ଖଣୀ ମନ୍ତ୍ରୀଙ୍କ କଞ୍ଚନ ବାହାଳି ଦୁଃଖ ଶୁଣିବ କିଏ ? ଜୀବନ ନେଉଛି ପାନୀୟ ଜଳ !

*କଞ୍ଚନ ବାହାଳି ର ବୁକୁଫଟା କାନ୍ଦ କୁ ଶୁଣି ପାରୁନି ପ୍ରଶାସନ ।

*ଏକମାତ୍ର ନଳକୂପ ପାଲଟିଛି ଅଭିଶାପ, ପାନୀୟ ଜଳର ଅନ୍ୟ ବିକଳ୍ପ ନାହିଁ 

ଢେଙ୍କାନାଳ: ଅଭିଯୋଗ କରି କରି କିଛି ଫଳ ମିଳୁନି । ଆମେ କାହା ଆଗରେ ଆଉ କିଛି କହିବୁନି । ଘର ଲୋକ ଚିଢୁଛନ୍ତି । କହୁଛନ୍ତି କ୍ୟାମେରା ଆଗରେ ମୁହଁ ଦେଖେଇ ହେବା ବନ୍ଦ କର । ଆମେ ମଲେ କୋଉ ସରକାର କି କୋଉ କଲେକ୍ଟର ର କି ସରପଞ୍ଚ ର କ’ଣ ଯାଉଛି ଯେ । ଏ ଥିଲା କଞ୍ଚନ ବହାଳି ଗ୍ରାମ ର ଜଣେ ନବବଧୂ ର କଥା । ସେପରି ସେହି ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି କଥା କହୁ କହୁ ଆଖି ଛଳ ଛଳ କରି କହିଗଲେ ମନ କଥା । ” ବାବୁ, ମୋ ଆଖି ଆଗରେ ସବୁ ସାଙ୍ଗ ଚାଲି ଗଲେଣି । ସମସ୍ତେ କିଡିନି ରୋଗୀ ଥିଲେ । ମୁଁ କେଉଁ ଦିନ ଚାଲିଯିବି ଜଣାନାହିଁ । ଶୋଷ ଲାଗିଲେ ବି ପାଣି ପିଇବାକୁ ଡର ଲାଗୁଛି । ପାଣି ନୁହେଁ ତ ଆମେ ବିଷ ପିଉଛୁ । ପିଲାଛୁଆ ନାତିନାତୁଣୀ ଙ୍କ ଭବିଷ୍ୟତ ପାଇଁ ଏବେ ଖାଲି ଚିନ୍ତା । ୧୯୯୦ ଦଶକର ନଳକୂପ ରୁ ପାଣି ପିଇ ପିଇ ଚାଳିଶ ମଲେଣି ଆମ ଗାଁ ରୁ ତଥାପି କେତେ ଅଭିଯୋଗ ପରେ ବି ଭଲ ପାଣି ମୁନ୍ଦାଏ ପିଇବାକୁ ପାରୁନାହୁଁ । ଆମ ଗାଁ ଲୋକେ ସବୁ ବାଜାବାଲା । ସମସ୍ତ ଙ୍କ ସୁଖରେ ବାହାଘର ଯାନିଯାତ୍ରା ରେ ବାଜା ବଜାଇ ଖୁସି ଭରିଦେଉ କିନ୍ତୁ ଆମ ଖୁସି ଆମ ଜୀବନ ପାଇଁ ଯେମିତି କାହାର କିଛି କର୍ତ୍ତବ୍ୟ ନାହିଁ । 

ହଁ, ଏ କାହାଣୀ ନୁହେଁ ! କି ଗପ ନୁହେଁ ! ଏ ହେଉଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଗଡନୃସିଂହ ପ୍ରସାଦ ର କଞ୍ଚନ ବାହାଳି ଗ୍ରାମ ର ବ୍ୟଥା। ଯେଉଁଠି ଲଗାତାର ଭାବରେ ଦୂଷିତ ପାନୀୟ ଜଳର ପ୍ରଭାବରୁ କିଡନୀ ରୋଗ କାୟା ବିସ୍ତାର କରି ଚାଲିଛି । ଯାହା ର ପ୍ରଭାବରେ ପାଖାପାଖି ଚାଳିଶ ଜଣ ମୃତ ଗଲେଣି । ଏବେ ଦଶରୁ ଅଧିକ କିଡନୀ ରୋଗୀ ମୃତ୍ୟୁ ଅପେକ୍ଷା ରେ । ବିଜୁ ସ୍ୱାସ୍ଥ୍ୟ କାର୍ଡ ଏହି ରୋଗୀମାନଙ୍କ ଜୀବନ ବଞ୍ଚାଇବାକୁ ଅସମର୍ଥ । କାରଣ ହେଲା ସମସ୍ତେ କିଡନୀ ରୋଗୀ ତେବେ କିଏ କାହାକୁ କିଡନୀ ଦାନ କରିବ । ତେବେ ଦୁଃଖ ର କଥା ହେଲା ବିଗତ ଦିନରେ ସ୍ୱଚ୍ଛ ଜଳ ଯୋଗାଣ କରିବା ନାମରେ ପୂର୍ବତନ ସରପଞ୍ଚ ଟାଙ୍କି ନିର୍ମାଣ କରିଥିଲେ ଯାହାକୁ ପର ମୁହୂର୍ତରେ ଉଠାଇ ନେଇଯାଇଥିବା କହିଛନ୍ତି ପ୍ରତାରଣାର ଶୀକାର ହୋଇଥିବା ସ୍ଥାନୀୟ ବାସିନ୍ଦା । ତେବେ ଦୁର୍ଦ୍ଦଶା ର ଜୀବନ ସହ ସଂଗ୍ରାମ କରୁଥିବା କଞ୍ଚନ ବାହାଳି ଗ୍ରାମବାସୀଙ୍କ ଉପରେ ଭୁବନ ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ନେତା ତଥା ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କ ଦୃଷ୍ଟି କେବେ ପଡୁଛି ତାହା ଦେଖିବାକୁ ରହିଲା ।

Leave A Reply

Your email address will not be published.

17 − 6 =