ଢେଙ୍କାନାଳ : ଜିଲ୍ଲା ବନଖଣ୍ଡ ଅଧିନସ୍ଥ ଷଡଙ୍ଗୀ ରେଞ୍ଜ ମୁଗୁପଦା ନିକଟରେ ଗତକାଲି ବିଳମ୍ବିତ ରା୍ତ୍ରୀରେ ଏକ ବୋଲେରୋ ଗାଡିକୁ ଦନ୍ତାହାତୀ ଆକ୍ରମଣ କରିଥିବା ବେଳେ ଗାଡିରେ ଥିବା ୨ ଜଣ ହାତୀସ୍କ୍ୱାର୍ଡ ଆହତ ହୋଇଥିବା ବେଳେ ବୋଲୋରୋ ଓଡି ୦୪ ଡି ୧୮୯୬ ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ଜଣାପଡିଛି ।
ଦନ୍ତାହାତୀ ଅତର୍କିତ ଆକ୍ରମଣରେ ୨ ଜଣ ହାତୀସ୍କ୍ୱାର୍ଡ ଆହତ ହୋଇଥିବା ବେଳେ ଗାଡି ଡ୍ରାଇଭର ସମେତ ଅନ୍ୟ ସ୍କ୍ୱାର୍ଡମାନେ ଘଟଣା ସ୍ଥଳରୁ ଜୀବନ ବଂଚାଇ ପଳାଇଯାଇଥିବା ଜଣାପଡିଛି । କିଛି ଦିନ ତଳେ ମେଘା ସଂରକ୍ଷିତ ଜଙ୍ଗଲ ନିକଟରେ ଜଣେ ଅସ୍ଥାୟୀ ହାତୀସ୍କ୍ୱାର୍ଡ ଜଙ୍ଗଲୀହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ବେଳେ ମୃତ ପରିବାରକୁ ଅଦ୍ୟାବଧି ବନବିଭାଗ ପକ୍ଷରୁ କୌଣସି କ୍ଷତିପୂରଣ ନ ମିଳିବା ଦୁର୍ଭାଗ୍ୟ ଜନକ ।
ବନ ବିଭାଗ କର୍ମଚାରୀ ହାତୀସ୍କ୍ୱାର୍ଡ ମାନଙ୍କୁ ଦିନରାତି କାମରେ ଲଗାଉଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ କୌଣସି ଠୋସ ପଦକ୍ଷେପ ନେଉନଥିବା ଜଣାପଡିଛି । କିଛି ଦିନ ତଳେ ସଦର ରେଞ୍ଜର ଜନୈକ ହାତୀସ୍କ୍ୱାର୍ଡଙ୍କୁ ହାତୀ ଘଉଡାଇବା ପାଇଁ ଫରେଷ୍ଟର ବାଣ ଆଣିବା ପାଇଁ ପଠାଇଥିବା ବେଳେ ଫରେଷ୍ଟରଙ୍କ ସରକାରୀ ବାସ ଗୃହରେ ବାଣ ବିଷ୍ଫୋରଣ ଘଟି ହାତୀସ୍କାର୍ଡ ଗୁରୁତର ଆହତ ହୋଇଥିଲେ ।
ଜିଲ୍ଲାରେ ବନବିଭାଗ ପକ୍ଷରୁ ହାତୀସ୍କ୍ୱାର୍ଡ ମାନଙ୍କୁ ହାତୀ ଘଉଡାଇବା ଭଳି ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ସେଭଳି କୌଣସି ବ୍ୟବସ୍ଥା କରାଯାଇନଥିବା ଜଣାପଡିଛି । ଜିଲ୍ଲାରେ କାର୍ଯ୍ୟକରୁଥିବା ସ୍କ୍ୱାର୍ଡ ମାନଙ୍କୁ ବନବିଭାଗ ପକ୍ଷରୁ ଇପିଏଫ ଓ ଇଏସଆଇ ପ୍ରଦାନ କରାଯାଉନାହିଁ । ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ହାତୀସ୍କ୍ୱାର୍ଡ ମାନଙ୍କର ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ଠୋସ ପଦକ୍ଷେପ ନେବା ପାଇଁ ଦାବୀ କରିଥିବା ବେଳେ ଜିଲ୍ଲାରେ ଅଣଓଡିଆ ଡି.ଏଫ.ଓ କୁଆଡେ ଆଇନ ଅନୁସାରେ କାମ କରନ୍ତି ବୋଲି ଦାବି କରନ୍ତି ଓ ଯେତେକ ବେନିୟମ କାମ ତାଙ୍କ ସମୟରେ ହେଉଥିବା ସେ ପ୍ରକାଶ କରିଛନ୍ତି ।
ବନବିଭାଗର ଏହି ଅସ୍ଥାୟୀ ହାତୀ ଜଗୁଆଳି ମାନଙ୍କର ଡିଉଟିରେ ଥିବା ବେଳେ ମୃତ୍ୟୁ ହେଲେ ସ୍ଥାୟୀ କର୍ମଚାରୀ ଭଳି ସେମାନଙ୍କୁ ସୁବିଧା ସୁଯୋଗ ମଧ୍ୟ ସେହି ମିଳିବା ଉଚିତ ବୋଲି ଶ୍ରୀ ନନ୍ଦ ଦାବୀ କରିଛନ୍ତି ।