ଢେଙ୍କାନାଳ: ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ- ୫୫(ପୁରୁଣା ଏନ୍ଏଚ୍-୪୨) କଟକ-ସମ୍ବଲପୁର- ଅନୁଗୋଳ-ଢ଼େଙ୍କାନାଳ ସେକ୍ସନର ନିର୍ମାଣ କାର୍ଯ୍ୟକୁ ଅବିଳମ୍ବେ ଶେଷ କରିବା ପାଇଁ ଅନୁଗୋଳ ଓ ଢ଼େଙ୍କାନାଳ ଜିଲ୍ଲାର ଏକ ବିଜେପି ପ୍ରତିନିଧି ମଣ୍ଡଳିରେ ପୂର୍ବତନ ମନ୍ତ୍ରୀ ସଞ୍ଜିବ ସାହୁ, ବିଭୂତି ପ୍ରଧାନ, ଅଶୋକ ମହାନ୍ତି, ଶତୃଘ୍ନ ଜେନା, ଦୀପକ ଗୋଚ୍ଛାୟତ, ଅନୁପମା ସାହୁ, ସୁଦୀପ ଗଡ଼ନାୟକ, ଦିଲ୍ଲୀପ ଦାସଙ୍କ ସମେତ ଅନ୍ୟାନ୍ୟ ନେତୃତ୍ୱମାନେ ଜାତୀୟ ରାଜପଥ ପ୍ରାଧିକରଣ(ଏନଏଚଏଆଇ)ର ଆଞ୍ଚଳିକ ଅଧିକାରୀ ରାମ ପ୍ରସାଦ ପଣ୍ଡାଙ୍କୁ ଭେଟି ଆଲୋଚନା କରିବା ସହ ଦାବୀ ପତ୍ର ଦେଇଛନ୍ତି ।
ପ୍ରତିନିଧି ମଣ୍ଡଳିର ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ପ୍ରତାପ ପ୍ରଧାନ ମିଳିତ ଭାବେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏନଏଚ-୫୫ ସେକ୍ସନର ବଅଁରପାଳରୁ ରନ୍ତଲେଇ ରାସ୍ତାର ମରାମତି ପାଇଁ ଏନଏଚଏଆଇ ତରଫରୁ ପଦକ୍ଷେପ ନିଆଯାଇଥିଲା । ପରବର୍ତୀ ପର୍ଯ୍ୟାୟରେ ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏକ ବୈଠକରେ ଉକ୍ତ ରାସ୍ତାର ମରାମତି ପାଇଁ ଜିଲ୍ଲା ଖଣିଜ ପାଣ୍ଠି (ଡ଼ିଏମଏଫ) ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରାଯିବ ବୋଲି ପ୍ରଶାସନ ଏନଏଚଆଇକୁ ପ୍ରତିଶ୍ରୁତି ଦେଇଥିଲା ।
ତେବେ ଗତ ଡ଼ିସେମ୍ବର ମାସରେ ରାସ୍ତାର ମରାମତି ଦାୟିତ୍ୱ ଜିଲ୍ଲା ପ୍ରଶାସନ ନିଜ ଆଡ଼ୁ ଡ଼ିଏମଏଫ ପାଣ୍ଠିରୁ ଖର୍ଚ୍ଚ କରିବା ପାଇଁ ଦାୟିତ୍ୱ ନେଇଥିଲା । ମାତ୍ର ରାସ୍ତା ମରାମତି ପାଇଁ ଡିଏମଏଫରୁ ୮ କୋଟି ଅର୍ଥ ଖର୍ଚ୍ଚ ହୋଇଥିଲେ ସୁଦ୍ଧା ରାସ୍ତାର ଅବସ୍ଥା ଆହୁରି ଖରାପ ହୋଇଛି । ଏନଏଚଏଆଇ ଅଧିକାରୀଙ୍କୁ ଭେଟି ଏ ବିଷୟରେ ଅବଗତ କରିବା ପରେ କଟକରୁ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରାସ୍ତାର ମରାମତି କାର୍ଯ୍ୟ ଶୀଘ୍ର କରାଯିବ ବୋଲି ଏନଏଚଏଆଇ ଆଞ୍ଚଳିକ ଅଧିକାରୀ ରାମ ପ୍ରସାଦ ପଣ୍ଡା ପ୍ରତିଶ୍ରୁତି ଦେଇଛନ୍ତି ।
