ମହାଜନନାୟକ–ମହାପୁରୁଷ ହଜରତ ମହମ୍ମଦ ସଲ୍ଲମ

ମହାଜନନାୟକ–ମହାପୁରୁଷ ହଜରତ ମହମ୍ମଦ ସଲ୍ଲମ

ମହତ କରମ କରେ ଯେ ମହାନ ହୁଅଇ ମହୀମଣ୍ଡଳେ ସ୍ୱର୍ଣ୍ଣାକ୍ଷରେ ଲେଖାହୁଏ ତା’ର ନା ପୂଜାପାଏ କାଳେ କାଳେ ॥

ଈଶ୍ବର ମଣିଷକୁ ଧରାପୃଷ୍ଠରେ ସର୍ବତ୍କୃଷ୍ଟ ପ୍ରାଣୀରୂପେ ଗଢିଛନ୍ତି । ମଣିଷ ଓ ପଶୁ ମଧ୍ୟରେ କେବଳ ଜ୍ଞାନର ମାତ୍ର ଫରକ ରହିଛି । ସମଗ୍ର ବିଶ୍ବ ମହାମାନବ ଜଗତଗୁରୁ ପୈଗମ୍ବର ହଜରତ ମହମ୍ମଦଙ୍କର ଏବେ ୧୫୦୦ ତମ ଜୟନ୍ତୀ ପାଳନ କରୁଛି । ସକଳ ଧର୍ମର ପବିତ୍ର ଧର୍ମପୁସ୍ତକରେ ମହମ୍ମଦଙ୍କ ଆବିର୍ଭାବର ଭବିଷ୍ୟତବାଣୀ ଉଲ୍ଲେଖ ରହିଛି । ସେ ସମଗ୍ର ବିଶ୍ୱ ପାଇଁ ଜଗତଗୁରୁ ଏବଂ କରୁଣାର ସାଗର ହୋଇ ଆସି ଥିଲେ । ସେ ଇସଲାମିକ କ୍ୟାଲେଣ୍ଡର ଅନୁଯାୟୀ ୧୨ ରବିଉଲ୍ ଅଓ୍ୱଲ ଓ ଇଂରାଜୀ ବର୍ଷ ୨୦ ଅପ୍ରେଲ ୫୭୦ ମସିହାରେ ଆରବ ଦେଶର ମକ୍କା ସହରରେ ଜନ୍ମ ଗ୍ରହଣ କରି ଥିଲେ । ତାଙ୍କ ବାପଙ୍କ ନାମ ଅବ୍ଦୁଲ୍ଲାଃ ଏବଂ ମାଁଙ୍କ ନାମ ଆମିନା ଥିଲା । ସେ ଜଣେ ସର୍ବଗୁଣ ସମ୍ପନ୍ନ ବ୍ୟକ୍ତିତ୍ବର ଅଧିକାରୀ ଥିଲେ । ସେ ଏକାଧାରରେ ଜଣେ ଧର୍ମପ୍ରାଣ ମହର୍ଷି, ଧର୍ମ ପ୍ରବର୍ତ୍ତକ, ସୁଦକ୍ଷ ଶାସକ, ବିଜ୍ଞ ବିଚାରପତି, ପ୍ରବୀଣ ରାଜନୀତିଜ୍ଞ, ଦକ୍ଷ ସେନାପତି ଏବଂ ଜଣେ ମହାନ ସମାଜ ସଂସ୍କାରକ ।

ଆମେରିକୀୟ ଜ୍ୟୋତିର୍ବିଜ୍ଞାନୀ, ଲେଖକ ତଥା ଶ୍ଵେତ ଜାତୀୟତାବାଦୀ ମାଇକେଲ ଏଚ. ହାର୍ଟ ତାଙ୍କ ବିଶ୍ବ ପ୍ରସିଦ୍ଧ ପୁସ୍ତକ “ଦି ୧୦୦-ଏ ରାଙ୍କିଙ୍ଗ ଅଫ୍ ଦି ମୋଷ୍ଟ ଇନଫ୍ଲୁଏନ୍ସିଆଲ୍ ପର୍ସନ ଇନ୍ ହିଷ୍ଟ୍ରି ”ରେ ସେ ଇତିହାସରେ ସବୁଠାରୁ ପ୍ରଭାବଶାଳୀ ୧୦୦ ବ୍ୟକ୍ତି ବିଶେଷଙ୍କ ତାଲିକାରେ ମହାମାନବ ଜଗତଗୁରୁ ପୈଗମ୍ବର ହଜରତ ମହମ୍ମଦଙ୍କୁ ସର୍ବଶ୍ରେଷ୍ଠ ବ୍ୟକ୍ତି ଭାବେ ଦର୍ଶାଇଛନ୍ତି । ମାଇକେଲ ଏଚ. ହାର୍ଟଙ୍କ ମତରେ ହଜରତ ମହମ୍ମଦଙ୍କ ନେତୃତ୍ବ ଆଧ୍ୟାତ୍ମିକ ଏବଂ ଅଲୌକିକକୁ ମିଶ୍ରଣ କରିଥିଲା । ଯାହା ତାଲିକାଭୁକ୍ତ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଏକ ଅନନ୍ୟ ମିଶ୍ରଣ ଥିଲା । ଏବଂ ଏହା ତାଙ୍କୁ ସର୍ବୋଚ୍ଚ ସଫଳତା ପ୍ରଦାନ କରିଥିଲା ।

ଭାରତୀୟ ବିଦ୍ବାନ ପ୍ରଫେସର କେ.ଏସ୍.ରାମକ୍ରିଷ୍ଣ ରାଓଙ୍କ ମତରେ “ ମହମ୍ମଦଙ୍କ ବ୍ୟକ୍ତିତ୍ବର ସମ୍ପୂର୍ଣ୍ଣ ସତ୍ୟତାକୁ ଜାଣିପାରିବା ଅତ୍ୟନ୍ତ କଷ୍ଟକର । ମୁଁ କେବଳ ତାର ଗୋଟିଏ ଝଲକ ପାଇପାରୁଛି । ମହମ୍ମଦ ହେଉଛନ୍ତି ଧର୍ମପ୍ରବର୍ତ୍ତକ, ମହମ୍ମଦ ହେଉଛନ୍ତି ବୀରପୁରୁଷ, ମହମ୍ମଦ ବ୍ୟବସାୟୀ, ମହମ୍ମଦ ରାଜନୀତିଜ୍ଞ, ମହମ୍ମଦ ହିଁ ବକ୍ତା, ମହମ୍ମଦ କ୍ରୀତଦାସଙ୍କର ସଂରକ୍ଷକ, ମହମ୍ମଦ ନାରୀଜାତିର ମୁକ୍ତିଦାତା, ମହମ୍ମଦ ନ୍ୟାୟାଧୀଶ, ମହମ୍ମଦ ହିଁ ସନ୍ଥ ।”

ରାଷ୍ଟ୍ର ପିତା ମହାତ୍ମା ଗାନ୍ଧୀ କୁହନ୍ତି ; “ମୁଁ ସେହି ବ୍ୟକ୍ତିଙ୍କ ଜୀବନଚରିତ୍ର ଜାଣିବା ପାଇଁ ଉତ୍ସୁକ ହେଲି ଯିଏ ଆଜି କୋଟି କୋଟି ଲୋକଙ୍କ ହୃଦୟରେ ନିଜର ଅଖଣ୍ଡ ପ୍ରଭାବ ବିସ୍ତାର କରିଛନ୍ତି…ପୂର୍ବାପେକ୍ଷା ମୋର ଅଧୂକ ହୃଦ୍‌ବୋଧ ହେଲା ଯେ ଏହା ତରବାରୀ ନଥିଲା ଯାହା ତତ୍କାଳୀନ ଜୀବନଧାରାରେ ଇସଲାମ ପାଇଁ ସ୍ଥାନ ନିରୂପଣ କରି ଥିଲା । ଏହା ଥିଲା ଈଶ୍ଵରଦୂତଙ୍କର ସରଳତା, ନିଜ ପ୍ରତି ନଗଣ୍ୟ ଭାବ, ବଚନ ପ୍ରତି ନିଷ୍ଠାପରତା, ମିତ୍ର ଓ ଅନୁଗତମାନଙ୍କ ପ୍ରତି ଗଭୀର ଅନୁରାଗ,ତାଙ୍କ ସାହସ ଓ ନିଭୀକତା ଏବଂ ଈଶ୍ବରଙ୍କ ପ୍ରତି ଓ ନିଜ ମିଶନ ପ୍ରତି ତାଙ୍କର ପୂର୍ଣ୍ଣ ବିଶ୍ଵାସ ।”

