୨୫ ଲକ୍ଷ ଟଙ୍କା ବ୍ୟୟରେ କପିଳାସ ପୀଠ ବାରବାଙ୍କ ରାସ୍ତାର ଆଲୋକୀକରଣ ବ୍ୟବସ୍ଥା ପାଇଁ ପ୍ରସ୍ତାବ !

ଢେଙ୍କାନାଳ : ଢେଙ୍କାନାଳର ଆରାଧ୍ୟ ଦେବତା ପ୍ରଭୂ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ବିଜେଙ୍କ କପିଳାସ ପୀଠର ଉନ୍ନତି ବିଧାନ ନିମନ୍ତେ ଆଜି କପିଳାସ ପୀଠ ଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଜଳଲାଗି କାଉଡି ଯାତ୍ରା ପୂର୍ବରୁ ପୀଠର ବାରବାଙ୍କ ରାସ୍ତାରେ ୨୫ ଲକ୍ଷ ଟଙ୍କା ବ୍ୟୟରେ ସ୍ଥାୟୀ ଭାବରେ ଆଲୋକୀକରଣର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ସେଠୀ ପ୍ରକାଶ କରିଛନ୍ତି । ପୀଠକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଶିଖ ତଳ ଘାଟ ରାସ୍ତା ପ୍ରାରମ୍ଭରେ ଏକ ଶିବ ମୁର୍ତି ନିର୍ମାଣ କରାଯାଉଛି । ଜବର ଦଖଲରେ ଥିବା ମହାପ୍ରଭୁଙ୍କ ଜମିକୁ ଉଚ୍ଛେଦ କରାଯିବା ସହିତ ମନ୍ଦିରର ଆୟ ବୃଦ୍ଧି ନିମନ୍ତେ ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ପୀଠର ସର୍ବାଙ୍ଗୀନ ବିକାଶ ନିମନ୍ତେ ଏଏସଆଇ ଗାଇଡ ଲାଇନ ମାନି ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସମସ୍ତ କାର୍ଯ୍ୟ କରାଯିବ ବୋଲି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ ପ୍ରକାଶ କରିଛନ୍ତି । ପୀଠର ଉନ୍ନୟନ କାର୍ଯ୍ୟ ଯଥା ପାହାଚର ଉନ୍ନତି କରଣ ବାରବାଙ୍କରେ ଆଲୋକୀକରଣ, ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ପ୍ରାକୃତିକ ପରିବେଶକୁ ସୁରକ୍ଷିତ ରଖି କରାଯିବ ବୋଲି ଏଏସଆଇ ଡେପୁଟୀ ସୁପରିଂଟେଣ୍ଡିଂ ଇଂଜିନିୟର ଚିତରଞ୍ଜନ ଦେହୁରୀ ପ୍ରକାଶ କରିଛନ୍ତି ।

ଝରଣାର ଜଳଧାରାକୁ ସୁରକ୍ଷିତ ରଖିବା ପାହାଚକୁ ସଫାସୁତରା ରଖିବା, ପାହାଚ ରାସ୍ତାରେ ୨/୩ଟି ବିଶ୍ରାମ ସ୍ଥଳୀ ନିର୍ମାଣ କରିବା ଅଧିକ ପାନୀୟ ଜଳ ବ୍ୟବସ୍ଥା କରିବା , କୌଣସି ପ୍ରକାର ଚୋରୀକୁ ରୋକିବା, ସେବାୟତମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବା, ଭଣ୍ଡାର ଗୃହର ଆବଶ୍ୟକ ମରାମତି କରାଇବା, ବର୍ଷା ଜଳ ନିଷ୍କାସନର ସୁବ୍ୟବସ୍ଥା କରିବା ସମ୍ପର୍କରେ ମନ୍ଦିର ଉପଦେଷ୍ଟା କମିଟି ସଦସ୍ୟ ଦେବବ୍ରତ ପଟ୍ଟନାୟକ, ସାମ୍ବାଦିକ ପ୍ରଦ୍‌ୁ୍ୟମ୍ନ ରଥ, ଗଁଦିଆ ସରପଞ୍ଚ ବିଜୟ କୁମାର ଦେହୁରୀ, ସେବାୟତ ପଞ୍ଚାନନ ମିଶ୍ର ପ୍ରମୁଖ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହି ବୈଠକରେ ଗଁଦିଆ ଥାନା ଅଧିକାରୀ ବିଷ୍ଣୁଚରଣ ବାରିକ, ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ଉପଦେଷ୍ଟା କମିଟିର ସମସ୍ତ ସଦସ୍ୟ , ସମସ୍ତ ସେବାୟତଗଣ ଯୋଗ ଦେଇଥିଲେ । ଉପଜିଲ୍ଲାପାଳ ତଥା ନିର୍ବାହୀ ଅଧିକାରୀ , ଦେବୋତର ସୁଶ୍ରୀ ସ୍ନିଗ୍ଧାରାଣୀ ଧଳ ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିଲେ ଏବଂ ଶେଷରେ ଗଁଦିଆ ବିଡିଓ ତଥା ତହସିଲଦାର ଆଶିଷ ରଞ୍ଜନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

four + 17 =