ମଦ ମାଫିଆ ଙ୍କ ଭୂସ୍ବର୍ଗ ପାଲଟିଛି ଭୁବନ ,ଅକାଳ ରେ ଯାଉଛି ଜୀବନ : ଲାଭରେ ଚୋରା ବେପାରୀ, କ୍ଷତିରେ ଲାଇସେନ୍ସଧାରୀ !

ଢେ଼ଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଚୋରା ତଥା ନକଲି ଦେଶୀ,ବିଦେଶୀ ମଦ ବେପାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଅବକାରୀ ବିଭାଗ ତରଫରୁ ରୀତିମତ ଚଢ଼ାଉ ହେଉନଥିବା କାରଣରୁ ଚୋରା ନକଲି ମଦ ବେପାର ବନ୍ଦ ହୋଇପାରୁ ନାହିଁ । ଅବକାରୀ ବିଭାଗ ର ବଟିଖିଆ ନୀତି ଯୋଗୁଁ ଚୋରା ମଦ ମାଫିଆ ଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଭୁବନ, ଆଉ ଅକାଳ ରେ ଚାଲିଯାଉଛି ଭେଣ୍ଡିଆ ଙ୍କ ଜୀବନ । ଅନୁସନ୍ଧାନ ରୁ ପ୍ରକାଶ ଯେ, ଭୁବନ ଏନ୍ ଏ ସି ରେ ୩ ଟି ଠିପିଖୋଲା ବାର ସହିତ ଗୋଟିଏ ଠିପି ବନ୍ଦ ବିଦେଶୀ ମଦ ଦୋକାନ ରହିଛି । ଭୁବନ ବ୍ଲକ ର ଦୟଣlବିଲି ରେ ଗୋଟିଏ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଥିବା ବେଳେ ଚନ୍ଦାର, ନୟା ନୀଳକଣ୍ଠପୁର ରେ ଗୋଟିଏ ଲେଖାଏଁ ଦେଶୀ ମଦ ଭାଟି ରହିଛି। ଭୁବନ ଏନ୍ ଏ ସି ର ନିର୍ଦ୍ଦିଷ୍ଟ ଗୋଟିଏ ୱାର୍ଡ ସମେତ ବ୍ଲକ ର ଏକତାଳି, କନ୍ତିରା, ଚନ୍ଦାର,ମହୁଲପାଳ, ନୀଳକଣ୍ଠପୁର,ନିମେଇପୁର ସମେତ ମନ୍ଦାର,ଷଡ଼ଙ୍ଗୀ,ଖଙ୍କିରା ପ୍ରଭୃତି ଅଞ୍ଚଳରେ ରନ୍ଧା ଦେଶୀ ମଦ ପ୍ରସ୍ତୁତ କରାଯାଇ ଦୈନିକ ହଜାର ହଜାର ଲିଟର ମଦ ବିକ୍ରି କରାଯିବା ସହିତ ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଛି । ଅଧିକ ଦାମ୍ ଯୋଗୁ ବିଦେଶୀ ମଦ ପରିବର୍ତ୍ତେ ଗାଁ ଗାଁ ରେ ଏବଂ ହୋଟେଲ , ଢ଼ାବା, ପାନ ଦୋକାନରେ ଶସ୍ତାରେ ମିଳୁଥିବା ରନ୍ଧା ଦେଶୀ (ପାଉଚ) ମଦ ଓ ନକଲି ବିଦେଶୀ ମଦ ବେପାର ବୃଦ୍ଧି ପାଇବାରେ ଲାଗିଛି। ଚୋରା ମଦ ବେପାରୀ ଓ ମୋବାଇଲ ବେପାରୀ ଫୋନ୍ ପାଇବା ମାତ୍ରେ ସଙ୍ଗେ ସଙ୍ଗେ ଗ୍ରାହକଙ୍କ ନିକଟରେ ପହଞ୍ଚି ଯାଉଛନ୍ତି । ନକଲି ଓ ଚୋରା ମଦ ବେପାରୀ ଙ୍କ ପ୍ରତି ରୀତିମତ ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା କାରଣରୁ ନକଲି ତଥା ଅତ୍ୟଧିକ ନିଶାଯୁକ୍ତ ନକଲି ମଦ ପିଇ ମଦୁଆ ରାସ୍ତାରେ ଗଡୁଥିବା ଦେଖିବାକୁ ମିଳୁଛି। ସରକାର ମଦ ରୁ ବିପୁଳ ରାଜସ୍ବ ପାଉଥିବା ଯୋଗୁଁ ମଦ ବିକ୍ରିକୁ ପ୍ରୋତ୍ସାହନ ଦେଇ ନୂଆ ନୂଆ ଲାଇସେନ୍ସ ପ୍ରଦାନ କରୁଥିବା ବେଳେ ଅବକାରୀ ବିଭାଗର ର ଶିଥିଳତା ସାଙ୍ଗକୁ ମାସିକିଆ ବଟିଖିଆ ନୀତି ଯୋଗୁଁ ଭୁବନ ଅଞ୍ଚଳରେ ଚୋରା ନକଲି ଦେଶୀ,ବିଦେଶୀ ମଦ ର ବନ୍ୟା ହୋଇଛି । ନକଲି ତଥା ଅପମିଶ୍ରିତ ମଦ ପିଇ ଗତ ମାର୍ଚ୍ଚ ମାସରେ ସପ୍ତାହକ ମଧ୍ୟରେ ତିନିଜଣ ଯୁବକ ଙ୍କ ଅକାଳ ମୃତ୍ୟୁ ହୋଇଥିଲା । ଏହା ପରେ ବ୍ୟାପକ ଚଢ଼ାଉ କରାଯିବାରୁ ମାଫିଆ ମାନେ କିଛି ଦିନ ନୀରବ ରହି ବ୍ୟବସାୟ ବନ୍ଦ କରିଦେଇଥିଲେ । ପରବର୍ତ୍ତୀ ସମୟରେ ସେମାନେ ନୂଆ ଫର୍ମୁଲାରେ ନିଜ ସମର୍ଥକ ଙ୍କ ଜରିଆରେ ଲାଇସେନ୍ସ ପ୍ରାପ୍ତ କାଉଣ୍ଟର ନାମରେ ମିଥ୍ୟା ଅଭିଯୋଗ କରିବା ସହ କାଉଣ୍ଟର ସାମ୍ନାରେ ଆନ୍ଦୋଳନ କରାଇ ଦୋକାନ ବନ୍ଦ କରିବାକୁ ଉଦ୍ୟମ କରି ଏଥିରେ ସଫଳ ମଧ୍ୟ ହୋଇଥିଲେ । ଏହି ସମାନ ଫର୍ମୁଲା ଏବେ ଭୁବନ ବ୍ଲକର ବାଲିବୋ ପଞ୍ଚାୟତରେ ଦେଖିବାକୁ ମିଳିଛି । ବାଲିବୋ ପଞ୍ଚାୟତର ବାଲିବୋ , କାନଖାଇ,ଅନନ୍ତପୁର ଅଞ୍ଚଳରେ ଚୋରା,ନକଲି,ଦେଶୀ, ବିଦେଶୀ ମଦ ଅବାଧରେ ବିକ୍ରି ହେଉଥିବା ବେଳେ ସରକାରଙ୍କ ତରଫରୁ କନଖାଇ ରେ ଏକ ନୂଆ ଠିପି ବନ୍ଦ ବିଦେଶୀ ମଦ ଦୋକାନ ପାଇଁ ଅନୁମତି ଦିଆ ଯାଇଛି । ଲାଇସେନ୍ସ ପ୍ରାପ୍ତ କାଉଣ୍ଟର ଖୋଲାଯିବା ପରେ ଚୋରା ମଦ ମାଫିଆ ମାନଙ୍କର ବ୍ୟବସାୟ କ୍ଷତି/ବନ୍ଦ ହୋଇଯିବା ଆଶଙ୍କା କରି ମାଫିଆ ମାନେ ସେମାନଙ୍କ ନିଜ ସମର୍ଥକ ଙ୍କ ଜରିଆରେ ଏହାକୁ ବନ୍ଦ କରିବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏବଂ ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ଉଚିତ୍ ପଦକ୍ଷେପ ଗ୍ରହଣ ନକଲେ ଚୋରା ନକଲି ଦେଶୀ ବିଦେଶୀ ମଦ ପିଇ ଲୋକମାନେ ଅକର୍ମଣ୍ୟ ହେବା ସହ ଅକାଳରେ ମୃତ୍ୟୁ ବରଣ କରିବେ ବୋଲି ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମହଲରେ ଆଲୋଚନା ଓ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.

20 + 4 =