ଆଜିବି ମନେ ପଡ଼ନ୍ତି ଶହୀଦ୍ ଅମିୟ ରଞ୍ଜନ ସାହୁ (କୁନା) : ଦେଶମାଟିର ଅମର ସନ୍ତାନ

ଶହୀଦୋଁ କି ଚିତାଓଁ ପର ଲଗେଙ୍ଗେ ହର୍ ବରସ୍ ମେଲେ,
ୱତନ୍ ପର୍ ମରନେ ୱାଲୋଁ କା ୟହି ବାକି ନିଶାଁ ହୋଗା।

ପ୍ରିୟ ପାଠକ ବୃନ୍ଦ ! ଯେଉଁ ମାଟିରେ ମଣିଷ ଜନ୍ମ ନେଉଛି, ସେହି ମାଟି ପାଇଁ ଜୀବନ ଦାନ କରିବା ସମସ୍ତ ତ୍ୟାଗରୁ ଶ୍ରେଷ୍ଠ। ଏହାର ପ୍ରମାଣ ହେଲେ ଢେଙ୍କାନାଳର ଶହୀଦ୍ ଅମିୟ ରଞ୍ଜନ ସାହୁ (କୁନା), ଯିଏ ଜୀବନକୁ ଦେଶ ପ୍ରତି ସମର୍ପିତ କରି, ଆମ ପାଇଁ ଅମର ପ୍ରେରଣା ତିଆରି କରିଛନ୍ତି।

୨୫ ଅଗଷ୍ଟ ୧୯୭୨ରେ ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ାରେ ସଚ୍ଚିଦାନନ୍ଦ ସାହୁ ଓ ଗୋଲାପ ସାହୁଙ୍କ ଘରେ ଜନ୍ମ ନେଲେ ଅମିୟ। ସେ ଶୈଶବରୁ ତାଙ୍କର ହୃଦୟ ଦେଶଭକ୍ତି, ସତ୍ୟନିଷ୍ଠା, ପରୋପକାର ଓ ସାହସର ମୂଳ୍ୟବୋଧରେ ନିମ୍ର ହେଉଥିଲେ। ଗାଁର ସରଳ ପରିବେଶ, ପ୍ରକୃତିର ସାନିଧ୍ୟ ଓ ପରିବାରର ପ୍ରେମ ତାଙ୍କୁ ଦୃଢ଼, ସଂଘର୍ଷକାରୀ ଓ ସାହସୀ କରିଥିଲା।

ଯୌବନାବସ୍ଥାରେ ତାଙ୍କର ହୃଦୟରେ ଜାଗିଥିଲା ଦେଶସେବାର ସ୍ବପ୍ନ। ସେ ଚାହାଁଥିଲେ ନିଜ ଜୀବନକୁ ଦେଶ ପାଇଁ ଦାନ କରିବାକୁ। ୨୪ ଏପ୍ରିଲ୍ ୧୯୯୩ରେ ସେ ଭାରତୀୟ ସେନାର “ବେଙ୍ଗାଲୋର ପାରାଚ୍ୟୁଟ୍ ରେଜିମେଣ୍ଟ”ରେ ଯୋଗଦାନ କଲେ। ପାରାଚ୍ୟୁଟ୍ ରେଜିମେଣ୍ଟ ଭାରତୀୟ ସେନାର ସାହସ, ସାମର୍ଥ୍ୟ, ଦୃଢ଼ ସଂଘର୍ଷକାରୀ ଦୃଷ୍ଟିକୋଣର ପରିଚୟ। ଏହି ରେଜିମେଣ୍ଟରେ ସଦସ୍ୟ ହେବାର ଅର୍ଥ ମୃତ୍ୟୁକୁ ଆଖିରେ ଆଖି ଦେଇ ସାମ୍ନା କରିବାକୁ ସର୍ବଦା ପ୍ରସ୍ତୁତ ରହିବା।
ପ୍ରଶିକ୍ଷଣରେ ସେ ନିଜକୁ ପ୍ରମାଣ କଲେ। ବେଙ୍ଗାଲୋରରେ ପ୍ରାଥମିକ ପ୍ରଶିକ୍ଷଣ, ପରେ ଆଗ୍ରାରେ ପ୍ୟାରା-ଟ୍ରେନିଂ, ସବୁରେ ସେ ସ୍ୱୟଂ ଦୃଢ଼, ସଂଘର୍ଷକାରୀ ଓ ସାହସୀ ପ୍ରତିଭା ପ୍ରଦର୍ଶନ କଲେ। ପରେ “ପ୍ୟାରା ସ୍ପେସିଆଲ୍ ଫୋର୍ସ”ରେ ନିଜ ସାହସ ଦେଖାଇ, ଆତଙ୍କବାଦୀ ବିରୋଧୀ କାର୍ଯ୍ୟ, ବନ୍ଦୀମୁକ୍ତି ଅଭିଯାନ ଓ ଗୁପ୍ତ କାର୍ଯ୍ୟରେ ଦେଶକୁ ନିଜ ଯୋଗଦାନ ଦେଲେ।

କିନ୍ତୁ, ଦେଶପ୍ରେମର ପଥ ଏତେ ସରଳ ନୁହେଁ। ୧୩ ମଇ ୨୦୦୩ରେ ଜାମ୍ମୁ-କାଶ୍ମୀର, ପୁଁଛ୍ ଜିଲ୍ଲା, ରୋଜୌରି ସେକ୍ଟରରେ ଆତଙ୍କବାଦୀମାନଙ୍କ ସହିତ ମୁଠଭିଡରେ ସେ ଦେଶପାଇଁ ନିଜର ସର୍ବସ୍ବ ବଳିଦାନ ଦେଲେ। ସେହି ସମୟର ସାହସ, ଦୃଢ଼ତା ଓ ନିଷ୍ଠା ଆଜିଭଳି ଦେଶ ପ୍ରତି ତାଙ୍କର ଅମର ସମର୍ପଣର ଦୃଷ୍ଟାନ୍ତ।

ତାଙ୍କର ସ୍ତ୍ରୀ, ସରିତା କହିଥିଲେ :
“ହେ ମହାନ ବୀର, ମହାନ ତୁମେ ହେ। ମହାନ ତୁମର କର୍ତ୍ତବ୍ୟ ନିଷ୍ଠା – ଦେଇଥିଲ ଶାନ୍ତି, ଦେଇଥିଲ ମୁକ୍ତି ଚାଲିବା ପାଇଁ ମୋ ଜୀବନ ଯାତ୍ରା।”
ଅମିୟଙ୍କର ଭାଇ ଜଣେ ଜଣାଶୁଣା କବି ଓ ଶିକ୍ଷକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ, ସେ କହିଥିଲେ :
“ମୋ ଶହୀଦ୍ ଭାଇ, ତୁମର ଅମର ବୀରତା ଆମକୁ ସଂଘର୍ଷରେ ସାହସ ଦେଇଥାଏ, ତୁମର ନିଷ୍ଠା ଆମକୁ ଜୀବନର ସତ୍ୟ ପଥ ଦେଖାଇଥାଏ।” ବୀର ଜବାନ ତୁଝେ ସଲାମ”

ଅମିୟଙ୍କର ଜୀବନ ଆମକୁ ଶିଖାଏ, ଯେ ଦେଶ ପ୍ରତି ସମର୍ପିତ ହେବାର ମୂଲ୍ୟ କିପରି ଅମର ହୋଇପାରେ। ତାଙ୍କର ବଳିଦାନର ସ୍ମୃତି ଆମ ପାଇଁ ସଦା ପ୍ରେରଣା। ତାଙ୍କ ନାମ ଢେଙ୍କାନାଳ ନୁହେଁ, ସମଗ୍ର ଓଡ଼ିଶା ଓ ଭାରତର ପ୍ରତ୍ୟେକ କୋଣରେ ସ୍ମରଣୀୟ ହେବ।
“ଶହୀଦ୍ ଅମିୟ ରଞ୍ଜନ ସାହୁଙ୍କୁ ତାଙ୍କ ୫୩ତମ ଜନ୍ମ ଜୟନ୍ତୀ ଅବସରରେ ଅନ୍ତର୍ଦେହରୁ ଶ୍ରଦ୍ଧାଞ୍ଜଳି। 💐💐
ଜାତି ଇତିହାସ ଜାତିର ନିର୍ଝର
     ତହୁଁ ବହେ ସଦା ଜାତି ପ୍ରାଣଧାର,
ସେ ଧାରାରୁ ନୀର ପିଉଛି ଯେ ନର
     ନିଶ୍ଚୟ ହେବ ସେ ଜାତି କର୍ମବୀର ।

ଅନସାର ଅଲୀ ଖାଁ, ଗୁଣ୍ଡିଚାପଡ଼ା
ଢେଙ୍କାନାଳ

Leave A Reply

Your email address will not be published.

five × two =