ଢେଙ୍କାନାଳ : ଅପରାହ୍ନ ୫ ଘଟିକା ସମୟରେ ସ୍ଥାନୀୟ ମହାବୀର ବଜାରସ୍ଥିତ ମମତା ମଣ୍ଡପ ଠାରେ ଆମ୍ଭ ଡିଜିଟାଲ ମିଡ଼ିଆ “ମୋ ଢେଙ୍କାନାଳ ” ଚ୍ୟାନେଲ ପକ୍ଷରୁ ମହୋତ୍ସବ ପାଳନ ନିମନ୍ତେ ଗୁରୁଦେବ୍ଜୀ ଫାଉଣ୍ଡେସନ୍ର ଉପଦେଷ୍ଟା ଦୀପ୍ତିବାଳା ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଅନୁଷ୍ଠାନର ପ୍ରତିଷ୍ଠାତା ଇଂ. ସୌମ୍ୟବ୍ରତ ସାହୁ ଉପସ୍ଥିତ ରହି ପ୍ରଥମେ ଏହି ମହୋତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଆଗାମୀ ଦିନରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଓ ଚତୁର୍ଥ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଏହି ବୈଠକରେ ଆଲୋଚନା ହୋଇଥିଲା । ଏହି ଉପଲକ୍ଷେ ବିଭିନ୍ନ ବ୍ଳକରେ ବ୍ଲକ୍ ସ୍ତରୀୟ ପ୍ରତିଯୋଗିତା ଯଥା- ଚିତ୍ରାଙ୍କନ, ବକ୍ତୃତା, ପ୍ରବନ୍ଧ, ନୃତ୍ୟ, ସଙ୍ଗୀତ ଓ ଅଭିନୟ ପ୍ରତିଯୋଗିତା ସହ ବିଭିନ୍ନ ସାଂସ୍କୃତିକ ଓ ଶିକ୍ଷା ଭିତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି ଏବଂ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବା ସହ ଜିଲ୍ଲା ସ୍ତରୀୟ ପାଇଁ ମନୋନୀତ କରାଯାଉଅଛି ।
ଆଗାମୀ ଦିନରେ ସଦର, ଗଁଦିଆ, କାମାକ୍ଷାନଗର, କଙ୍କଡାହାଡ, ଓଡାପଡା ଓ ହିନ୍ଦୋଳ ବ୍ଲକ୍ରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହାର ସମସ୍ତ ତଥ୍ୟ ଆମ୍ଭ ଡିଜିଟାଲ୍ ମିଡିଆରେ ପ୍ରସାରିତ ହେଉଛି । ଇଚ୍ଛୁକ ଛାତ୍ରଛାତ୍ରୀ ଓ ପ୍ରତିଭାଧାରୀମାନେ ନିଶୁଳ୍କ ପ୍ରତିଯୋଗିତାରେ ଭାଗନେଇ ପାରିବେ । ଚଳିତ ମାସ ୨୫ ତାରିଖରେ “ମୋ ଢେଙ୍କାନାଳ” ଚ୍ୟାନେଲ୍ର ୪ର୍ଥ ପ୍ରତିଷ୍ଠା ଦିବସ ସ୍ୱତନ୍ତ୍ର ଆଲୋଚନା ଚକ୍ର ସହ ପାଳନ କରାଯିବ ଏବଂ ୨୬, ୨୭ ଓ ୨୮ ତାରିଖ ରେ ବିଭିନ୍ନ ସମାଜସେବା, ସାଂସ୍କୃତିକ ଓ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା “ମୋ ପ୍ରତିଭା ମୋ ପରିଚୟ ” କରାଯାଇ ଶେଷଦିନ ପୁରୁଣା ଜିଲ୍ଲାପରିଷଦ ହଲ୍ରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବା ସଙ୍ଗେ ସଙ୍ଗେ ବିଭିନ୍ନ କ୍ଷେତ୍ରରେ ଜିଲ୍ଲା ପାଇଁ ଗୌରବ ଆଣିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ ।
ଏହି ବୈଠକରେ ମହୋତ୍ସବ କମିଟିର ସଦସ୍ୟା ସସ୍ମିତା ଦାସ, ରାମେଶ୍ୱରୀ ପଟ୍ଟନାୟକ, ଅନନ୍ୟା ହୋତା, ପ୍ରୀତି ସରକାର୍, ମୋହିନୀ ମୋନାଲିସା, ଆଶୁତୋଷ ପାଢୀ, ସୁଚିତ୍ର ବେହେରା, ସତ୍ୟଜିତ୍ ରାଉତ, ରଞ୍ଜନ କୁମାର ନାୟକ, ଇନ୍ଦ୍ରଜିତ୍ ସାହୁଙ୍କ ସମେତ ୨୭ଜଣ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନିଜନିଜର ମତପ୍ରକାଶ କରିଥିଲେ । ଶେଷରେ ଅନୁଷ୍ଠାନର ସଦସ୍ୟା ସୁଶ୍ରୀ ଶିବାନୀ ସାମଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।