ଢେଙ୍କାନାଳ : ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ଆନୁକୂଲ୍ୟରେ ଗତ ୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଜାତୀୟ ସେବା ଯୋଜନାର ଶୀତକାଳୀନ ସ୍ୱତନ୍ତ୍ର ଶିବିର ଆଜି ଉଦଯାପିତ ହୋଇଯାଇଛି ।
ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ତହସିଲଦାର ଡ. ରୋଜାଲିନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱେଚ୍ଛାସେବୀ ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ନିସ୍ୱାର୍ଥପର ଭାବେ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ନିଜକୁ ପ୍ରସ୍ତୁତ କରିବାକୁ ଏହି ଶିବିର ର ଆବଶ୍ୟକତା ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ ।
ଅନ୍ୟତମ ଅତିଥି ଭାବେ ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ଅଧ୍ୟାପିକା ଡ. ମମତା ପାତ୍ର ଶିବିରାର୍ଥୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ପ୍ରୋଗ୍ରାମ ଅଫିସର ଅଧ୍ୟାପକ ନିରଂଜନ ନାୟକ ଶିବିରର ବିବରଣୀ ପାଠ କରିବା ସହ ରଚନା , ଗୀତ , ରଙ୍ଗୋଲି ଓ ନୃତ୍ୟ ପ୍ରତିଯୋଗିତାରେ କୃତୀତ୍ୱ ଅର୍ଜନ କରିଥିବା ସ୍ୱେଚ୍ଛାସେବୀ ମାନଙ୍କୁ ସମ୍ମାନୀତ କରିଥିଲେ ।
ସାତ ଦିନିଆ ଏହି ଶିବିରରେ ସ୍ୱେଚ୍ଛାସେବୀ ମାନେ ଭଦଳିଆପଶି , ନୂଆଭୁବନ ଶିବ ମନ୍ଦିର , ରଗଡି ନିକଟସ୍ଥ ଅଷ୍ଟଶମ୍ଭୁ ମନ୍ଦିର ପରିସରକୁ ସଫା ସୁତରା କରିଥିଲେ । ସ୍ତନ କର୍କଟ ର କାରଣ ଓ ନିରାକରଣ ଏବଂ ଯୁବ ବିକାଶ ସମ୍ବନ୍ଧରେ ଡ. ମମତା ପାତ୍ର ଆଲୋକପାତ କରିଥିଲେ ।
ଭୁବନ ଅଗ୍ନିଶମ ବିଭାଗ ଦ୍ୱାରା ଅଗ୍ନିନିରୋଧ ଓ ଫାଷ୍ଟଏଡ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଇଂ ଶକ୍ତି ପ୍ରସାଦ ସାହୁ ଙ୍କ ଦ୍ୱାରା ଯାଦୁବିଦ୍ୟା ଶିକ୍ଷା ଦିଆଯାଇଥିଲା । ସ୍ୱେଚ୍ଛାସେବୀର ଲକ୍ଷ୍ୟ ସଂପର୍କରେ ସମାଜସେବୀ ଲକ୍ଷ୍ମଣ କୁମାର ଦାସ ବିବରଣୀ ପ୍ରଦାନ କରିଥିଲେ । । ପ୍ରୋଗ୍ରାମ ଅଫିସର ନିରଂଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଶିବିରରେ ୫୦ ଜଣ ସ୍ୱେଚ୍ଛାସେବୀ ଙ୍କ ସହିତ କର୍ମଚାରୀ ଲକ୍ଷ୍ମଣ ସାହୁ , ସୁନିଲ ପଟ୍ଟନାୟକ , ରଙ୍ଗଲତା ସାହୁ , ନିର୍ମଳା ସାହୁ ସହଯୋଗ କରିଥିଲେ ।