ସୋମ୍ୟାଶ୍ରୀ ଙ୍କୁ ନ୍ୟାୟ ଦାବି ରେ ହିନ୍ଦୋଳ ଉପଖଣ୍ଡ ରେଜିଓନାଲ କଲେଜ୍ ସମ୍ମୁଖରେ ହିନ୍ଦୋଳ ବିଜେଡ଼ିର ଯୁବଛାତ୍ର ଓ ମହିଳା ବିଜେଡ଼ି ସଂଗଠନ ପକ୍ଷରୁ ବିକ୍ଷୋଭ !
ଢେଙ୍କାନାଳ: ସାରା ଦେଶରେ ଚାଞ୍ଚଲ୍ୟସୃଷ୍ଟି କରିଥିବା ଓଡିଶା ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୋମ୍ୟାଶ୍ରୀ ବିଶି ଆତ୍ମହତ୍ୟା ପାଇଁ ସାରା ଓଡ଼ିଶାରେ ପ୍ରତିବାଦ ବିକ୍ଷୋଭ ଯୋରଦାର ହେଉଛି। ସୋମ୍ୟାଶ୍ରୀଙ୍କୁ ବିଭାଗୀୟ ଅଧ୍ୟାପକ ମାନସିକ ନିର୍ଯ୍ୟାତନା ଦେଉଥିବା ସଂପର୍କରେ ଛାତ୍ରୀ ଜଣଙ୍କ ମୁଖ୍ୟମନ୍ତ୍ରୀ,ଉଚ୍ଚଶିକ୍ଷା ମନ୍ତ୍ରୀ, ବାଲେଶ୍ୱର ସାଂସଦ, ଭୋଗରାଇ ବିଧାୟକ, ପୋଲିସ୍ ଅଧିକ୍ଷକ, ଥାନାଅଧିକାରୀ, କଲେଜ୍ ଅଧ୍ୟକ୍ଷ ଓ ଏବିଭିପି ସଂଗଠନଙ୍କୁ ୮ମାସ ଧରି ଜଣାଇଆସୁଥିଲେ ହେଁ ସମସ୍ତେ ନୀରବତା ଅବଲମ୍ବନ କରିଥିଲେ । ଯାହାଫଳରେ ଛାତ୍ରୀ ଜଣଙ୍କ ମାନସିକ ସ୍ତରରେ ସଂପୂର୍ଣ୍ଣ ଭାଙ୍ଗିପଡ଼ିବା ସହ ଗତ ୧୨ ତାରିଖରେ କଲେଜ୍ ଅଧ୍ୟକ୍ଷଙ୍କ ଅଫିସ୍ ସାମ୍ନାରେ ପେଟ୍ରୋଲ ଢାଳି ହୋଇ ନିଜ ଦେହରେ ନିଆଁ ଲଗାଇଦେଇଥିଲେ । ଏବଂ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ସେ ମୃତ୍ୟୁବରଣ କରିଥିଲେ।ଏହି ପରିପ୍ରେକ୍ଷୀରେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ସାରା ରାଜ୍ୟରେ ବିଜେଡ଼ି ବିକ୍ଷୋଭ କରିଆସୁଛି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନମଣ୍ଡଳୀରେ ପୂର୍ବତନ ସାଂସଦ ମହେଶ ସାହୁଙ୍କ ନେତୃତ୍ୱରେ ହିନ୍ଦୋଳ ଉପଖଣ୍ଡ ରେଜିଓନାଲ କଲେଜ୍ ସମ୍ମୁଖରେ ହିନ୍ଦୋଳ ବିଜେଡ଼ିର ଯୁବଛାତ୍ର ଓ ମହିଳା ବିଜେଡ଼ି ସଂଗଠନ ପକ୍ଷରୁ ସୋମ୍ୟାଶ୍ରୀଙ୍କୁ ନ୍ୟାୟ, ଉଚିତ୍ କ୍ଷତିପୂରଣ, ଦୋଷୀଙ୍କୁ କଠୋର ଦଣ୍ଡ, ଯେଉଁମାନଙ୍କ ଅବହେଳା ଓ ନୀରବତା ପାଇଁ ଏଭଳି ଅଘଟଣ ଘଟିଲା ସେସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହ ମୁଖ୍ୟମନ୍ତ୍ରୀ,ଉଚ୍ଚଶିକ୍ଷାମନ୍ତ୍ରୀ, ବାଲେଶ୍ୱର ସାଂସଦ ଓ ଭୋଗରାଇ ବିଧାୟକଙ୍କ ଇସ୍ଥାଫା ଦାବି କରିବା ସହ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହକରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବବିଜେଡ଼ି ସମ୍ପାଦକ ଦେବୀପ୍ରସାଦ ପଟ୍ଟନାୟକ, ଜିଲ୍ଲାସମ୍ପାଦକ ପୂର୍ବତନ କାଉନସିଲର ପ୍ରଦ୍ୟୁମ୍ନ ବେହେରା,ଜିଲ୍ଲାସମ୍ପାଦକ ପ୍ରଶାନ୍ତ ଦାସ, ଏନ୍ଏସି ଉପାଧ୍ୟକ୍ଷା ପ୍ରତିମା ରାଉତ, କାଉନସିଲର ଅନୁପମା ସାହୁ ଓ ସୁମତି ଦେହୁରୀଙ୍କ ସମେତ ଦଳୀୟ କର୍ମକର୍ତ୍ତା ଓ କଲେଜ ଛାତ୍ରଛାତ୍ରୀ ମାନେ ମଧ୍ୟ ବିକ୍ଷୋଭ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ।