ଢ଼େଙ୍କାନାଳ : ମହିମା ଧର୍ମର ପୀଠ ଯୋରନ୍ଦା ମହିମାଗାଦି ଠାରେ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ମାଘମେଳା। ଚଳିତବର୍ଷ ର କରୋନା କଟକଣା ନ ଥିବାରୁ ଲକ୍ଷାଧିକ ସାଧୁସନ୍ଥ ଏବଂ ଅନୁଗାମୀଙ୍କ ସମାଗମ ହେବା ସମ୍ଭାବନା ରହିଛି।
ମହିମା ଧର୍ମର ଏହିପ୍ରମୁଖ ମହୋତ୍ସବକୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବା ଲାଗି୭ ପ୍ଲାଟୁନ ପୋଲିସ ବଳ ମୁତୟନ କରାଯିବା ସହିତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମାଘମେଳା ଉପଲକ୍ଷେ ବ୍ରାହ୍ମ ମୁହୂର୍ତ୍ତରୁ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ସାଢ଼େ ୫ଟାରେ ଗାଦି ମନ୍ଦିରର ଚାରିଦ୍ଵାରରେ ଝାଡ଼ଦୀପ ପ୍ରଜ୍ୱଳନ କରାଯିବ। ମହିମା ସାଧୁସନ୍ଥମାନେ ବିଶ୍ୱ କଲ୍ୟାଣ କାମନା କରି ଘୃତାହୁତି ପ୍ରଦାନ କରିବେ।
ଚଳିତବର୍ଷ ଦେଶର ବିଭିନ୍ନ ପ୍ରାନ୍ତ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସାଧୁସନ୍ଥଙ୍କ ସମାଗମ ହୋଇଥିବାବେଳେ ଚଳଚଞ୍ଚଳ ହୋଇଉଠିଛି ସମଗ୍ର ଯୋରନ୍ଦା। ଯେକୌଣସି ଅପ୍ରୀତକରି ପରିସ୍ଥିତିଏଡ଼ାଇବାକୁ ୨ ଅତିରିକ୍ତ ଏସ୍ପି, ୪ ଡିଏସ୍ପି, ୫ ଇନସ୍ପେକ୍ଟର , ୧୫ ଏଏସ୍ଆଇଙ୍କୁ ନିୟୋଜିତ କରାଯାଇଛି।ମହିଳା ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ସାଦା ପୋଷାକରେ ଜଣେ ମହିଳା ଇନସ୍ପେକ୍ଟର ଙ୍କ ନେତୃତ୍ୱରେ ମହିଳା ପୋଲିସ ନିୟୋଜିତ ହୋଇଛନ୍ତି।
ଅପରାହ୍ନରେ ପୋଲିସ ଯୋରନ୍ଦାରେ ଫ୍ଲାଗମାର୍ଚ କରିବା ସହିତ ସନ୍ଧ୍ୟାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ର ସୁରକ୍ଷାରେ ଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଦାୟିତ୍ୱ ବଣ୍ଟନ କରିବା ସହ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଲୁଟ୍, ଛିନ୍ତାଇ, ଚୋରି, ପକେଟମାର ଭଳି ଅପରାଧିକ କାର୍ଯ୍ୟ ରୋକିବା ଲାଗିସାଦା ପୋଷାକଧାରୀ ପୋଲିସ ପଇଁତରା ମାରିବେ ବୋଲି ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ ସୂଚନା ଦେଇଛନ୍ତି ।