ଢେଙ୍କାନାଳ : କଙ୍କଡ଼ାହାଡ଼ ବ୍ଳକ୍ ଅନ୍ତର୍ଗତ କଣ୍ଟାପାଳ କଲ୍ୟାଣ ମଣ୍ଡପରେ ସମୁଦାୟ ବୀଜ ବିନିମୟ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପରିବେଶ ସୁରକ୍ଷା ସମିତି କଙ୍କଡ଼ାହାଡ଼ର ସଭାପତି ଭାସ୍କର ନାଟିଆ ଅଧ୍ୟକ୍ଷତା କରିଥିଲେ। ଜଙ୍ଗଲକୁ ସୁରକ୍ଷା ଦେବା ଏବଂ ବିଲୁପ୍ତ ପ୍ରାୟ ବୃକ୍ଷ ଗୁଡ଼ିକର ପୁନରୁଦ୍ଧାରର ମୂଳ ଲକ୍ଷ୍ୟ ଥିଲା। ତେଣୁ ଏଥିରେ କଙ୍କଡାହାଡର ପରିବେଶ ସୁରକ୍ଷା ସମିତି ହିନ୍ଦୋଳର ଜଙ୍ଗଲ ପରିବେଶ ବିକାଶ ମଞ୍ଚ ଓଡ଼ାପଡ଼ାର ଗଣ୍ଡଓ୍ୱାନା ଗଣ୍ଡ ମହାସଭା ସମେତ ଅନ୍ୟାନ୍ୟ ବ୍ଳକ୍ ର ସଦସ୍ୟମାନେ ଉପସ୍ଥିତ ରହି ଜଙ୍ଗଲୀ ବୃକ୍ଷର ମଞ୍ଜି , ଔଷଧୀୟ ବୃକ୍ଷ, ଜଙ୍ଗଲଜାତ ଖାଦ୍ୟର ବୃକ୍ଷ, ଦେଶୀ ପନିପରିବା ଏବଂ ଦେଶୀ ଧାନର ମଞ୍ଜି ସବୁ ପ୍ରଦର୍ଶନ କରିଥିଲେ। ଉକ୍ତ ମେଳାରେ ୧୨୭ ପ୍ରକାରର ବୀଜ ପ୍ରଦର୍ଶନ କରାଯାଇଥିଲା। ଏହି ପ୍ରଦର୍ଶନୀ ମେଳାରେ ବିଡିଓ କଙ୍କଡ଼ାହାଡ଼, ରେଞ୍ଜର ପଶ୍ଚିମାଞ୍ଚଳ, ବ୍ଳକ୍ କୃଷି ଅଧିକାରୀ, ଆତ୍ମାର ଅଧ୍ୟକ୍ଷ, ଆଦିବାସୀ ମିଳିତ ସଂଘର୍ଷ ମଞ୍ଚର ସଭାପତି, ହିନ୍ଦୋଳ ବିକାଶ ମଞ୍ଚର ସଭାପତି ତ୍ରିନାଥ ବେହେରା, ଭାରତୀୟ ଗଣ୍ଡଓ୍ୱାନା ଗଣ୍ଡ ମହାସଭାର ସଭାପତି ଅଇଁଠୁ ସିଂହ, ସରପଞ୍ଚ ବାମ୍, ସରପଞ୍ଚ ଝିଲ୍ଲୀ, ସରପଞ୍ଚ ମରୁଆବିଲୀ, ସରପଞ୍ଚ କଣ୍ଟାମାଳ, ସରପଞ୍ଚ ଘାଗେରାମୁଣ୍ଡାଙ୍କ ସମେତ ଏଫେଇଏସ୍ ଜିଲ୍ଲା ପରିଚାଳକ ଜଗନ୍ନାଥ ନାଏକ, ନିରଞ୍ଜନ ସାହୁ, ପ୍ରତିଭା ମହାପାତ୍ର, ପ୍ରଣବ କିଶୋର ନାଏକ ଆଦି ଯୋଗଦେଇଥିଲେ। ହିନ୍ଦୋଳ ମଞ୍ଚର ବିନୋଦିନୀ ପ୍ରଧାନ, ଅବନ୍ତି ଦେହୁରୀ, ସୁଭଦ୍ରା ସାହୁ ଓ କସ୍ତୁରୀ ସାହୁ ହିନ୍ଦୋଳ ଜଙ୍ଗଲରେ ଥିବା ବିଭିନ୍ନ ପ୍ରକାରର ମଞ୍ଜି ଗୁଡିକ ପ୍ରଦର୍ଶନ କରିଥିଲେ। ମଞ୍ଚ ଓ ସଂଗଠନ ମାନଙ୍କର ସମିଶ୍ରଣରେ ଜିଲ୍ଲାସ୍ତରରେ ଜଙ୍ଗଲ ଅଧିକାର ଦାବି ଗୁଡ଼ିକୁ ସୁନିଶ୍ଚିତ କରାଇ ଜନସାଧାରଣଙ୍କ ଜୀବିକା ନିର୍ବାହରେ ସହାୟକ ହେବାକୁ ହିନ୍ଦୋଳ ଜଙ୍ଗଲ ପରିବେଶ ବିକାଶମଞ୍ଚର ସଭାପତି ତ୍ରିନାଥ ବେହେରା ଆହ୍ବାନ ଦେଇଥିଲେ।