ଢ଼େଙ୍କାନାଳ : ଭୁବନ ସହର ମଧ୍ୟରୁ ଦୈନିକ ବାହାରୁଥିବା ଅଳିଆ ଆବର୍ଜନାକୁ ଏକତ୍ର କରି ଏନଏସି ପକ୍ଷରୁ ନିର୍ମାଣ କରାଯାଇଥିବା ସମ୍ପଦ କେନ୍ଦ୍ରରେ ଜୈବିକ ପ୍ରକ୍ରିୟାରେ ସଂଗଠିତ କରି ଉନ୍ନତ ମାନର ଖତ ଉତ୍ପାଦନ କରାଯାଉଛି ।
ପ୍ରଥମଥର ପାଇଁ ଏହି ପ୍ଲାଣ୍ଟରୁ ଉତ୍ପାଦିତ ୧୭ କ୍ୱିଣ୍ଟାଲ ଖତକୁ କିଲୋ ପ୍ରତି ମାତ୍ର ୨୦ ଟଙ୍କା ଦରରେ ଗଁନ୍ଦିଆ ଅଂଚଳର ଏକ ଉଦ୍ୟାନ ବିଭାଗ ନର୍ସରୀକୁ ବିକ୍ରୟ କରାଯାଇଥିଲା । କାଉନସିଲର ପପୁ କୁମାର ସାହୁ ଙ୍କ ଉପସ୍ଥିତିରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଖତ ବିକ୍ରୟ କୁ ଶୁଭାରମ୍ଭ କରିଥିଲେ ।
ଶୁଭାରମ୍ଭ ଉତ୍ସବରେ ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ ଙ୍କ ସମେତ କନିଷ୍ଠଯନ୍ତ୍ରୀ ସୁରେନ୍ଦ୍ରନାଥ ସାହୁ , ଗୋଷ୍ଠୀ ସଂଯୋଜିକା ଦିପାଳୀ ସାମନ୍ତ , ପୌରଯନ୍ତ୍ରୀ ରଶ୍ମିତା ମିଶ୍ର ଓ ସିଟି ମ୍ୟାନେଜର ଜାନକୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସମ୍ପଦ କେନ୍ଦ୍ରକୁ ଦୁଇଟି ବ୍ୟାଟେରୀ ଚାଳିତ ଗାଡି ଓ ତିନୋଟି ଟାଟା ଏସି ଗାଡିରେ ଦୈନିକ ୩ ଟନ ଆବର୍ଜନା ସଂଗ୍ରହ କରାଯାଉଛି । ଗୋରଖନାଥ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଏହା ପରିଚାଳିତ ହେଉଛି ।
୮ ଜଣ ମହିଳା ଏହି ପ୍ରକ୍ରିୟାକରଣ ଶିଳ୍ପରେ ନିୟୋଜିତ ହୋଇ ସ୍ୱାବଲମ୍ବୀ ହେବା ସହିତ ସେମାନଙ୍କର ପରିବାର ଚଳାଉଛନ୍ତି । ଏହି ଖତକୁ ବିଭିନ୍ନ କାର୍ଯ୍ୟରେ ଭିନ୍ନ ଭିନ୍ନ ଫସଲ ପାଇଁ ଉପଯୋଗ କରାଯାଇ ପାରିବ ବୋଲି ସିଟି ମ୍ୟାନେଜର ଜାନକୀ ମହାନ୍ତି କହିଥିଲେ ।