ସନାତନ ଚେତନାର ପ୍ରଜ୍ଜ୍ଵଳିତ ବହ୍ନିଶିଖା, ହିନ୍ଦୁ ଧର୍ମୀୟ ଭାବନାର ସମୁଜ୍ଜ୍ବଳ ପ୍ରତୀକ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର, ତ୍ରେତୟା ଯୁଗର ଜନୈକ ରାଜକୁମାର କେବଳ ନୁହଁନ୍ତି, ସେ ସମଗ୍ର ମାନବ ଜାତିର ଉଚ୍ଚତମ ମାନବୀୟ ଚେତନାର କର୍ଣ୍ଣଧାର।ସତ୍ୟ, ଧର୍ମ, ନ୍ୟାୟ, କର୍ତ୍ତବ୍ଯ ପାଳନ, ଉଦାରତା ଓ ସହନଶୀଳତାର ଏକ ଯୁଗାନ୍ତକାରୀ ଅନୁକରଣୀୟ ନିଦର୍ଶନ। ମାନବଧର୍ମର ଧ୍ଵଜା ଧାରଣକାରୀ ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିବା ମନ୍ଦିର କେବଳ କାରୁକାର୍ଯ୍ୟ ପୂର୍ଣ୍ଣ ଗୋଟିଏ ମନ୍ଦିର ମାତ୍ର ନୁହେଁ, ସନାତନ ଚେତନା, ହିନ୍ଦୁ ସଂସ୍କୃତି ଓ ପରମ୍ପରାର ବୈଶିଷ୍ଟ୍ୟ ଉପରେ ଆସ୍ଥା ଓ ବିଶ୍ଵାସ ସ୍ଥାପନ କରୁଥିବା ପ୍ରତ୍ୟେକ ଉଦାରଚେତା, ଧର୍ମ ବିଶ୍ୱାସୀ ମଣିଷ ପାଇଁ ବିଶ୍ଵାସର ଏକ ଭବ୍ୟ ପ୍ରତିଫଳନ ।ନୈତିକ ଅବକ୍ଷୟର ଦ୍ୱାରଦେଶରେ ଉପନୀତ ମାନବ ସମାଜ ପାଇଁ ଧର୍ମୀୟ ଚେତନାର ପୁନଃ ଜାଗରଣ ଅନେକ ଗୁରୁତ୍ଵ ବହନ କରେ। ହିନ୍ଦୁ ଧର୍ମ ସମେତ ସାରା ବିଶ୍ଵରେ ପ୍ରଚାର ଓ ପ୍ରସାର ଲାଭ କରିଥିବା ସମସ୍ତ ଧର୍ମର ମାନବୀୟ ଦିଗ ଗୁଡିକର ପୁନଃ ଉଦ୍ଧାର ସମଗ୍ର ବିଶ୍ୱର ସ୍ଥିତି ଓ ସମୃଦ୍ଧି ପାଇଁ ଅପରିହାର୍ଯ୍ୟ।ଏହି ପରିପ୍ରେକ୍ଷୀରେ ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ଧର୍ମୀୟ ଭାବନା ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତିଗତ, ଏଥିରେ ଦ୍ୱିମତ ନାହଁ।କୌଣସି ନିର୍ଦ୍ଦିଷ୍ଟ ଧାର୍ମିକ ଚିନ୍ତନ କିମ୍ବା ପୃଷ୍ଠ ପୋଷକତା ପାଇଁ କେହି କାହାକୁ ପ୍ରଭାବିତ କରି ପାରିବେ ନାହିଁ ଯେ ପର୍ଯ୍ୟନ୍ତ ସେହି ବ୍ୟକ୍ତି ବିଶେଷଙ୍କ ଚେତନା ଜଗତରେ ସ୍ୱତଃପ୍ରବୃତ୍ତ ଭାବେ ଧର୍ମୀୟ ଭାବନା ଜାଗ୍ରତ ହୋଇନାହିଁ।ଏଇ ଭାବ ଜାଗ୍ରତ କରିବା ପାଇଁ, ଆଧ୍ୟାତ୍ମିକ ଚେତନାରେ ପରିପୁଷ୍ଟ ଏକ ସ୍ନିଗ୍ଧ, ଶାନ୍ତିମୟ ପରିବେଶର ଆବଶ୍ୟକତା ଅପରିହାର୍ଯ୍ୟ।ଏହି ଉଦ୍ଦେଶ୍ଯରେ ଧର୍ମୀୟ ଅନୁଷ୍ଠାନ, ପୂଜା, ପାର୍ବଣ ଆୟୋଜନର ପ୍ରାସଙ୍ଗିକତା ସ୍ଵୀକୃତି ଲାଭ କରିଛି।ଏ ବିଚାର ଧାରା ଆଜିର ନୁହେଁ। କାହିଁ କେଉଁ ଆଦିମ ଯୁଗରୁ ମାନବର ବୌଦ୍ଧିକ ଚେତନାର ବିକାଶ ପଥରେ ଧର୍ମୀୟ ଚିନ୍ତନର ପ୍ରଭାବ ପରିଲକ୍ଷିତ ହେଉଛି।ଧର୍ମ କେବେବି ଅନ୍ଧବିଶ୍ଵାସକୁ ଅନୁମୋଦନ ଦେଇନାହିଁ। ଅନ୍ଧବିଶ୍ଵାସ ଆଧ୍ୟାତ୍ମିକ ଚେତନାର ପରିପନ୍ଥୀ।ଧର୍ମ କେବେବି ଧର୍ମାନ୍ଧତା(fanaticism) କୁ ପ୍ରଶ୍ରୟ ଦିଏ ନାହିଁ।ଧର୍ମାନ୍ଧତା ଧର୍ମ ଭାବନାର ପରମ ଶତୃ।ବର୍ତମାନ ସମୟରେ ଆର୍ଥିକ ପ୍ରଗତି ଉପଲକ୍ଷେ ପ୍ରତିଯୋଗୀତା (rat race/horse race) କୁ ଅଗ୍ରାହ୍ୟ କରାଯାଇପାରିବ ନାହିଁ।ଏଇଠି ବୁଝି ବାକୁ ହେବ ଯେ ନିଜର ସ୍ଥିତି ପାଇଁ, ପାର୍ଥିବ ସମୃଦ୍ଧି (material prosperity) ପାଇଁ ଦୌଡ଼ୁ ଥିବା ପିଚ୍ଛିଳ ପଥରେ ଆଧ୍ୟାତ୍ମିକ ଚିନ୍ତନ ଏକ ବିରାଟ ପଥର ସଦୃଶ ଅନ୍ତରାୟ(speed braker) ନୁହେଁ, ବରଂ ଅଣନିଃଶ୍ବାସୀ ହୋଇ ଦୌଡୁଥିବା ମଣିଷଟି ପାଇଁ ରାସ୍ତା ଦୁଇ ପାର୍ଶ୍ୱରେ, ଆଶୀର୍ବାଦ ମୁଦ୍ରାରେ ଦୋହଲୁଥିବା ସୁଗନ୍ଧିତ, ଆକର୍ଷଣୀୟ ଫୁଲ ଗଛର ସମାହାର।ଧର୍ମ ଭାବନା ପ୍ରଗତିର ପ୍ରତିବନ୍ଧକ ନୁହେଁ,ସର୍ବାଙ୍ଗୀନ ପ୍ରଗତି ପାଇଁ ଏକ ମହାର୍ଘ ଆଶୀର୍ବାଦ। ଏଇ ଚିନ୍ତାଧାରାକୁ ଅନ୍ତଃସ୍ଥ କରିବା ପାଇଁ ଗଭୀର ଆତ୍ମ ଅନୁଶୀଳନ ଏବଂ ଅନୁଭବ ର ଆବଶ୍ୟକତା ରହିଛି।ଏହି ପରିପ୍ରେକ୍ଷୀରେ ଏତିକି କହିବା ପ୍ରାସଙ୍ଗିକ ମନେ ହୁଏ ଯେ ପୁଣ୍ଯ ଭୂମି ଅଯୋଧ୍ୟାରେ ପ୍ରତିଷ୍ଠିତ ଭବ୍ୟ ମନ୍ଦିରରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କର ପ୍ରତିମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା ଏକ ଯୁଗାନ୍ତକାରୀ ପଦକ୍ଷେପ।ଆସନ୍ତୁନା, ଏଇ ପ୍ରଶଂସନୀୟ ଚିନ୍ତନକୁ, ଏଇ ଭାବମୟ ପରିବଶକୁ ଆମେ ସ୍ଵାଗତ କରିବା, ହୃଦୟର ସ୍ପନ୍ଦନରେ ସ୍ପନ୍ଦିତ କରିବା, ବୈଦିକ ପରମ୍ପରାର ଝଙ୍କାରରେ ଝଙ୍କୃତ କରିବା, ଦୀର୍ଘ ବର୍ଷ ପ୍ରତୀକ୍ଷା ପରେ ଆସିଥିବା ଏହି ଆଧ୍ୟାତ୍ମ ବିପ୍ଳବର ବିପ୍ଳବୀ ସାଜିବା।ଉଦ୍ଦାତ୍ତ ସ୍ଵରରେ ଗାଇବା ଜୟ ଶ୍ରୀରାମ୍ । ନବୀନ ନନ୍ଦ, ପୂର୍ବତନ ବିଧାୟକ ଢ଼େଙ୍କାନାଳ