ଢେ଼ଙ୍କାନାଳ ସଦର : ଓଡ଼ିଶାରେ ଏକ ଲୋକାଭିମୁଖୀ ପ୍ରଗତିଶୀଳ ସରକାରଙ୍କର କାର୍ଯ୍ୟକାଳ ଗୋଟିଏ ବର୍ଷ ପୁରଣ ହୋଇଛି । ଦୀର୍ଘ ୪୨ ବର୍ଷ ବ୍ୟବଧାନ ପରେ ଶାସନଗତ ବ୍ୟବସ୍ଥାକୁ ସରଳ,ସୁଗମ କରିବା ପାଇଁ କିଛି ନୂତନ ବ୍ଲକ୍ ଗଠନ ହେବା ଘୋଷଣା କରାଯାଇଛି । ଦେଶ ସ୍ୱାଧନତାର ୭୮ ବର୍ଷ ପରେ ଢେଙ୍କାନାଳ ଜିଲ୍ଲାର ସର୍ବବୃହତ୍ ବ୍ଳକ ସଦର ବ୍ଲକକୁ ଛାଡ଼ି ଆଉ ଦୁଇଟି ନୂତନ ବ୍ଲକ ଗଠନ କରିବାକୁ ଆମର ବିଧାୟକ ତଥା ଓଡ଼ିଶା ସରକାରଙ୍କ ମାନ୍ୟବର ବରିଷ୍ଟ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଛଦେଶ ସାହିତ୍ୟ ସଂସଦ ବାର୍ଷିକ ଅଧିବେଶନରେ ଯୋଗଦାନ କରି ଛଦେଶ ବ୍ଳକ ଗଠନ ହେବା ନିଶ୍ଚିତ ବୋଲି ଘୋଷଣା କରିଛନ୍ତି । ପାମାଳ ଠାରୁ କୋଟବେରେଣୀ ୨୦ କିଲୋମିଟର ପରିବ୍ୟାପ୍ତି ଅଞ୍ଚଳ ଯାହାର ଭୋଟର ସଂଖ୍ୟା ୧ ଲକ୍ଷ ୨୦ ହଜାରରୁ ଅଧିକ ରହି ୧୪ଟି ପଞ୍ଚାୟତ ରହିଛି । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳର ନେତା,ସାଧାରଣ ଜନତା ଦାବୀ,ଆପତ୍ତି ଅଭିଯୋଗ ଆଉ ଏକତ୍ରିତ ହୋଇ ଆନୁସଂଗିକ ସୁବିଧାକୁ ନେଇ ମୂଖ୍ୟମନ୍ତ୍ରୀ,ମୁଖ୍ୟଶାସନ,ପଞ୍ଚାୟତରରାଜ୍ୟ ସେକ୍ରେଟାରୀ ଇତ୍ୟାଦିଙ୍କୁ ଆମର ବିଧାୟକ ଏବଂ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବୀ ଜଣାଇଛନ୍ତି । ଦେଶ ସ୍ବାଧିନତା ହେବା ପରେ ପରେ ଶିକ୍ଷା,ସ୍ବାସ୍ଥ୍ୟ,ଗମନାଗମନ,ରାସ୍ତାଘାଟ,ଜଳଯୋଗାଣ,ବିଦ୍ୟୁତ୍ ସରବରାହ ସବୁଥିରେ ଛଦେଶବାସୀଙ୍କୁ ଅଣଦେଖା,ଅବହେଳା କରାଯାଇଛି । ସ୍ୱାଧିନତା ସଂଗ୍ରାମୀ ପ୍ରଜାମଣ୍ଡଳ ଆନ୍ଦୋଳନର ନେତା ବ୍ରଜକିଶୋର ଧଳଙ୍କ ଦେହାନ୍ତ ପରେ କାହାର ପାଟି ଫିଟିବା ଶୁଣାଯାଉନାହିଁ । ଢେଙ୍କାନାଳ ଜିଲ୍ଲାର ସର୍ବମାନ୍ୟ ନେତା ବ୍ରିଗେଡ଼ିଅର କାମାକ୍ଷା ପ୍ରସାଦ ସିଂହ ଦେଓଙ୍କର ପୁଅ ଓ ପୁତୁରା ଦୁଇଟି ଭିନ୍ନଭିନ୍ନ ରାଜନୈତିକ ଦଳର ଛଦେଶ ଜନସାଧାରଣଙ୍କର ନେତୃତ୍ବ ନେବାର ଦେଖାଯାଉଛି । ବିଜେପି ଓ ବିଜେଡ଼ି ସଂପୂର୍ଣ୍ଣ ଦୁଇଫାଳ ଯାହା ଜଳଜଳ ଦେଖାଯାଉଛି । ସ୍ବାର୍ଥ ଚିନ୍ତା ନକରି ସଂକୀର୍ଣ୍ଣ ରାଜନୈତିକ କାର୍ଯ୍ୟକ୍ରମ ଜନମାନସର ମଙ୍ଗଳର ପରିପନ୍ଥୀ ହେବାକୁ ଯାଉଛି । ସ୍ବାଧୀନତା ପରଠାରୁ ଅଦ୍ୟବଧି ବାହାରର ନେତୃତ୍ୱର ଗୋଡ଼ାଣିଆ ହୋଇ ଛଦେଶର ଜନସାଧାରଣଙ୍କୁ ସବୁ ହରାଇବାକୁ ପଡ଼ୁଛି । ଭାପୁରଠାରେ ଥିବା ଦାତବ୍ୟ ଚିକିତ୍ସାଳୟ ଉପରେ ଲକ୍ଷଲକ୍ଷ ଲୋକ ନିର୍ଭରଶୀଳ ତାର ଉନ୍ନତି କରଣ ହେଲାନାହିଁ । ଡ଼ାକ୍ତର କର୍ମଚାରୀ ଅଭାବରୁ ତାହା ପୁଣି ଜରାଜୀର୍ଣ୍ନ ଅବସ୍ଥାକୁ ଆସିଲାଣି । ଭାପୁର ଫାଣ୍ଡି ଥାନା ମଧ୍ୟ ହେଲା ନାହିଁ । ଅଗ୍ନିସେବା କେନ୍ଦ୍ର ହବହବ କହି ତାହା ମଧ୍ଯ ହେଲାନାହିଁ । ଢେଙ୍କାନାଳ ଠାରୁ ଭାପୁର ରାସ୍ତା ମାତ୍ର ଦେଢଫୁଟ ଓଷାର କରାଗଲା ଓ ହଜାର ସଂଖ୍ୟାରେ ଗଛ କାହା ସ୍ଵାର୍ଥ ପାଇଁ କଟାଗଲା । ଏ ସବୁର ନିରପେକ୍ଷ ତଦନ୍ତର ଆବଶ୍ୟକତା ଅଛି । ସାପୁଆ ନଦୀ ଛଦେଶର ଜୀବନ ଧାରା ଅଟେ । ଯାହା ତଣ୍ଡିଘାସରେ ପୂର୍ଣ୍ଣହୋଇ ସଂପୂର୍ଣ୍ଣ ଅନାଦୃତ ଭାବେ ରହିଛି । ପ୍ରତ୍ୟେକ ଗାଁ ଦାଣ୍ଡ ଅତ୍ୟନ୍ତ ବିପଦପୂର୍ଣ୍ଣ । ବହୁ ଗ୍ରାମରେ ସାଧାରଣଭାବେ କଲ୍ୟାଣ ମଣ୍ଡପ ଖଣ୍ଡେ ନାହିଁ । ଛାତ୍ରଛାତ୍ରୀ ଅଭାବ ଆଳ ଦେଖାଇ ବହୁ ପୁରାତନ ଭାପୁର ମଧ୍ୟଇଂରାଜୀ ବିଦ୍ୟାଳୟକୁ ସରକାର ବନ୍ଦ କରିଦେବା ଅତ୍ୟନ୍ତ ଦୁର୍ଭାଗ୍ୟର କଥା । ପୁରୁଣା କଟକ ସମ୍ବଲପୁର ରାସ୍ତାରେ ପ୍ରତିଦିନ ହଜାର ହଜାର ଗାଡ଼ି ଚାଲୁଅଛି । ବଡ଼କେରା ଠାରୁ ଚୌଦ୍ବାର ପର୍ଯ୍ୟନ୍ତ ପ୍ରତି ସେକେଣ୍ଡ ବିପଦପୂର୍ଣ୍ଣ । ତାହା ମଧ୍ୟ ଦୋହରି ହେଲାନାହିଁ । ଦେଶ ସ୍ବାଧୀନତା ପରଠାରୁ ଛଦେଶବାସୀ ପାଇଲେ କଣ ? ଛଦେଶ ସାହିତ୍ୟ ସଂସଦ ଏକ ମର୍ଯ୍ୟଦା ଜନକ ଅନୁଷ୍ଠାନ ଯେଉଁ ଥିରେ ବହୁ ବିଜ୍ଞ,ବୁଦ୍ଧିଜୀବି,ଶିକ୍ଷାବିତ୍,ସାହିତ୍ୟି,କବି,ସମାଜସେବୀ ଓ ପଣ୍ଡିତ ମାନଙ୍କୁ ନେଇ ଗଠିତ । ସଂସଦ ଗଠନର ୨୮ ବର୍ଷ ପୂର୍ଣ୍ଣ ହେବାକୁ ଯାଇଥିବା ବେଳେ,ଛଦେଶର ଗରୀବ ଜନସାଧାରଣଙ୍କ ପାଇଁ ସେଭଳି କିଛି ଆଖି ଦୃଷ୍ଟିଆ ଜନମଙ୍ଗଳ କାମ କରାଯାଇ ନଥିବା ଅତ୍ୟନ୍ତ ପରିତାପର ବିଷୟ ।ଛଦେଶ ବୀର ମାଟିରେ ଭାପୁର ଠାରୁ ଅନତି ଦୂରରେ ଥିବା ମଧୁସାହୁପାଟଣା ଗ୍ରାମ ପଞ୍ଚାୟତର ମୋଟରୀ ଗାଁ ପଡ଼ିଆରେ ମରହଟ୍ଟା ମାନଙ୍କ ସହିତ ହୋଇଥିବା ଯୁଦ୍ଧର ମର୍ମବାଣୀ ଢେଙ୍କାନାଳ ମାଟିର ସର୍ବମାନ୍ୟ କବି ବ୍ରଜନାଥ ବଡ଼ଜେନାଙ୍କ ସମର ତରଙ୍ଗ ତାର ମୁକସାକ୍ଷୀ ଓ ବୀରତାର ପରିଚୟ ।୧୯୩୮ ମସିହା ପ୍ରଜାମଣ୍ଡଳ ଆନ୍ଦୋଳନରେ ଛଦେଶ ବାସୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ।ଗତ ଏପ୍ରିଲ୍ ମାସରେ ଛଦେଶ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବରେ ଆମର ବିଧାୟକ ଓଡ଼ିଶା ସରକାରଙ୍କର ବରିଷ୍ଠ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଘୋଷଣା କଲେ ଯେ ଛଦେଶ ବ୍ଲକ ଗଠନ ଦାବୀ ଯଥାର୍ଥ ଏବଂ ନିଶ୍ଚିତ ଭାବେ ହେବ । ଦାତବ୍ୟ ଚିକିତ୍ସାଳୟ ଖୁବ୍ ଶିଘ୍ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରାଯିବ । ଫାଣ୍ଡିଟା ଥାନା ହୋଇ ସାରିଛି ଦିନ ନିର୍ଦ୍ଧାରଣ କରି ଉଦ୍ଘାଟନ ହେବ । ପୁରୁଣା କଟକ ସମ୍ବଲପୁର ରାସ୍ତା ୪ ଥାକିଆ ରାସ୍ତା ହେବା ପାଇଁ ଗଡ଼କରିଙ୍କ ସହିତ ଆଲୋଚନାରେ ନିଷ୍ପତ୍ତି ହୋଇସାରିଛି । ଛଦେଶ ବାସୀଙ୍କ ପାଇଁ ୧୦୦୦ ସିଟ୍ ବିଶିଷ୍ଟ ଏକ ଅତ୍ୟାଧୁନିକ ଅଡ଼ିଟୋରିମ୍ କରାଯିବ । ସାପୁଆ ନଦୀକୁ ସଫାକରି ପୂର୍ବପରି ଜଳ ଯୋଗାଣର ବ୍ୟବସ୍ଥା ମଧ୍ୟ ହେବ । ଆମ ସାଂସଦ ଶ୍ରୀ ରୁଦ୍ରନାରାୟଣ ପାଣି ମଧ୍ୟ ଅନୁରୂପ ଘୋଷଣା କରିଥିଲେ ।ସରକାର ଏକ ସମୃଦ୍ଧ,ପ୍ରଗତିଶୀଳ,ବିକଶିତ ଓଡ଼ିଶା ଗଠନ କରିବା ପାଇଁ ୨୦୩୬ ମସିହାକୁ ଧାର୍ଯ୍ୟକରି ଗାଁ ଗହଳିର ଉନ୍ନତି ପାଇଁ ବହୁବିଧ ଲୋକାଭିମୁଖୀ ଯୋଜନା ପରିକଳ୍ପନା କରୁଥିବାବେଳେ ଛଦେଶବାସୀଙ୍କୁ ଦେଇଥୁବା ଉପରୋକ୍ତ ପ୍ରତିଶୃତି କାର୍ଯ୍ୟକାରୀ କରିବା ପାଇଁ ସରକାର ଗୋଟିକ ପରେ ଗୋଟିଏ କାମ ଆରମ୍ଭ କରନ୍ତୁ । ଆଗାମୀ ଦିନରେ ଛଦେଶ ବ୍ଲକ୍ ଗଠନ ପାଇଁ ଯେପରି ଛଦେଶବାସୀଙ୍କୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ଯ କରା ନ ଯାଏ,ଏବେଠୁ ସରକାର ସାକାରାତ୍ମକ ଭାବେ ଆଭିମୁଖ୍ୟ ଗ୍ରହଣ କରିବାକୁ ଛଦେଶବାସୀଙ୍କ ଦୃଢ଼ ଦାବୀ ରହିଛି ।