ଜାତୀୟ ରାଜପଥ-୫୫ ପୂର୍ବ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାକୁ ସଂଯୋଗ କରୁଛି । ଅନୁଗୋଳ ଓ ଢ଼େଙ୍କାନାଳ ଦେଇ ଯାଉଥିବା କଟକରୁ ସମ୍ବଲପୁର ନିର୍ମାଣାଧୀନ ଏନଏଚ-୫୫ ଅନେକ ଶିଳ୍ପଭିତିକ ସହର, କୃଷି କେନ୍ଦ୍ର ଏବଂ ମହତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀ ଦେଇ ଯିବ । ଏନଏଚ- ୫୫ ସମ୍ବଲପୁରରୁ କଟକ ସେକ୍ସନ ତିନୋଟି ପ୍ୟାକେଜରେ ବିଭକ୍ତ ରହିଛି । ଅନୁଗୋଳ ଜିଲ୍ଲାବାସୀଙ୍କ ପକ୍ଷରୁ ଏହି ରାସ୍ତା ନର୍ମାଣ କାମକୁ ତ୍ୱରାନ୍ୱିତ କରିବା ପାଇଁ ବାରମ୍ବାର ଦାବୀ କରାଯାଉଛି । ମାତ୍ର ନିର୍ମାଣ କାର୍ଯ୍ୟ ବିଳମ୍ବ ହେବା କାରଣରୁ ନିକଟରେ ଅନେକ ସଡ଼କ ଦୁର୍ଘଟଣା ଘଟିଛି । ବର୍ଷା ଋତୁରେ ରାସ୍ତା ଶୋଚନୀୟ ହୋଇପଡ଼ିଛି । ଯାତାୟତରେ ବହୁତ ଅସୁବିଧା ହେଉଛି ।
ପ୍ରତିନିଧି ମଣ୍ଡଳିର ସଦସ୍ୟମାନେ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଏପ୍ରିଲ ୨୬ ତାରିଖରେ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ନୂଆଦିଲ୍ଲୀ ଠାରେ ବ୍ୟକ୍ତିଗତ ଭାବେ ଭେଟି ଏ ସମ୍ପର୍କୀତ ଏକ ପତ୍ର ଦେବା ସହ ଆଲୋଚନା କରିଥିଲେ । ଗତ ବର୍ଷ ଅକ୍ଟୋବର ୫ ତାରିଖରେ ମଧ୍ୟ ପତ୍ର ଲେଖି ଓଡ଼ିଶାର ସାମାଜିକ ଆର୍ôଥକ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଥିବା ଏନଏଚ-୫୫ କାର୍ଯ୍ୟକୁ ଶୀଘ୍ର ସାରିବା ପାଇଁ ତାଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଥିଲେ ।
୨୦୧୮ ଡ଼ିସେମ୍ବରରେ ଏନଏଚ-୫୫ର ଶିଳାନ୍ୟାସ ହୋଇଥିବା ବେଳେ ୨୦୨୦ ସେପ୍େଟମ୍ବର ସୁଦ୍ଧା ନିର୍ମାଣ କାମ ଶେଷ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ରାଜ୍ୟରେ ଭିତିଭୂମି ବିକାଶକୁ ତ୍ୱରାନ୍ୱିତ କରିବା ଏବଂ କଟକ ଓ ଅନୁଗୋଳ ମଧ୍ୟରେ ଯାତାୟତ ସମୟକୁ ହ୍ରାସ କରିବା ପାଇଁ ପ୍ରକଳ୍ପର ଉଦ୍ଦେଶ୍ୟ ଥିଲା । ମାତ୍ର ଏ ପର୍ଯ୍ୟନ୍ତ ଏହି ଜାତୀୟ ରାଜପଥର ନିର୍ମାଣ କାମ ଶେଷ ହୋଇନାହିଁ । ତେଣୁ ଢ଼େଙ୍କାନାଳ ଓ ଅନୁଗୋଳ ଜିଲ୍ଲାବାସୀଙ୍କ ସୁବିଧା ଦୃଷ୍ଟିରୁ ଜାତୀୟ ରାଜପଥ- ୫୫ କାମକୁ ତ୍ୱରାନ୍ୱିତ ହେଲେ ଲୋକମାନଙ୍କ ଯାତାୟତରେ ଆଉ ଅସୁବିଧା ହେବ ନାହିଁ ବୋଲି ପ୍ରତିନିଧି ମଣ୍ଡଳି ପକ୍ଷରୁ କୁହାଯାଇଛି ।