ଢ଼େଙ୍କାନାଳ : ମୋ ମାଟି ମୋ ଦେଶ,ମାଟିକୁ ନମନ, ବୀରଙ୍କୁ ବନ୍ଦନ ,ଭାରତ ମାଟିର ସହିଦ୍ ବୀର ଯବାନ ମାନଙ୍କ ଶ୍ରଦ୍ଧାଞ୍ଜଳି ଓ ସମ୍ମାନ ନିମନ୍ତେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଭାରତର ସହିଦ୍ ମାନଙ୍କ ଘରୁ ଏବଂ ବିଭିନ୍ନ ଅଞ୍ଚଳରୁ ମାଟି ସଂଗ୍ରହ କାର୍ଯ୍ୟକ୍ରମ କରାଯାଉଛି। ଏହି ପରିପ୍ରେକ୍ଷୀରେ ହିନ୍ଦୋଳ ବ୍ଳକ୍ ଅନ୍ତର୍ଗତ ନୂଆକୋଟ ଗ୍ରାମର ବୀର ସହିଦ୍ ଯବାନ ବୁଦ୍ଧଦେବ ଗୋଛାୟତ ଙ୍କ ଘରୁ ମାଟି ସଂଗ୍ରହ କରାଯାଇଥିଲା। ପ୍ରଥମେ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ସହଧର୍ମିଣୀ ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ତା ପରେ ପୂଜାର୍ଚ୍ଚନା ଓ ନାମ ସଂକୀର୍ତ୍ତନ କରି ଅମୃତ କଳସରେ ତାଙ୍କ ଘରର ମାଟି ତାଙ୍କ ସ୍ତ୍ରୀ ଙ୍କ ଠାରୁ ଗ୍ରହଣ କରାଗଲା। ଏହାପରେ ଡିହସାହି, କରାବିରା,ବନ୍ଧା ଭୂଇଁ, ନୂଆକୋଟ ଓ ବାଉଁଶ ପୋଖରୀ ସମେତ କଂସରା ଏବଂ କନ୍ତାମିଲା ପଞ୍ଚାୟତ ର ଗ୍ରାମ ଗୁଡିକରୁ ମାଟି ସଂଗ୍ରହ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ନେତୃତ୍ଵ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ନେଇଥିବା ବେଳେ ଗ୍ରାମର ମୁଖିଆ ଏବଂ ବିଭିନ୍ନ ବର୍ଗର ବ୍ୟକ୍ତି ମାନେ ଯୋଗଦେଇଥିଲେ। ପ୍ରତିଗ୍ରାମର ମହିଳାମାନେ ନିଜ ନିଜ ଘରୁ ବନ୍ଦାପନା କରି ଅମୃତ କଳସରେ ମାଟି ପ୍ରଦାନ କରିଥିଲେ।