ଢେଙ୍କାନାଳ :ଜିଲ୍ଲା କାର୍ଯ୍ୟାଳୟସ୍ଥ ଓସୱାନ ଭିଡିଓ କନଫରେନ୍ସିଂ ହଲ ଠାରେ ଜିଲ୍ଲାର କୋଭିଡ ପରିଚାଳନା ଓ ଉନ୍ନୟନମୁଳକ କାର୍ଯ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ଘଟୁଥିବାରୁ ଜନଗହଳି ଠାରୁ ଦୂରେଇ ରହିବା, ସଭା, ସମିତି ଆୟୋଜନ ସମୟରେ ମାସ୍କ ପରିଧାନକୁ ଗୁରୁତ୍ୱ ଦେବା ଓ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ସରୋଜ କୁମାର ସେଠୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ସମସ୍ତ ସ୍କୁଲ ପିଲାମାନେ ମାସ୍କ ପରିଧାନ କରି ସ୍କୁଲ ଆସିବାକୁ ଓ ସେମାନଙ୍କର ଟୀକାକରଣ ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଟେଷ୍ଟିଂ କରିବା ସହିତ ଟୀକାକରଣ ବୃଦ୍ଧି କରିବାକୁ ସେ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ମଧ୍ୟ କହିଛନ୍ତି ।
ଜନଅଭିଯୋଗ ଗୁଡିକୁ ଗୁରୁତ୍ୱ ଦେଇ ତାର ଯଥାଯଥ ସମାଧାନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଅଙ୍ଗନୱାଡି କେନ୍ଦ୍ରକୁ ଆସୁଥିବା ପିଲାମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବାକୁ ସେ ଅଙ୍ଗନୱାଡି କର୍ମୀ, ହେଲପର, ସୁପରଭାଇଜର, ସିଡିପିଓ, ବିଡିଓ ମାନଙ୍କୁ ପରାମର୍ଶ ଦେଇଛନ୍ତି । ସମନ୍ୱୟ ରକ୍ଷା କରି ବିଭାଗୀୟ ଅଧିକାରୀମାନେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ସମସ୍ତ ଉପଜିଲ୍ଲାପାଳ, ବିଡିଓ, ତହସିଲଦାର , ସିଡିପିଓ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ, ପିଆରଆଇ, ମେମ୍ବରମାନେ ବିଭିନ୍ନ ବିଦ୍ୟାଳୟକୁ ପରିଦର୍ଶନ କରି ବିଦ୍ୟାଳୟର କାର୍ଯ୍ୟକ୍ରମ ତଦାରଖ କରିବାକୁ କହିଛନ୍ତି । ବ୍ୟବସ୍ଥିତ ଶିକ୍ଷାଦାନ ନିମନ୍ତେ ବିହିତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଶିକ୍ଷାଧିକାରୀମାନଙ୍କୁ ପରାମର୍ଶ ଦେବା ସହିତ ସ୍କୁଲକୁ ଯେପରି ଅଧିକରୁ ଅଧିକ ପିଲା ଆସିବେ ସେଥିପ୍ରତି ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଛନ୍ତି ।
କୋଭିଡ ସଂକ୍ରମଣକୁ ବୃଦ୍ଧି ଘଟୁଥିବାରୁ ସ୍କୁଲ, କଲେଜର ପିଲାମାନଙ୍କୁ ଅଗ୍ରାଧିକାର ଭିତିରେ ଟିକାକରଣ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଅଶୋକ କୁମାର ଦାଶ ପ୍ରକାଶ କରିଛନ୍ତି । କୋଭିଡ ଲକ୍ଷଣ ଯୁକ୍ତ ପିଲାମାନଙ୍କୁ ସ୍କୁଲ ନ ଆସିବାକୁ ସେ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ କୋଭିଡ ସଂକ୍ରମଣ ବୃଦ୍ଧି ହେଲେ ସେଥିପାଇଁ ସ୍ପେଶାଲ ଫେବର କ୍ଲିନିକ ଖୋଲାଯାଇ ରାପିଡ ରେସ୍ପନ୍ସ ଟୀମ ପ୍ରସ୍ତୁତ ରଖାଯିବ ବୋଲି ସେ ପ୍ରକାଶ କରିଛନ୍ତି । ଯେଉଁମାନେ କୋଭିଡ ଟୀକା ନେଇ ନାହାନ୍ତି ସେମାନଙ୍କୁ ଚିହ୍ନଟ କରର କରାଯାଉଛି ବୋଲି ସେ କହିଛନ୍ତି ।ବୈଠକରେ ଜନସାଧାରଣଙ୍କ ସୁବିଧା ନିମନ୍ତେ ଆରଆଇ ଅଫିସରେ ସ୍ୱତନ୍ତ୍ର ପ୍ରକୋଷ୍ଠ ନିର୍ମାଣ,ବଞ୍ଚିତ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ଭତା ପ୍ରଦାନ, ଦୁର୍ଗମ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ବିଧାନ, ମନରେଗା ଯୋଜନା ଅଧିନରେ ଅଧିକ ଶ୍ରମଦିବସ ସୃଷ୍ଟି, ମାଟି ରାସ୍ତା ନିର୍ମାଣ,ମଡେଲ ପୋଖରୀ ନିର୍ମାଣ, ରୁରାଲ ପାର୍କ ନିର୍ମାଣ, ଅଧିକ ବୃକ୍ଷରୋପଣ, ଆବାସ ଗୃହ ନିର୍ମାଣ ସମ୍ପର୍କରେ ଆଲୋଚନା ହୋଇଥଲା ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ( ରାଜସ୍ୱ) ଏବଂ ରମେଶ ଚନ୍ଦ୍ର ସେଠୀ (ସାଧାରଣ) ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ, ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧାରାଣୀ ଧଳ, ହିନ୍ଦୋଳ ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ, ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୌଦାମିନୀ ସାହୁ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଶୁଭେନ୍ଦୁ କୁମାର ଖୁୂଂଟିଆ, ଆପାତକାଳୀନ ଅଧିକାରୀ ସ୍ନିଗ୍ଧାଛାୟା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।