ଢେଙ୍କାନାଳ : ୯-୧୦ ଅଗଷ୍ଟ ୨୦୨୫ ରେ ପଙ୍କାଳ (ତିଗିରିଆ) ଠାରେ ଆୟୋଜିତ ମଜଲିସ ଖୁଦ୍ଦାମୁଲ ଅହମଦିୟା ଓ ଅତଫାଲୁଲ ଅହମଦିୟା (ଯୁବ ଓ ବାଳକ ସଂଗଠନ) ଜିଲ୍ଲା କଟକ, ଢେଙ୍କାନାଳ ଓ କେନ୍ଦ୍ରାପଡ଼ାର ୬ତମ ବାର୍ଷିକ ଜିଲ୍ଲା ସ୍ତରୀୟ ଇଜତେମାରେ ଅଂଶଗ୍ରହଣ କରିଥିବା ଜମାଅତ ଅହମଦିୟା ଗୁଣ୍ଡିଚାପଡ଼ାର ଯୁବକ ଓ ବାଳକମାନଙ୍କୁ ସମ୍ମାନ ଜଣାଇବା ପାଇଁ, ମସଜିଦ ତୌହିଦ ଠାରେ ଗୋଟିଏ ଶୁଭେଚ୍ଛା ସମାରୋହ ଆୟୋଜିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ଅହମଦିୟା ମୁସଲିମ ସମ୍ପ୍ରଦାୟ ଗୁଣ୍ଡିଚାପଡ଼ାର ସଭାପତି ସୁଲେମାନ ଅଲୀ ଖାଁ। ସେ ଯୁବମାନଙ୍କୁ ଉଦ୍ଦେଶ୍ୟ କରି କହିଲେ – “ଆପଣମାନେ ଅହମଦିୟା ମୁସଲିମ ସମୁଦାୟର ତଥା ସମାଜର ଦୃଢ଼ ଆଧାର। ସେବା, ଶିଷ୍ଟାଚାର ଓ ସମର୍ପଣରେ ଆଗୁଆନ ହେବା ହିଁ ଯୁବଜୀବନର ସତ୍ୟ ସଫଳତା।” ପ୍ରମୁଖ ଉପସ୍ଥିତିରେ ଥିଲେ ମୌଲବୀ ମୁଜାଫର ଖାଁ (ଇମାମ, ଜାମେ ମସଜିଦ ଗୁଣ୍ଡିଚାପଡ଼ା) ଓ ମୌଲବୀ ଜଲାଲୁଦ୍ଦିନ ଖାଁ (ଇମାମ, ମସଜିଦ ତୌହିଦ ଗୁଣ୍ଡିଚାପଡ଼ା)। ସେମାନେ ଯୁବ ଓ ବାଳକମାନଙ୍କୁ ନୈତିକତା, ସମୟର ସଦୁପଯୋଗ ଓ ଧର୍ମୀୟ ଦାୟିତ୍ୱ ସମ୍ବନ୍ଧୀୟ ପ୍ରେରଣାଦାୟକ ପରାମର୍ଶ ଦେଲେ। କାର୍ଯ୍ୟକ୍ରମର ସୂତ୍ରସଞ୍ଚାଳନ କରିଥିଲେ ଅହମଦିୟା ଯୁବ ସଂଗଠନର ଅଧ୍ୟକ୍ଷ ଶେଖ୍ ଜହୀର, ଯାହାଙ୍କର ସୁଚିନ୍ତିତ ପରିଚାଳନାରେ ସମାରୋହ ସୁସଂଗଠିତ ଭାବରେ ସମ୍ପନ୍ନ ହୋଇଥିଲା। ଏହି ଅବସରରେ, ଇଜତେମାରେ ସାର୍ଥକ ଅଂଶଗ୍ରହଣ କରିଥିବା ପିଲାମାନଙ୍କୁ ସମ୍ମାନ ପତ୍ର ଓ ଶୁଭେଚ୍ଛା ସ୍ମୃତିଚିହ୍ନ ପ୍ରଦାନ କରାଗଲା, ଯାହା ସେମାନଙ୍କର ମନୋବଳକୁ ଆଉ ବଢ଼ାଇଦେଲା। ସମାରୋହର ଶେଷରେ ସମସ୍ତଙ୍କ ପାଇଁ ବିଶେଷ ପ୍ରାର୍ଥନା କରାଗଲା ଯେ, ଯୁବ ପିଢ଼ି ଆଲ୍ଲାହଙ୍କ ପଥରେ ଓ ମାନବତାର ସେବାରେ ସଦା ଅଗ୍ରଗାମୀ ହେଉ।