ନାଳ ଉପରେ ବାଉଁଶପୋଲ ନିର୍ମାଣ କଲେ ଚାଷୀ : ପୋଲ ନର୍ମାଣ ପାଇଁ ଗ୍ରାମବାସୀ ଙ୍କ ଦାବି !

ଢ଼େଙ୍କାନାଳ : ଭୁବନ ବ୍ଲକ ମହୁଲପାଳ ପଞ୍ଚାୟତ ନୀଳକଣ୍ଠପୁର ଗ୍ରାମର ପରିଚୟ କିଏ ବା ନଜାଣେ । ଏ ଗାଁ ଦେଶର ସର୍ବକନିଷ୍ଠ ସହୀଦ ବୀର ବାଜିରାଉତଙ୍କ ଗ୍ରାମ । ଯାହାଙ୍କର ଅବଦାନ ସ୍ୱାଧିନତା ଇତିହାସ ରେ ସ୍ୱର୍ଣାକ୍ଷରରେ ଲିପିବଦ୍ଧ । ତେବେ ବର୍ତ୍ତମାନ ସମୟରେ ଉକ୍ତ ଗ୍ରାମର ଚାଷୀମାନଙ୍କ ଯୋଗୁଁ ଭୁବନ, ଗଁଦିଆ, ଢେଙ୍କାନାଳ, ଯାଜପୁର ଆଦି ଅଞ୍ଚଳର ଲୋକମାନେ ସତେଜ ପନିପରିବା ପାଇ ପାରୁଛନ୍ତି । ଏହି ପନିପରିବା ଚାଷ ଏଠିକାର ଲୋକମାନଙ୍କର ମୁଖ୍ଯ ବେଉସା ।

ନିଳକଣ୍ଠପୁର ଗ୍ରାମରେ ୨୪୫ଟି ପରିବାରର ମୋଟ ୧୫୨୫ ଜଣ ଲୋକ ବସବାସ କରୁଛନ୍ତି। ଏମାନଙ୍କର ବୃତ୍ତି ନଦୀରୁ ମାଛ ଧରିବା ଓ ପନିପରିବା ଚାଷ କରିବା। ତେବେ ଗ୍ରାମର ଗୋଟିଏ ପଟରେ ଜନବସତି ଥିବାବେଳେ ଅନ୍ୟପଟରେ ଚାରିଶହ ଏକରରୁ ଉର୍ଦ୍ଧ ଚାଷଜମୀ। ମଝିରେ ପ୍ରତିବନ୍ଧକ ସାଜିଛି ରଙ୍ଗମାଟିଆ ନାଳ। ତେବେ ଏହି ପନିପରିବା ଚାଷପାଇଁ ପ୍ରତ୍ୟେକ ଦିନ ଚାଷୀମାନେ ନାଳରେ ଭେଳା ଓ ହାଣ୍ଡି ଧରି ଯିବାଆସିବା କରୁଥିବାରୁ ଅଧିକାଂଶ ସମୟରେ ଥଣ୍ଡାଜ୍ବରରେ ପଡୁଛନ୍ତି ।

ସେହିପରି ପୁରୁଷମାନେ ପନିପରିବା ବିକ୍ରିକରିବା ପାଇଁ ମାର୍କେଟ ଯାଉଥିବା ବେଳେ ନାଳ ସମସ୍ୟା ଯୋଗୁଁ ଅଧିକାଂଶ ସମୟରେ ମହିଳା ନିଜ ଚାଷଜମିକୁ ଯାଇନପାରିବାରୁ ଗଛରେ ଫସଲ ବୁଢା ହେଇଯାଉଛି। ସମୟେ ସମୟେ ଏମାନଙ୍କର ଭାତହାଣ୍ଡି ପାଲଟିଥିବା ଏହି ଚାଷଜମି ମଧ୍ୟ ନାଳ କାରଣରୁ ପଡିଆ ପଡୁଛି । ତେବେ ଗ୍ରାମବାସୀଙ୍କ ଦୈନିକ ରୋଜଗାରରେ ରଙ୍ଗମାଟିଆ ନାଳ ପ୍ରମୂଖ ସମସ୍ୟା ପାଲଟିଥିବାରୁ ଏହାର ସମାଧାନ ପାଇଁ ପ୍ରଶାସନ ଓ ରାଜନେତାଙ୍କ ନିକଟରେ ବହୁବାର ଗ୍ରାମବାସୀ ଦୁଃଖ ଜଣାଇ ଥିଲେ ସୁଦ୍ଧା କୌଣସି ସୁଫଳ ନ ପାଇବାରୁ ଚଳିତ ବର୍ଷ ନାଳ ଉପରେ ଏକ ବାଉଁଶପୋଲ ନିର୍ମାଣ କରି ନିଜର ସମସ୍ୟା ନିଜେ ଦୂର କରିବାରେ ସହାୟ ହୋଇପାରିଛନ୍ତି। କିନ୍ତୁ ବାଉଁଶପୋଲ ଚିରସ୍ଥାୟୀ ହୋଇନଥିବା କାରଣରୁ ଉକ୍ତ ସ୍ଥାନରେ ଏକ ସ୍ଥାୟୀ କଂକ୍ରିଟ ପୋଲ ନର୍ମାଣ ପାଇଁ ଗ୍ରାମବାସୀ ସରକାରଙ୍କ ନିକଟରେ ଦାବି କରିଛନ୍ତି।

Leave A Reply

Your email address will not be published.

fifteen − 11 =