ଢେଙ୍କାନାଳ : ନୀଳଶୈଳ ,ବିଶ୍ଵ ଓଡ଼ିଆ ସମ୍ମିଳନୀ ଏବଂ ରାଜକିଶୋର ରାଜ ସ୍ମୃତି ସଂସଦର ଆହ୍ବାନ କ୍ରମେ ସାରା ଦେଶ ପାଳନ କରିଛି ସ୍ବାକ୍ଷର ସଂକଳ୍ପ ଦିବସ । ଏହି ଅବସରରେ ଢେଙ୍କାନାଳର ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ୱାଳଙ୍କ ମାର୍ଗଦର୍ଶନ ଓ ପ୍ରେରଣାରେ ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ଆବାହକତ୍ୱରେ ଓ ବଳିଷ୍ଠ ନେତୃତ୍ବରେ ପାଳନ ହୋଇଯାଇଛି ସ୍ବାକ୍ଷର ସଂକଳ୍ପ ଦିବସ -୨୦୨୩ । ଏଭଳି ଅଭିନବ କାର୍ଯ୍ୟକ୍ରମର ଲକ୍ଷ୍ୟ ,ଉଦ୍ଦେଶ୍ୟ ତଥା ଆଭିମୁଖ୍ୟ ସମ୍ପର୍କରେ ସ୍ଵୀୟ ଅଭିବ୍ୟକ୍ତିରେ ଡ଼ା.ମିଶ୍ର ଏହା ଯେ ଦେଶ ବିଦେଶରେ ଥିବା ପ୍ରତ୍ୟେକ ଓଡ଼ିଆ ଗୋଟିଏ ଦିନ ଆମ ନିଜର ମାତୃଭାଷା ଓଡ଼ିଆ ଲିପିରେ ନିଜେ ଦସ୍ତଖତ କରିବା ସହିତ ନିଜ ପିଲାମାନଙ୍କୁ ଓଡ଼ିଆ ଲିପିରେ ଦସ୍ତଖତ କରିବା ପାଇଁ ପ୍ରବର୍ତ୍ତାଇ ଓଡ଼ିଆ ଭାଷା ଆନ୍ଦୋଳନରେ ନିଜକୁ ସାମିଲ କରିବା ଆମ ସମସ୍ତ ଓଡ଼ିଆଙ୍କର ପରମ, ପବିତ୍ର କର୍ତ୍ତବ୍ୟ ବୋଲି ଦୃଢ଼ ଆହ୍ୱାନ ଜଣାଇ ଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର
ଛାତ୍ରୀ ଛାତ୍ର ,ସେମାନଙ୍କର ପିତା ମାତା, ଅଭିଭାବକା, ଅଭିଭାବକ ମଧ୍ୟ ଯୋଗଦାନ କରି ମାତୃଭୂମି ଓ ମାତୃଭାଷାର ଟେକ ରଖିବା ନିମନ୍ତେ ଶପଥ ନେବା ସହିତ ଓଡ଼ିଆ ଲିପିରେ ଦସ୍ତଖତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ଓ ସଫଳ ଅଂଶଗ୍ରହଣ କରିଥିଲେ। ପରିଶେଷରେ ବିଦ୍ୟାଳୟର ଅନ୍ତିମ ପର୍ଯ୍ୟାୟ ପ୍ରାର୍ଥନା ସଭାରେ ସଂସ୍କୃତି ବିଭାଗ ଦାୟିତ୍ୱରେ ଥିବା ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ରଙ୍କ ଓ ସଂସ୍କୃତ ଶିକ୍ଷକ ଦୀପ୍ତିଶ୍ କୁମାର ଶତପଥିଙ୍କ ମିଳିତ ମାର୍ଗଦର୍ଶନରେ ବିଦ୍ୟାଳୟର ପ୍ରାୟ ୬୦୦ ଛାତ୍ରୀ ଛାତ୍ର ସାମୁହିକ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ।