ଢେଙ୍କାନାଳ ଭାରତୀୟ ଜନ ସଞ୍ଚାର ସଂସ୍ଥାନ ( ଆଇ.ଆଇ.ଏମ.ସି.)ରେ ରାଜା ରାମ ମୋହନ ରାୟଙ୍କ ୨୫୦ତମ ଜୟନ୍ତୀ ପାଳିତ ମାନବବାଦ ଓ ବୌଦ୍ଧିକତାବାଦର ପ୍ରବକ୍ତା ଥିଲେ ରାମ ମୋହନ ରାୟ
ଢେଙ୍କାନାଳ :ଢେଙ୍କାନାଳ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି), ଢେଙ୍କାନାଳ ଓ କମ୍ୟୁନିକେଶନ ଟୁଡେ’ ପତ୍ରିକାର ମିଳିତ ଆନୁକୂଲ୍ୟରେ ରାଜା ରାମ ମୋହନ ରାୟଙ୍କ ୨୫୦ତମ ଜୟନ୍ତୀ ପାଳିତ ହୋଇଛି ।
ଏହି ଅବସରରେ ‘ରାଜା ରାମ ମୋହନ ରାୟ: ଭାରତରେ ନବଜାଗରଣର ଅଗ୍ରସୂରୀ’ ଶୀର୍ଷକ ଏକ ଇ-ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ଏହି ୱେବିନାରରେ ବକ୍ତାଭାବେ ଯୋଗଦେଇ ଶ୍ରୀ ଘୋଷ କହିଛନ୍ତି, ବୈଜ୍ଞାନିକ ଦୃଷ୍ଟିଭଙ୍ଗୀରେ ମାନବବାଦକୁ ପ୍ରତିଫଳିତ କରିବା ଦିଗରେ ରାମ ମୋହନ ରାୟଙ୍କ ଅବଦାନ ଅତୁଳନୀୟ । ସାମାଜିକ, ସାଂସ୍କୃତିକ ଦାୟିତ୍ୱବୋଧ ପାଳନ କରିବାରେ ତାଙ୍କ ନାମ ଇତିହାସର ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇଛି ।
ସମାଜରୁ ବିଭିନ୍ନ କୁସଂସ୍କାର ଉଚ୍ଛେଦ କରିବା ତଥା ଇଂରାଜୀ ଭାଷାରେ ଶିକ୍ଷାଦାନ କରିବା ଉପରେ ସେ ସବୁବେଳେ ଗୁରୁତ୍ୱ ଦେଉଥିଲେ ବୋଲି ସେ କହିଛନ୍ତି ।ରାଜା ରାମ ମୋହନ ରାୟ ତତ୍କାଳୀନ ସମାଜରେ ଥିବା କୁପ୍ରଥା, କୁସଂସ୍କାର ଆଦିର ଦୂରୀକରଣ ସହିତ ଆଧୁନିକ ଚିନ୍ତା ଓ ଚେତନା ଆଣିବାରେ ଅଗ୍ରସୂରୀର କାର୍ଯ୍ୟ କରିଥିଲେ । ସେଥିପାଇଁ ତାଙ୍କୁ ମାନବବାଦ ଓ ବୌଦ୍ଧିକତାବାଦର ପ୍ରବକ୍ତା କହିଲେ ଠିକ ହେବ ବୋଲିକହିଛନ୍ତି ବିଶିଷ୍ଟ ଲେଖକ ତଥା ଶିକ୍ଷାବିତ ସୁବୀର ଘୋଷ ।
ଅନ୍ୟତମ ବକ୍ତାଭାବେ ଯୋଗଦେଇ ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟ ହିନ୍ଦୀ ବିଭାଗୀୟ ମୁଖ୍ୟ ଜୟଶଙ୍କର ବାବୁ କହିଛନ୍ତି, ରାଜା ରାମ ମୋହନ ରାୟଙ୍କୁ ଆଧୁନିକ ଭାରତର ପ୍ରବର୍ତକ, ଭାରତୀୟ ନବଜାଗରଣର ପୁରୋଧା, ଭାରତୀୟ ସାମ୍ବାଦିକତାର ପିତାମହ ତଥା ବଙ୍ଗଳା ପ୍ରବନ୍ଧର ଜନକ କହିଲେ ଅତ୍ୟୁକ୍ତି ହେବନି । ସେ ଅନେକ ପତ୍ରପତ୍ରିକା ସହ ଯୋଡ଼ି ହୋଇ ସମାଜରୁ କୁସଂସ୍କାର ଦୂର କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ । ବିଶ୍ୱର ବିଭିନ୍ନ ଧର୍ମର ତୁଳନାତ୍ମକ ଅଧ୍ୟୟନ କରି ସେଥିମଧ୍ୟରୁ ଶ୍ରେଷ୍ଠତମ ସ୍ୱରୂପ ଆମ ସାମ୍ନାକୁ ଆଣିବାକୁ ଚେଷ୍ଟା କରିଥିଲେ । ଆଜି ମଧ୍ୟ ରହିଥିବା ଅନେକ ସାମାଜିକ ସମସ୍ୟାର ସମାଧାନ ପାଇଁ ରାଜା ରାମ ମୋହନ ରାୟଙ୍କ କାର୍ଯ୍ୟଧାରା ଓ ଦର୍ଶନ ପ୍ରାସଙ୍ଗିକ ବୋଲି ସେ ମତବ୍ୟକ୍ତ କରିଛନ୍ତି ।
