ଆମ ପୋଖରୀ ଦୁର୍ନୀତି, ଖାଇଗଲେ କୋଟି କୋଟି ଟଙ୍କା, ତଦନ୍ତ ଦାବି ନଚେତ ଢେଙ୍କାନାଳ ବନ୍ଦ ଡାକରା !

ଢେଙ୍କାନାଳ : ବିଗତ ସରକାରଙ୍କର ଆମ ପୋଖରୀ ଯୋଜନାରେ ହୋଇଥିବା ପଙ୍କୋଦ୍ଧାର କାର୍ଯ୍ୟର ଏକ ସମୀକ୍ଷା ବୈଠକ ପୂର୍ବତନ ପୌରାଧ୍ୟକ୍ଷ ଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଭାଗିରଥି ସାଗର ପାଖ ବାସେଳୀ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି l ମୁନିସିପାଲିଟି ଅଞ୍ଚଳର ୧୬ଟି ପୋଖରୀ ମଧ୍ୟରୁ ୧୨ଟି ପୋଖରୀର ପଙ୍କ ଉଦ୍ଧାର ଓ ସୌନ୍ଦର୍ଯ୍ୟ କରଣ ପାଇଁ ପ୍ରାୟ ୯ କୋଟି ଟଙ୍କା ବ୍ୟୟ ବରାଦ କରାଯିବ ବୋଲି ବିଜ୍ଞପ୍ତି ଜାରି କରାଗଲା l ପୋଖରୀ ଗୁଡିକୁ ସଂକୁଚିତ ନକରି ସମସ୍ତ ପଙ୍କ ମାଟି ବାହାରକୁ ନିଷ୍କାସନ ହେବ ବୋଲି ଅନେକ ଥର ବୈଠକ ହୋଇ ନିଷ୍ପତ୍ତି ନିଆଗଲା l ଏପରିକି ଗତ ସରକାରଙ୍କର ଦୁଇ ଜଣ ଅଧିକାରୀ ମୁନିସିପାଲିଟି ସଭା ଗୃହରେ ମଧ୍ୟ ଆଲୋଚନା ହୋଇଥିଲା l ଇତି ମଧ୍ୟରେ ଛୋଟ ଛୋଟ ପୋଖରୀ ଗୁଡିକର କାର୍ଯ୍ୟ ଆରମ୍ଭ କରି ପଙ୍କ ମାଟି ଗୁଡିକୁ ପୋଖରୀ ହୁଡ଼ାର ଭିତରେ ଆଉଜାଇ ଦେଇ ପ୍ରାୟ ୩୦ ରୁ ୫୦ ଫୁଟ ସଂକୁଚିତ କରି ଦେଲେ l ଭାଗିରଥି ସାଗର, କୁଞ୍ଜକାନ୍ତ ପୋଖରୀ ଏବଂ ହୀରାସାଗର ପୋଖରୀ ଅଞ୍ଚଳର ବାସିନ୍ଦାଙ୍କ ସହିତ ଅନ୍ୟ ବୁଦ୍ଧିଜୀବୀ ମାନେ ଏହାର ବିରୋଧ କରିଥିଲେ l ଜନ ଅସନ୍ତୋଷ ଉପୁଜିବାରୁ ପୌରାଧ୍ୟକ୍ଷା, ନିର୍ବାହୀ ଅଧିକାରୀ ଏପରିକି ଜିଲ୍ଲାପାଳ ମଧ୍ୟ ପରିଦର୍ଶନ କରି କହିଲେ ଯେ ପୋଖରୀ ଗୁଡିକର ସୁରକ୍ଷା ଦୃଷ୍ଟିରୁ ସମସ୍ତ ପଙ୍କ ମାଟି ବାହାରକୁ ନିଷ୍କାସନ ହେବ l ମାତ୍ର ପୌର ଯନ୍ତ୍ରୀ କାହା ପ୍ରରୋଚନାରେ ଏହି ପଙ୍କ ମାଟି ନିଷ୍କାସନ ନକରି ଏହି ଐତିହାସିକ ପୋଖରୀ ଗୁଡିକୁ ପ୍ରାୟ ୫୦ ଫୁଟ ସଂକୁଚିତ କରିଛନ୍ତି, ତାହା ଢେଙ୍କାନାଳବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଏହି ବୈଠକରେ ମୁନିସିପାଲିଟିର ବିଭିନ୍ନ ଅଞ୍ଚଳରୁ ଉପସ୍ଥିତ ବୁଦ୍ଧିଜୀବୀ ମାନଙ୍କ ସହମତିରେ ଏକ ସମନ୍ୱୟ କମିଟି ଗଠନ କରାଗଲା l କୋଟି କୋଟି ଟଙ୍କା ବ୍ୟୟ ହୋଇଥିଲେ ମଧ୍ୟ ପଙ୍କ ମାଟି କାହିଁକି ବାହାରକୁ ନିଷ୍କାସନ ହେଲାନାହିଁ? ଏତେ ଟଙ୍କା ଗଲା କୁଆଡେ? ସମନ୍ୱୟ କମିଟି ପକ୍ଷରୁ ଆଜିର ବୈଠକରେ ନିଷ୍ପତ୍ତି ନିଆଗଲା ଯେ ଏହି ପୋଖରୀ କାର୍ଯ୍ୟର ତଦନ୍ତ କରିବାପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରିବା, ଏହାର ବିଲ୍ ବନ୍ଦ କରିବା ପାଇଁ ଆସନ୍ତା ଜୁଲାଇ ୧ ତାରିଖରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବ l ଯଦି ୭ ଦିନ ମଧ୍ୟରେ ଏହା କରlନଯାଏ ଜିଲ୍ଲାର ଐତିହ୍ୟକୁ ରକ୍ଷା କରିବା ଓ ଜିଲ୍ଲାରେ ଦୁର୍ନୀତି ଭ୍ରଷ୍ଟାଚାର ବନ୍ଦ କରିବାପାଇଁ ଆସନ୍ତା ଜୁଲାଇ ୧୨ ତାରିଖରେ ଢେଙ୍କାନାଳ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି l ଏହି ବୈଠକରେ କମିଟିର ଉପଦେଷ୍ଟା ଭରତ କୁମାର ଦାସ, ସମ୍ପାଦକ ରୁଦ୍ରାନ୍ତ ଦଳେଇ, ଭାଗିରଥି ସାଗର ସୁରକ୍ଷା ସମିତିର ସଭାପତି ପଙ୍କଜ ନାୟକ, ସମ୍ପାଦକ ଅଶୋକ ସ୍ୱାଇଁ, ଉପସଭାପତି ମନ୍ମଥ ରାଓ ଓ ଉଦୟନାଥ ବେହେରା, ବିକାଶ ସ୍ୱାଇଁ, ସୁବ୍ରତ ହୋତା, ଅବିନାଶ ସାହୁ, ପ୍ରଶାନ୍ତ ଜେନା, ଧିରେନ ପଟ୍ଟନାୟକ, ଆଲୋକ ରଥ, ଅଭିମନ୍ୟୁ ବେହେରା, ଗିରିଶ ରାଉତ, ରାଜେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.

5 × 4 =