ଢ଼େଙ୍କାନାଳ : ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜାରେ ଗଣେଶ ବଜାର ପୂଜା ମଣ୍ଡପରେ କଲିକତାର ବାଉଁଶ କାରିଗର ମାନେ ବାଉଁଶ ପାତିଆରେ କରୁଛନ୍ତି ଭବ୍ୟ ତୋରଣ । ଗଣେଶ ବଜାର ପୂଜା ମଣ୍ଡପରେ ୭୦ ଫୁଟର ଏହି ତୋରଣରେ ଖର୍ଚ୍ଚ ହେଉଛି ୬ଲକ୍ଷ ଟଙ୍କା । ଏହି ତୋରଣ ପାଇଁ ବ୍ୟବହାର ହେବ ୪ଶହ ବାଉଁଶ । ପୂଜା ପାଖେଇ ଆସୁଥିବାରୁ ଲାଗିଛନ୍ତି ୨୫ ଜଣ କାରିଗର ଶେଷ କରିବା ପାଇଁ। ଓଡ଼ିଶାରେ ପ୍ରଥମ କରି ଗଜଲକ୍ଷ୍ମୀ ପୂଜା ଅବସରରେ କଲିକତାର ବାଉଁଶ କାରିଗର ମାନେ ନିଜ କଳାକୃତି ଦେଖାଇବାର ସୌଭାଗ୍ୟ ପାଇଛନ୍ତି । ଢେଙ୍କାନାଳର ଗଣେଷ ବଜାର ଭବ୍ୟ ତୋରଣକୁ ସମ୍ପୁର୍ଣ୍ଣ ବାଉଁଶ ପାତିଆରେ ତିଆରି କୁଲା, ଚଲା ଓ ଫୁଲଝୁଡିରେ ସଜାଯିବ । ଏହି ତୋରଣ କାର୍ଯ୍ୟ କାରିଗର ମାନେ ପୂର୍ବରୁ କଲିକତା, ଦିଘା, ଝାରଖଣ୍ଡର ଟାଟା ନଗର ଅଞ୍ଚଳରେ ଦୁର୍ଗାପୂଜା ଅବସରରେ ବାଉଁଶ କଳାକୃତିର ତୋରଣ କରି ସାରିଛନ୍ତି । ପିଢି ପରେ ପିଢି ସେମାନେ ଏହି କାମ କରି ଆସୁଛନ୍ତି । ଢେଙ୍କାନାଳରେ ପ୍ରଥମ କରି ଏଭଳି ତୋରଣ ତିଆରି କରାଯାଉଛି । ଦୁଇ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ଏହି ପୂଜାକୁ ଅଧିକ ଆକର୍ଷଣୀୟ କରିବାକୁ ସମସ୍ତ ପୂଜା ମଣ୍ଡପ ଅଣ୍ଟା ଭିଡିଛନ୍ତି । ମୋଟ ୩୮ଟି ପୂଜା ମଣ୍ଡପ ପକ୍ଷରୁ ଗଜଲକ୍ଷ୍ମୀ ପୂଜା ପାଳିତ ହେଉଅଛି । “ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜାରେ କଲିକତାର କାରିଗରଙ୍କୁ ପ୍ରଥମ କରି ଓଡ଼ିଶାରେ ତାଙ୍କର ବାଉଁଶ ପାତିଆର କଳାକୃତି ପ୍ରଦର୍ଶନ କରିବାର ସୁଯୋଗ ମିଳିଛି । ତାକୁ ଆଖି ଆଗରେ ରଖି ସେମାନେ ଅତି ସୁନ୍ଦର ଭାବରେ ଏହି ତୋରଣକୁ ତିଆରି କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ପାଇଁ ପ୍ରଚେଷ୍ଟା କରୁଛନ୍ତି । ଗଜଲକ୍ଷ୍ମୀ ପୂଜା ଅବସରରେ ଗଣେଷ ବଜାର ପ୍ରତ୍ୟକ ବର୍ଷ ତୋରଣରେ କିଛି ନୂତନତ୍ୱ ଦେଖାଇଥାଏ । ତେଣୁ ଚଳିତ ବର୍ଷ ରାଜ୍ୟ ବାହାରର କାରିଗରଙ୍କ ଦ୍ୱାରା ୭୦ ଫୁଟ ଉଚ୍ଚତା ବିଶିଷ୍ଟ ବାଉଁଶ ପାତିଆ କଳାକୃତିର ଏହି ଭବ୍ୟ ତୋରଣ ଶ୍ରଦ୍ଧାଳୁଙ୍କୁ ଅଧିକ ଆକୃଷ୍ଟ କରିବ ବୋଲି ଆଶା ରଖିଛନ୍ତି ଗଣେଷ ବଜାର ପୂଜା କମିଟି ।