ଭାରତର କୋକିଳ କଣ୍ଠୀ, କବିୟିତ୍ରୀ, ନାରୀନେତ୍ରୀ, ବାଗ୍ମୀ ତଥା ଦେଶର ପ୍ରଥମ ମହିଳା ରାଜ୍ୟପାଳ ସରୋଜିନୀ ନାଇଡ଼ୁ ଇସଲାମ ବିଷୟରେ ତଥା ମହମ୍ମଦଙ୍କ ପ୍ରଭାବଶାଳୀ ଆଦର୍ଶ ବିଷୟରେ କୁହନ୍ତି; “ଏହା ପ୍ରଥମ ଧର୍ମ ଥିଲା ଯାହା ଗଣତନ୍ତ୍ରର ପ୍ରଚାର ଏବଂ ଅଭ୍ୟାସ କରିଥିଲା । କାରଣ ମସଜିଦରେ ଯେତେବେଳେ ପ୍ରାର୍ଥନା କରାଯାଇଥାଏ । ଏବଂ ଉପାସକମାନେ ଏକାଠି ହୁଅନ୍ତି, ସେତେବେଳେ ଦିନକୁ ପାଞ୍ଚ ବେଳା ପ୍ରଜା ଓ ରାଜା ଆଣ୍ଠୁମାଡ଼ି ଉଚ୍ଚସ୍ବରରେ ଏକେଶ୍ବରବାଦର ମହାନତା ଗାନ କରନ୍ତି । ମୁଁ ବାରମ୍ବାର ଇସଲାମର ଏହି ଅବିଭାଜ୍ୟ ଏକତା ଦ୍ୱାରା ଆନ୍ଦୋଳିତ ହୋଇଛି । ଯାହା ମଣିଷକୁ ସହଜାତ ଭାବରେ ଭାଇଭାଇ କରିଥାଏ ।”

ଭାରତୀୟ ଐତିହାସିକ ଏମ.ଏନ.ରାୟ କୁହନ୍ତି; ପ୍ରତ୍ୟେକ ଈଶ୍ଵରଦୂତ ନିଜର ଯଥାର୍ଥ ଦାବୀକୁ ସିଦ୍ଧ କରିବା ପାଇଁ ଚମତ୍କାରିତା ପ୍ରଦର୍ଶନ କରନ୍ତି । ସେ ଦୃଷ୍ଟିରୁ ମହମ୍ମଦ ଯେତେଦୂର ସମ୍ଭବ ତାଙ୍କ ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଈଶ୍ଵରଦୂତମାନଙ୍କ ମଧ୍ୟରେ ସବୁଠାରୁ ମହାନ ରୂପେ ମାନ୍ୟତା ପାଇବା ଉଚିତ୍ । ଇସଲାମର ପ୍ରସାର ହିଁ ସବୁ ଚମତ୍କାରଗୁଡ଼ିକ ଅପେକ୍ଷା ବଡ଼ ଚମତ୍କାର । ବିଦେଶୀ ଐତିହାସିକ ସର ଉଇଲିୟମ ମୁର କୁହନ୍ତି; ତାଙ୍କର ସମସ୍ତ ଆଚରଣଗୁଡ଼ିକ ଯଥାର୍ଥ ଓ ନ୍ୟାୟସଙ୍ଗତ ଥିଲା ଏବଂ ବୟସ ବଢିବା ସହିତ ତାଙ୍କର ସମ୍ମାନିତ ବ୍ୟକ୍ତିତ୍ବ ତାଙ୍କ ପାଇଁ ‘ଅଲ-ଅମିନ୍’ ଅର୍ଥାତ୍‘ବିଶ୍ଵସନୀୟ’ ଉପାଧି ଅର୍ଜନ କରିଥିଲେ । ବିଦେଶୀ ସମାଜବାଦୀ, ଥୁଓସୋଫିଷ୍ଟ, ମହିଳା ଅଧୁକାର ଓ ଗୃହ ନିୟମ କର୍ମୀ, ଶିକ୍ଷାବିତ ତଥା ଭାରତୀୟ ଜାତୀୟତାବାଦର ପ୍ରଚାରକ ଆନି ବେସାନ୍ତ ମହମ୍ମଦଙ୍କ ବିଷୟରେ କୁହନ୍ତି; “ଯିଏ ସେହି ମହାନ ଆରବୀୟ ଈଶ୍ଵରଦୂତଙ୍କ ଜୀବନୀ ଓ ଚରିତ୍ରର ଅଧ୍ୟୟନ କରିଛି, ଯିଏ ଏହା ଜାଣିଛି ଯେ ସେ କିଭଳି ଶିକ୍ଷା ଦେଇଛନ୍ତି ଏବଂ କିଭଳି ଜୀବନଯାପନ କରିଛନ୍ତି ତା’ ମନରେ ସେହି ସର୍ବଶକ୍ତିମାନ ସର୍ବୋଚ୍ଚ କର୍ତ୍ତାଙ୍କର ଜଣେ ମହାନ ଈଶ୍ଵରଦୂତଙ୍କ ପ୍ରତି ଭକ୍ତିଭାବ ବ୍ୟତୀତ ଅନ୍ୟ କୌଣସି ଭାବନା ସୃଷ୍ଟି ହେବା ଅସମ୍ଭବ ।”

ଅମତୁସ ଶାଫି , କେରଙ୍ଗ-ଖୋର୍ଦ୍ଧା

Leave A Reply

Your email address will not be published.

16 + 10 =