ସେହିପରି ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗୀୟ ମୁଖ୍ୟ ଡ. ମୌସୁମୀ ଭଟ୍ଟାଚାର୍ଯ୍ୟ କହିଛନ୍ତି, ସ୍ୱାଧୀନତା ପୂର୍ବରୁ ସାମ୍ବାଦିକତା ଓ ସାହିତ୍ୟ କ୍ଷେତ୍ରରେ ରାମ ମୋହନ ରାୟଙ୍କ ବେଶ ଅବଦାନ ରହିଛି । ସାମାଜିକ ଶିକ୍ଷାକୁ ସେ ଯେପରି ଗୁରୁତ୍ୱ ଦେଉଥିଲେ ପ୍ରେସ ସ୍ୱାଧୀନତାକୁ ମଧ୍ୟ ସେପରି ଗୁରୁତ୍ୱ ଦେଉଥିଲେ । ବିଭିନ୍ନ ବିଷୟରେ ସେ ବ୍ରିଟିଶ ସରକାରଙ୍କୁ ସମାଲୋଚନା କରୁଥିଲେ । ଇଂରାଜୀକୁ ସେ ବ୍ୟାବହାରିକ ଭାଷା ଭାବେ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଉଥିଲେ ବୋଲି ସେ ପ୍ରକାଶ କରିଛନ୍ତି ।
କମ୍ୟୁନିକେଶନ ଟୁଡେ’ର ସମ୍ପାଦକ ପ୍ରଫେସର ସଞ୍ଜୀବ ଭନାୱତ ପ୍ରାରମ୍ଭିକ ସୂଚନା ଦେଇ କହିଛନ୍ତି, ରାଜା ରାମ ମୋହନ ରାୟ ଜଣେ ବ୍ୟକ୍ତି କି ସଂସ୍ଥା ନଥିଲେ, ବରଂ ଏକ ବିଚାର ଭାବରେ ସେ ଭାରତୀୟ ଇତିହାସରେ ଅମର ହୋଇ ରହିଛନ୍ତି ।
ଭାରତୀୟ ଜନ ସଂଚାର ସଂସ୍ଥାନ, ଢେଙ୍କାନାଳର ଆଂଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ରାଜା ରାମ ମୋହନ ରାୟ ଅତୀତକୁ ବର୍ଜନ କରିବା ପରିବର୍ତେ ନୂଆ ଭାବନା, ନୂଆ ଚିନ୍ତନ କରିଥିଲେ । ଅତୀତର ଉତମ କଥାଗୁଡ଼ିକୁ ସେ ଭଲ ଭାବେ ଉପସ୍ଥାପିତ କରିଥିଲେ । ପ୍ରାଥମିକ ପଦକ୍ଷେପ ସ୍ୱରୂପ ବ୍ରାହ୍ମ ସମାଜ ଗଠନ ହୋଇ ସକାରାତ୍ମକ ଭାବେ ଅନେକ ସାମାଜିକ ତଥା ସାଂସ୍କୃତିକ ପରିବର୍ତନ ହୋଇପାରିଥିଲା । କ୍ରମଶଃ ଏହି ପରିବର୍ତନ ମହାରାଷ୍ଟ୍ର ଓ ଦେଶର ଅନ୍ୟ ସ୍ଥାନରେ ସମ୍ଭବ ହୋଇଥିଲା ।
‘ରାଜା ରାମ ମୋହନ ରାୟ: ଭାରତରେ ନବଜାଗରଣର ଅଗ୍ରସୂରୀ’ ଶୀର୍ଷକ ପ୍ରବନ୍ଧ ପ୍ରତିଯୋଗିତାର ଇଂରାଜୀ ଭାଷାରେ ଅନନ୍ୟା ବେହେରା ଓ ଓଡ଼ିଆରେ ସମ୍ବିତ ବୈରୀଶାଲ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେହିପରି ସମାନ ବିଷୟରେ ଆଇଆଇଏମସି ଶିକ୍ଷାର୍ଥୀଙ୍କ ମଧ୍ୟରେ ହୋଇଥିବା ପ୍ରବନ୍ଧ ପ୍ରତିଯୋଗିତାରେ ଇଂରାଜୀରେ ରବୀନ୍ଦ୍ର ଯାଦବ ଓ ଓଡ଼ିଆରେ ଏ.ବି. ମୋଇନା ପ୍ରଥମ ହୋଇଥିଲେ । କାର୍ଯ୍ୟକ୍ରମରେ ଧନ୍ୟବାଦ ଦେଇଥିଲେ ସହକାରୀ ପ୍ରଫେସର ଭାବନା ଆଚାର୍ଯ୍ୟ ।