ଢ଼େଙ୍କାନାଳ: ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ ପରିସରରେ ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ, ସୁସାହିତ୍ୟିକା ନନ୍ଦିନୀ ଶତପଥୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନୋଚ୍ମିତ ହୋଇଯାଇଛି। ସେହିପରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଏବଂ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତ୍ତି
ଅନାବରଣ ହୋଇଛି ।
ଏଥିସହ ଗାନ୍ଧୀମାର୍ଗରେ ଆୟୋଜିତ ‘ପଥ ଉତ୍ସବ’ ରେ ଦେଖବାକୁ ମିଳିଥିଲା ଏକ ରଙ୍ଗାରଙ୍ଗ ଦୃଶ୍ୟ। ସକାଳ ୭ଟାରୁ ସାଢ଼େ ୯ଟା ଯାଏ ପ୍ରାୟ ଅଢ଼େଇ ଘଣ୍ଟା ଧରି ଏହି କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ସହରବାସୀ। ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀରେ ସହରବାସୀଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଇ ଦେବାକୁ ପୌରସଂସ୍ଥା ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିଲା ପଥଉତ୍ସବ।
ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର, ସାମାଜିକ, ଆଧ୍ୟାତ୍ମିକ ଅନୁଷ୍ଠାନ , ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ବେଚ୍ଛାସେବୀ ଏଥିରେ ସାମିଲ ହୋଇଥିଲେ। ଝୋଟି, ଚିତ୍ରାଙ୍କନ, ନୃତ୍ୟସଙ୍ଗୀତ, ସଂକୀର୍ତ୍ତନ, କ୍ରୀଡ଼ା, ମାଶାର୍ଲ ଆର୍ଟ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ , ଇସ୍କନ ପକ୍ଷରୁ ଆଧ୍ୟାତ୍ମିକ ବାର୍ତା ପ୍ରଚାର କରାଯାଇଥିଲା।
ମୁଖ୍ୟ ଅତିଥିଭାବେ ସାସଂଦ ମହେଶ ସାହୁ, ବିଧାୟକ ସୁଧୀର କୁମାର ସାମଲ, ଜିଲ୍ଲା ପରିଷଦ ସଭାନେତ୍ରୀ ଅର୍ଚ୍ଚନା ପୁହାଣ, ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର , ଜିଲ୍ଲାପାଳ ସରୋଜ କୁମାର ସେଠୀ, ଏସ୍ପି ଲୋଗାନୟାଗୀ ଦିବ୍ୟା ଭି., ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି , ପୌର ଉପାଧ୍ୟକ୍ଷ ପ୍ରକାଶଚନ୍ଦ୍ର କୁଅଁର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଉଦୟ କୁମାର
ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାଶ ଓ ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ପୌରଯନ୍ତ୍ରୀ ରଶ୍ମିତା ମିଶ୍ର, କାଉନ୍ସିଲରମାନେ ଯୋଗଦେଇ ‘ପଥ ଉତ୍ସବ’ ରେ ଭାଗ ନେଇଥିବା ପ୍ରତିଭାଧାରିଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ କାମାକ୍ଷାନଗର ଉପଖଣ୍ଡ ବୀରାଶାଳ ସ୍ଥିତ ସରକାରୀ ବେସାମରିକ ଉଡ଼ାଣ ପ୍ରଶିକ୍ଷଣ ଅନୁଷ୍ଠାନ ଉଦ୍ଦେଶ୍ୟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଆମ୍ବୁଲାନ୍ସ ବିଧାୟକ ହସ୍ତାନ୍ତର କରିଥିଲେ ।