ପ୍ରକୃତି ସହ ଯୋଡ଼ି ହେବାକୁ ହେବ: ଡିଏଫଓ– ପ୍ରକୃତି ସଂରକ୍ଷଣ ନେଇ ଆଦିବାସୀ ଜନଜାତିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ଢେଙ୍କାନାଳ : ଆଦିବାସୀ ଜନଜାତି ପରିବେଶ ସହ ଅଧିକ ଜଡ଼ିତ ଥିବାରୁ ପ୍ରକୃତି ସଂରକ୍ଷଣ ନେଇ ସେମାନଙ୍କର ଅଧିକ ଜ୍ଞାନ ରହିଛି ଏବଂ ଜଙ୍ଗଲର ପକ୍ଷୀଙ୍କ ସ୍ୱରରେ ଅନୁପ୍ରାଣୀତ ହୋଇ ସେମାନେ ନୂଆ ନୂଆ ସଂଗୀତର ଧ୍ବନ ସବୁ ତିଆରି କରୁଛନ୍ତି | ମଞ୍ଜି ସଂଗ୍ରହ, ଆୟୁର୍ବେଦିକ ଔଷଧ ଆଦି ମିଳିବା ସେମାନଙ୍କ ଦ୍ୱାରା ସହଜ ହେଉଥିବା ବେଳେ ଆବଶ୍ୟକ ସ୍ଥଳେ ବନ କର୍ମଚାରୀଙ୍କ ଭଳି ଠେଙ୍ଗା ଧରି ସେମାନେ ଜଙ୍ଗଲ ସୁରକ୍ଷାରେ ସାମିଲ ହେଉଛନ୍ତି | ଗୁରୁବାର ଆଇଆଇଏମସିର ସ୍ପନ୍ଦନ ସଭାଗୃହରେ ଢେଙ୍କାନାଳ ଡିଏଫଓ ଆଇଏଫଏସ ସୁମିତ କର ‘ଭାରତର ପରିବେଶ ଓ ବନ୍ୟପ୍ରାଣୀଙ୍କ କାହାଣୀ’ ଶୀର୍ଷକରେ ଆଲୋଚନା କରିଥିଲେ |

ଏହି ଅବସରରେ ପ୍ରତିଷ୍ଠାନର ଓଡ଼ିଆ ଓ ଇଂରାଜୀ ସାମ୍ବାଦିକତା ଏବଂ ‘କର୍ପୋରେଟ କମ୍ୟୁନିକେସନ ଏବଂ ବ୍ରାଣ୍ଡ ମ୍ୟାନେଜମେଣ୍ଟ’ର ବିଦ୍ୟାର୍ଥୀଙ୍କ ଉଦ୍ଦେଶ୍ୟରେ ସେ ଏହି ବକ୍ତବ୍ୟ ରଖିଛନ୍ତି | ସେହିପରି ହାତୀ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଆଲାରାମ ଘଣ୍ଟି, ସମୂହ ସୂଚନା ବ୍ୟବସ୍ଥା, ସ୍ୱତନ୍ତ୍ର ପଥ, ରେଲୱେ ଅଣ୍ଡରପାସ ଆଦି ଭଳି ନାନା ବ୍ୟବସ୍ଥା ବିଭାଗ ଦ୍ୱାରା ହାତକୁ ନିଆଯାଉଥିବା ସେ ପ୍ରକାଶ କରିଛନ୍ତି | ଅପରପକ୍ଷେ ବିଶ୍ୱରେ ସବୁ ପ୍ରକାର ବିକାଶ ଯୁକ୍ତାତ୍ମକ ଗତିରେ ଆଗଉଥିବା ବେଳେ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ୠଣାତ୍ମକ ବେଗରେ ଚାଲିଛି | ଏଥିରେ ସୁଧାର ଆଣିବା ନେଇ ଆମକୁ ପୁଣିଥରେ ପ୍ରକୃତି ସହ ଯୋଡ଼ି ହେବାକୁ ହେବ ବୋଲି ସେ ମତ ରଖିଛନ୍ତି | ଅନୁରୂପ, ବିଗତ ଏକ ବର୍ଷ ମଧ୍ୟରେ ବିଶ୍ୱ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ୫ ପିପିଏମ ବୃଦ୍ଧି ପାଇଛି | ଅତ୍ୟାଧୁନିକ ବିକାଶ-ବିପକ୍ଷ ଯୁଦ୍ଧରେ ପ୍ରକୃତି, ବୃକ୍ଷ ଓ ଜଙ୍ଗଲ ହିଁ କ୍ଷତାକ୍ତ ହେବା ସହ ବିଶ୍ୱ ତାପ ବୃଦ୍ଧି ପାଇଛି | ପ୍ଲାଷ୍ଟିକ ଓ ଲାଇଲନ ଉତ୍ପାଦ ଦ୍ରବ୍ୟର ବ୍ୟବହାର ବଢିଛି, ଏପରିକି ଢେଙ୍କାନାଳ ଜିଲ୍ଲାରେ ହାତୀଙ୍କ ମଳରେ ମାଇକ୍ରୋ ପ୍ଲାଷ୍ଟିକର ନମୁନା ଥିବା ଏକ ଗବେଷଣାରୁ ଜଣାପଡ଼ିଛି | ଫଳରେ ପ୍ରକୃତି ସୁରକ୍ଷା ନେଇ ସମସ୍ତେ ଆଗେଇ ଆସନ୍ତୁ ବୋଲି ସେ ଆହ୍ୱାନ ଜଣାଇଛନ୍ତି |
କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଇଆଇଏମସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ | ବର୍ତ୍ତମାନ ସମୟରେ ବିଶ୍ୱ ତାପ ବୃଦ୍ଧି ଏବଂ ଅବାଂଛିତ ଜଳବାୟୁ ପରିବର୍ତ୍ତନ ପ୍ରମୁଖ ସମସ୍ୟା ସାଜିଛି | ଏପରି ସ୍ଥିତିରେ ଜଙ୍ଗଲ ସମ୍ପଦ ସଂରକ୍ଷଣ ତଥା ପରିବେଶ ସୁରକ୍ଷା ନିମନ୍ତେ ଏହି ସଚେତନତା କାର୍ଯ୍ୟକ୍ରମ ବେଶ ଉପାଦେୟ ହେବ ବୋଲି ସେ ପ୍ରକାଶ କରିଥିଲେ | ପ୍ରତିଷ୍ଠାନର ସମସ୍ତ ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ | ଇଂରାଜୀ ସାମ୍ବାଦିକତାର ଛାତ୍ରୀ ଆୟୁସୀ ସିଂ ଧନ୍ୟବାଦ ଦେଇଥିଲେ |