ଶାଖା “ ଶକ୍ତି ବାହିନୀ ”ର ଦ୍ୱିତୀୟ ବାର୍ଷିକ ଉତ୍ସବ ତଥା ତୃତୀୟ ପ୍ରତିଷ୍ଠା ଦିବସ ଉପଲକ୍ଷେ ୧ତାରିଖ ଠାରୁ ମହିଳା ସଶକ୍ତିକରଣ ସପ୍ତାହ ଆରମ୍ଭ ହୋଇଥିଲା, ଏହି ସପ୍ତାହ ମଧ୍ୟରେ ମହିଳା ଓ ଛାତ୍ରୀ ମାନଙ୍କୁ ଶିଶୁ କନ୍ୟା ଓ ମହିଳା ସୁରକ୍ଷା, ମୂଲ୍ୟବୋଧକ ଶିକ୍ଷା, ଆଇନ ସଚେତନତା ଓ ଋତୁସ୍ରାବ ଜନିତ ପରିଛନ୍ନତା ଉପରେ ସଦସ୍ୟା ମାନଙ୍କ ଦ୍ୱାରା ପ୍ରତ୍ୟେକ ଦିନରେ ବିଭିନ୍ନ ସ୍ଥାନରେ ସଚେତନତା କରାଇବା ସହ ଗୁରୁଦେବଜୀ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଆମେଚର ତାଇକୋଣ୍ଡୋ ଓ ପେନକାକ୍ ସିଲାଟ ଆସୋସିଏସନର ସମ୍ପାଦକ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଆତ୍ମରକ୍ଷା କୌଶଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ଏହି ଉଦଜାପନୀ ଉତ୍ସବର ପ୍ରଥମ ପର୍ଯ୍ୟାୟରେ ଏକ ସ୍ଵତନ୍ତ୍ର “ ମହିଳା କବିତା ଆସର ” ଆୟୋଜନ ହୋଇଥିଲା, ପରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ସଭାପତି ସସ୍ମିତା ଦାଶଙ୍କ ଅଧ୍ୟକ୍ଷତାରେ ପ୍ରଥମେ ଶକ୍ତି ବାହିନୀର ସଦସ୍ୟା ମମତା ମହନ୍ତ ସ୍ୱାଗତଭାଷଣ ଦେବା ସହ ଏହି ଅନୁଷ୍ଠାନର ଲକ୍ଷ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ୱାମୀ ଯୋଗ ଦେଇ ନାରୀ ସଶକ୍ତିକରଣ ଉପରେ ମତବ୍ୟକ୍ତ କରିବା ସହ ଗୁରୁଦେବଜୀ ଫାଉଣ୍ଡେସନର ଏହି ଭଳି ନିରନ୍ତର ପ୍ରୟାସକୁ ସ୍ୱାଗତ କରିବା ସହ ସମସ୍ତ ଆୟୋଜକ ମାନଙ୍କୁ ଧନ୍ୟବାଦ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ସୁକାନ୍ତି ଦାଶ ଯୋଗ ଦେଇ ଏହି ନିଆରା କାର୍ଯ୍ୟକ୍ରମକୁ ପ୍ରସଂଶା କରିବା ସହ ନାରୀ ମାନଙ୍କୁ ସବୁ ଦିଗରେ ଆଗକୁ ଯିବାକୁ ପଡ଼ିବ ବୋଲି ମତପ୍ରକାଶ କରିବା ସହ ପ୍ରତ୍ୟେକ ଦିନ ମହିଳା ଓ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା କୌଶଳ ଶିକ୍ଷା ପ୍ରଦାନ କରିଥିବାରୁ ଶକ୍ତି ବାହିନୀକୁ ଏହି ଭଳି ସମାଜ ହିତକାରୀ କାର୍ଯ୍ୟ ଜାରି ରଖିବାକୁ ଉତ୍ସାହିତ କରିଥିଲେ । ଅନ୍ୟତମ ଅତିଥି ଭାବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ଦେହୁରୀ ଏହି ଭଳି କାର୍ଯ୍ୟକ୍ରମ ଆମ୍ଭର ସ୍କୁଲରେ କରିଥିବାରୁ ଅନୁଷ୍ଠାନକୁ ଧନ୍ୟବାଦ ପ୍ରଦାନ କରିବା ସହ ନାରୀ ହେଉଛି ଶକ୍ତିର ଉତ୍ସ ସେଥିପାଇଁ ଶକ୍ତି ବାହିନୀ ସର୍ବଦା ଏହି ଶକ୍ତିକୁ ସମସ୍ତ ନାରୀ ମଧ୍ୟରେ ଜାଗ୍ରତ କରିପାରିଲେ ପ୍ରକୃତ ସଶକ୍ତିକରଣ ହେଇପାରିବ ବୋଲି ଅତିଥିମାନେ ମତରଖିଥିଲେ । ପରେ ଅତିଥିମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ଗୁରୁଦେବଜୀ ଫାଉଣ୍ଡେସନର ପ୍ରତିଷ୍ଠାତା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ସମସ୍ତଙ୍କୁ ଆନୁଷ୍ଠାନିକ ଭାବରେ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଦସ୍ୟା ସ୍ୱପ୍ନା ଜେମ୍ସ, ରାଜଲକ୍ଷ୍ମୀ ଜେନା, ରଶ୍ମିରେଖା ଜେନା, ଗାୟତ୍ରୀ ମିଶ୍ର ଓ ଗୁରୁଦେବଜୀ ଫାଉଣ୍ଡେସନର ସଦସ୍ୟସଦସ୍ୟା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.

four × one =