ବ୍ୟକ୍ତିଗତ ସଚିବ ରାଜନେତାର ଭୂମିକା ନେଉଥିବା ବେଳେ ରାଜନେତାମାନେ ବ୍ୟକ୍ତିଗତ ସଚିବଙ୍କ ଭୂମିକା ନିଭେଇବା ଗଣତନ୍ତ୍ର ପାଇଁ ବିପଦ – କୃଷ୍ଣଚନ୍ଦ୍ର ପାତ୍ର
ଢେଙ୍କାନାଳ : ଓଡ଼ିଶା ଆଜି ଯେଉଁ ସମୟ ଦେଇ ଗତି କରୁଛି ତାହା ଚିନ୍ତାର ବିଷୟ । ବ୍ୟକ୍ତିଗତ ସଚିବ ରାଜନେତାଙ୍କ ଭୂମିକା ନେଉଥିବା ବେଳେ ରାଜନେତାମାନେ ବ୍ୟକ୍ତିଗତ ସଚିବଙ୍କ ଭୂମିକା ନେଉଛନ୍ତି । ଏହା ଗଣତନ୍ତ୍ର ପାଇଁ ବିପଦ ବୋଲି ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୂର୍ବତନ ବିଧାୟକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣଚନ୍ଦ୍ର ପାତ୍ର । ଶ୍ରୀ ପାତ୍ର କହିଛନ୍ତି ଯେ ଦୀର୍ଘ ୨୩ ବର୍ଷ ସରକାରର ଦାୟିତ୍ୱରେ ରହିବା ପରେ ଆଜି ମହିମା ଗୋସାଇଁଙ୍କ ପ୍ରତି ନିଦ ଭାଙ୍ଗୁଛି । ମୁଖ୍ୟମନ୍ତ୍ରୀଙ୍କର ପାଦ କେବେ ଯୋରନ୍ଦା ମାଟିରେ ପଡିନାହିଁ ଏବଂ ସଚିବ ଆସି ମିଛ କଥାର ଡିଣ୍ଡିମ ପିଟୁଛନ୍ତି । ବାହାର ରାଜ୍ୟରୁ ଅତିଥିମାନେ ଯେତେବେଳେ ଆମ ରାଜ୍ୟକୁ ଆସନ୍ତି ତାଙ୍କୁ ତାଳପତ୍ରର ପଙ୍ଖା ଉପହାର ଦିଆଯାଏ ବୋଲି ସଚିବ କହିଛନ୍ତି । ଏହି କଥାକୁ ଆମେ କେବେ ଟିଭି ଓ ଖବରକାଗଜରେ ଦେଖିନାହାନ୍ତି । ଏହି ସବୁ ଡାହା ମିଛର ପର୍ଦ୍ଦାଫାଶ ନିଶ୍ଚିତ ହେବ । କିଛି ଦିନ ପୂର୍ବରୁ ଦୁବାଇରେ ରହୁଥିବା ଓଡ଼ିଆ ମାନଙ୍କ ଆଗରେ ସଚିବ ଏହିଭଳି ମିଛ କହିଥିଲେ । ଆଜି ଏକ ବିରଳ ଦୃଶ୍ୟ ଦେଖିବାକୁ ପଡୁଛି, ଯୋରନ୍ଦା ଗସ୍ତ କାଳରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ କିମ୍ବା ସେହି ବିଭାଗର ସଚିବ ମାନଙ୍କର ଦେଖାନାହିଁ । ମହିମା ଗାଦିର ବିକାଶ ଯେ ୨୩ ବର୍ଷ ସରକାରରେ କରିପାରିଲେ ନାହିଁ ଏବଂ ୮ ମାସରେ କରିବାର ପ୍ରତିଶ୍ରୁତି ଦେଇ ଯେଉଁ ରାଜନୀତି ଆରମ୍ଭ କରିଛନ୍ତି ତାହା କେତେ ସଫଳ ହେବ ସମୟ କହିବ । ଢେଙ୍କାନାଳର ବିଧାୟକ ଯେଉଁଭଳି ଭାବେ ଆଜି ଅତିଥି ଚର୍ଚ୍ଚା କରିଛନ୍ତି, ସେ ତାଙ୍କର ବ୍ୟକ୍ତିଗତ ସଚିବଙ୍କୁ ଅତିଥି ଚର୍ଚ୍ଚା କରିବା ଭଳି ମନେହେଉଛି । ଯାହା ଏ ଢେଙ୍କାନାଳର ସ୍ୱାଭିମାନ ପ୍ରତି କୁଠାରଘାତ । ଜଣେ ବିଧାୟକ ଜଣେ ବ୍ୟକ୍ତିଗତ ସଚିବଙ୍କ ପାଇଁ କିଭଳି କାମ କରିପାରିବେ ? ଓଡ଼ିଶାରେ ମନ୍ତ୍ରୀ ମାନଙ୍କୁ ହେଲିକପ୍ଟର ସୁବିଧା ନାହିଁ ଅଥଚ ସେଠାରେ ବ୍ୟକ୍ତିଗତ ସଚିବଙ୍କ ପାଇଁ ହେଲିକପ୍ଟରର ସୁବିଧା ଅଛି । ଏହା ମନ୍ତ୍ରୀ ମାନଙ୍କ ପାଇଁ ଉପହାସ ନୁହେଁ କି ବୋଲି ପୂର୍ବତନ ବିଧାୟକ ପ୍ରଶ୍ନ କରିଛନ୍ତି । ମଂଚରେ ବ୍ୟକ୍ତିଗତ ସଚିବ ଭାଷଣ ଦେଉଥିବା ବେଳେ ମଂଚ ତଳେ ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ କରତାଳି ମାରୁଛନ୍ତି । ଏଥିରୁ ଓଡ଼ିଶା ଶଶିକଳା ସିଣ୍ଡ୍ରୋମ ଆଡକୁ ଗତି କରୁଥିବା ସ୍ପଷ୍ଟ ଜଣାପଡ଼ୁଛି ବୋଲି ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି । ଏହି ସମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ନରେଶ ମହାପାତ୍ର ଓ ଉପସଭାପତି ନବ କିଶୋର ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ ।