୫୫ନଂ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ମନ୍ଥରତାର ସମୀକ୍ଷା : ଅଗ୍ରଗତିର ମନ୍ଥରତା ନେଇ ଅସନ୍ତୋଷ !

ଢେଙ୍କାନାଳ : ଜିଲ୍ଲା ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟର ସମୀକ୍ଷା କରାଯାଇଛି ।

ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ଅନୁଷ୍ଠିତ ବୈଠକର ନିଷ୍ପତି ଅନୁଯାୟୀ ଓ ଗଠିତ କମିଟି ପକ୍ଷରୁ ଜିଲ୍ଲା ଓକିଲ ସଂଘ ସଭାପତି ସଞ୍ଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ଓ ସଂପାଦକ ଟଙ୍କଧର ବେହେରା, ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ଉପସଭାପତି ରାଜକିଶୋର ବେହେରା, ଆଇନ୍‌ଜୀବୀ ଗୋପାଳ ଚନ୍ଦ୍ର ପାତ୍ର, ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ସଭାପତି ରାଜେନ୍ଦ୍ର ଦାସ, ବିନୋଦ ଅଗ୍ରୱାଲ, ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରସନ୍ନ କୁମାର ପଟ୍ଟନାୟକ ଓ ସଂପାଦକ ସତ୍ୟସ୍ୱରୂପ ଦାସ ଓ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ ଠିକାସଂସ୍ଥା କର୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ ଅଧିକାରୀ ସ୍ମୃତି ରଞ୍ଜନ ମହାପାତ୍ର, ଢେଙ୍କାନାଳ କଲେଜ୍ ବାଇପାସ୍‌ରୁ ଚୌଦ୍ୱାର ପର୍ଯ୍ୟନ୍ତ ୫୫ନଂ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା ।

ସମୀକ୍ଷା ବେଳେ ପ୍ରାୟ ୧୦ଟି ସ୍ଥାନରେ କାର୍ଯ୍ୟ ହୋଇ ନଥିବା ଦେଖିବାକୁ ମିଳିଥିଲା । ସମୀକ୍ଷା ପରେ ରବିବାର ଅପରାହ୍ନରେ ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟରେ ସଂଘ ସଭାପତି ଶ୍ରୀ ମିଶ୍ର ଅଧ୍ୟକ୍ଷତାରେ ଓକିଲ ସଂଘ, ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଓ ଜିଲ୍ଲା ସାମ୍ବାଦିକ ସଂଘ କର୍ମକର୍ତାଙ୍କ ମଧ୍ୟରେ ବୈଠକ ବସିଥିଲା । ବୈଠକରେ ନିଷ୍ପତି ଅନୁଯାୟୀ ତିନି ସଂଘର କର୍ମକର୍ତ୍ତା ଜିଲ୍ଲାପାଳ ସରୋଜ କୁମାର ସୋଠୀଙ୍କ ସହ ସଂପ୍ରସାରଣ କାର୍ଯ୍ୟ ଅବଗତିରେ ସମୀକ୍ଷା ସଂପର୍କରେ ରିପୋର୍ଟ ପ୍ରଦାନ କରିବା ସହିତ କାର୍ଯ୍ୟରେ ମନ୍ଥରତା ନେଇ ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିଥିଲେ ।

ସଂପ୍ରସାରଣ କାର୍ଯ୍ୟ ପ୍ରତିଶୃତି ମୁତାବକ ମନ୍ଥରତାକୁ ନେଇ ଜିଲ୍ଲାପାଳ ଦୁଃଖ ପ୍ରକାଶ କରିଥିଲେ । ଜୁଲାଇ ଶେଷ ସୁଦ୍ଧା ରାଜପଥର ଗୋଟିଏ ପାଶ୍ୱର୍ ନିର୍ମାଣ କାର୍ଯ୍ୟ ସରିବ ବୋଲି ଠିକାସଂସ୍ଥା ପକ୍ଷରୁ ପ୍ରତିଶୃତି ଦିଆଯାଇଛି । ନିର୍ଦ୍ଧାରିତ ସମୟରେ ସଂପ୍ରସାରଣ କାର୍ଯ୍ୟ ସାରିବାକୁ ଜିଲ୍ଲାପାଳ ଜାତୀୟ ରାଜପଥ ପ୍ରାଧିକରଣ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଜଣାଇଥିଲେ । ଆସନ୍ତା ୧୯ ତାରିଖରେ ପୁଣି ଥରେ ପ୍ରତିନିଧି ଦଳ ସଂପ୍ରସାରଣ କାର୍ଯ୍ୟ ସମୀକ୍ଷା କରିବେ ।

ଏହାପରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତୃପକ୍ଷଙ୍କୁ ନେଇ ଜିଲ୍ଲା ଓକିଲ ସଂଘ, ବାଣିଜ୍ୟ ଓ ଶିଳ୍ପ ସଂଘ ଓ ଜିଲ୍ଲା ସାମ୍ବାଦିକ ସଂଘର ଏକ ବୈଠକ ବସିବ । ବୈଠକରେ ଆଲୋଚନା ପରେ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ଜଣାଯାଇଛି ।

Leave A Reply

Your email address will not be published.

nineteen − 9 =