– ମିଥ୍ୟା ଖବରଠୁ ଦୂରେଇ ରଖିବ ଗଣମାଧ୍ୟମ ସାକ୍ଷରତା –
- ନୀତିଗତ ସାମ୍ବାଦିକତା ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱ
ଢେଙ୍କାନାଳ: ଆଇଆଇଏମସି ଢେଙ୍କାନାଳ ଆନୁକୂଲ୍ୟରେ ମଙ୍ଗଳବାର “ବର୍ତ୍ତମାନ ପରିପ୍ରେକ୍ଷୀରେ ସାମ୍ବାଦିକତା: ସଂଘର୍ଷ ଏବଂ ଆଗାମୀ ଆହ୍ୱାନ” ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ‘ଓଡ଼ିଶା ଟିଭି’ର ପରିଚାଳନା ନିର୍ଦ୍ଦେଶିକା ଜାଗି ମଙ୍ଗତ ପଣ୍ଡା ଯୋଗ ଦେଇ ‘ନୀତିଗତ ସାମ୍ବାଦିକତା’ ଉପରେ ଗୁରୁତ୍ୱ ଦେଇଛନ୍ତି । ସତ୍ୟ ଓ ନିରପେକ୍ଷତାକୁ ପ୍ରମୁଖ ଅସ୍ତ୍ର କରିବା ସହ ସାମ୍ବାଦିକମାନେ ଡିଜିଟାଲ ଯୁଗରେ ଭ୍ରାନ୍ତିଜନକ ତଥା ମିଥ୍ୟା ଖବରକୁ ଯାଞ୍ଚ କରିବା ଜରୁରୀ ବୋଲି କହିଛନ୍ତି ।
ବର୍ତ୍ତମାନ ପରିପ୍ରେକ୍ଷୀରେ ଡିଜିଟାଲ ସାମ୍ବାଦିକତା, କୃତ୍ତିମ ବୁଦ୍ଧିମତ୍ତା, ସିଟିଜେନ ଜର୍ଣ୍ଣାଲିଜିମ, ପଡକାଷ୍ଟ ଆଦି ନୂତନ ସାମ୍ବାଦିକତାର ଧାରା ବାବଦରେ ସେ ବିଦ୍ୟାର୍ଥୀଙ୍କୁ ବୁଝାଇଛନ୍ତି । ସରକାରୀ, କର୍ପୋରେଟ ଓ ବିଜ୍ଞାପନ ଭିତ୍ତିକ ଚାପରୁ ମୁକ୍ତ ହୋଇ ନୀତିଗତ ସାମ୍ବାଦିକତାକୁ ଗୁରୁତ୍ୱ ଦେବାକୁ ଉତ୍ସାହିତ କରିଛନ୍ତି । ତେବେ ଗଣମାଧ୍ୟମ ସାକ୍ଷରତା (ମିଡ଼ିଆ ଲିଟେରାସି) ଜରିଆରେ ମିଥ୍ୟା ଖବରଠୁ ଦୂରେଇ ରହିବା ସହ ଏହାର ସଠିକ ଯାଞ୍ଚ ସମ୍ଭବ ବୋଲି ସେ କାହିଛନ୍ତି । କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପ୍ରତିଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ ।ସାମ୍ବାଦିକତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ଏହି କର୍ମଶାଳା ବିଦ୍ୟାର୍ଥୀଙ୍କ ପାଇଁ ବେଶ୍ ଉପଯୋଗୀ ହେବ ବୋଲି ପ୍ରକାଶ କରିଛନ୍ତି । ପରେ ଓଡ଼ିଆ ଓ ଇଂରାଜୀ ସମ୍ବାଦିକତା ଏବଂ “କର୍ପୋରେଟ କମ୍ୟୁନିକେସନ ଏବଂ ବ୍ରାଣ୍ଡ ମ୍ୟାନେଜମେଣ୍ଟ” ବିଭାଗର ବିଦ୍ୟାର୍ଥୀମାନେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଏହି ପରିପ୍ରେକ୍ଷୀରେ ଆସିଷ୍ଟାଣ୍ଟ ପ୍ରଫେସର ଡ. ଚିରସ୍ରୋତା ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆସିଷ୍ଟାଣ୍ଟ ପ୍ରଫେସର ପାରସ ଯାଦବ, ଏକାଡେମୀକ ଆସୋସିଏଟ ହରେକୃଷ୍ଣ ପ୍ରଧାନ, ଏକାଡେମୀକ ସଂଯୋଜକ ଜିତେନ୍ଦ୍ର ପତି, ଲାଇବ୍ରେରୀ ଇନଚାର୍ଜ ଶୁଭଙ୍କରୀ ଦାସ ଏବଂ ଅନୁଷ୍ଠାନର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ଆସିଷ୍ଟାଣ୍ଟ ପ୍ରଫେସର ଡ. ବିରଞ୍ଚି ନାରାୟଣ ସେଠ ଧନ୍ୟବାଦ ଦେଇଥିଲେ ।