ଢେଙ୍କାନାଳ : ସଦର ବ୍ଳକ ସରପଞ୍ଚ ସଂଘର ସଭାପତି ସନ୍ତୋଷ ମହାପାତ୍ରଙ୍କ ନେତୃତ୍ୱରେ ସମସ୍ତ ସରପଞ୍ଚମାନେ ଢେଙ୍କାନାଳ ସାଂସଦଙ୍କ ବସଷ୍ଟାଣ୍ଡ ସ୍ଥିତ କାର୍ଯ୍ୟାଳୟ ଠାରେ ସାକ୍ଷାତ କରି ପଞ୍ଚାୟତର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ।
ଏହି ଅବସରରେ ସାଂସଦ ମହେଶ ସାହୁ ସମସ୍ତ ସରପଞ୍ଚ ମାନେ ସଙ୍ଗଠିତ ହୋଇ ପଞ୍ଚାୟତ ତଥା ପଞ୍ଚାୟତବାସୀଙ୍କ ଉନ୍ନତି ନିମନ୍ତେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏଥି ସହିତ ସମିତି ବୈଠକରେ କୌଣସି ସରପଞ୍ଚ ପଞ୍ଚାୟତର ସମସ୍ୟା ବିଷୟରେ ଆଲୋଚନା କରୁଥିବା ବେଳେ ସମସ୍ତ ସରପଞ୍ଚମାନେ ସଂଗଠିତ ଭାବେ ଏହାକୁ ସମର୍ଥନ କରି ଏହି ସମସ୍ୟାର ନିରାକରଣ ନିମନ୍ତେ ଚେଷ୍ଟା କରିବାକୁ ସରପଞ୍ଚ ମାନଙ୍କୁ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ ।
ପଞ୍ଚାୟତ ରାସ୍ତା ଗୁଡିକର ଉନ୍ନତି କରିବା ନିମନ୍ତେ ପଞ୍ଚାୟତରେ ପାଣ୍ଠି ନଥିଲେ ତାକୁ ତୁରନ୍ତ ପଞ୍ଚାୟତ ବୈଠକରେ ଅନୁମୋଦନ କରି ସମିତି ବୈଠକରେ ଉପସ୍ଥାପନ କରି ସାରିବା ପରେ ସମ୍ପୃକ୍ତ ବିଭାଗକୁ ଯୋଜନାର ରୂପରେଖ ପଠାଇବାକୁ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସାଂସଦ ଶ୍ରୀ ସାହୁ କହିଥିଲେ । ଏଥି ସହିତ ସରକାରଙ୍କର ବିଭିନ୍ନ ଯୋଜନା ଗୁଡିକ ଦଳମତ ନିର୍ବିଶେଷରେ ପଞ୍ଚାୟତବାସୀଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରିବା ଜରୁରୀ ବୋଲି ଶ୍ରୀ ସାହୁ ଉପସ୍ଥିତ ସରପଞ୍ଚ ମାନଙ୍କୁ ପରାମର୍ଶ ଦେଇଥିଲେ ।
ପ୍ରାରମ୍ଭରେ ସାଂସଦ ଶ୍ରୀ ସାହୁ ସଦର ବ୍ଳକର ୩୦ଟି ପଞ୍ଚାୟତ ମଧ୍ୟରୁ ଆସିଥିବା ନବନିର୍ବାଚିତ ସରପଞ୍ଚ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସାଂସଦ ଶ୍ରୀ ସାହୁଙ୍କ ସରପଞ୍ଚ ସଂଘର ଏହି ସୌଜନ୍ୟମୁଳକ ସାକ୍ଷାତ ଓ ବୈଠକରେ ସଂଘର ସମ୍ପାଦକ ଅମିତଜ୍ୟୋତି ସ୍ୱାଇଁ, କୋଷାଧ୍ୟକ୍ଷ ପ୍ରତିମା ବେହେରା ପ୍ରମୁଖଙ୍କ ସହ ସମସ୍ତ ସରପଞ୍ଚମାନେ ଉପସ୍ଥିତ ଥିଲେ ।