ଆମେ ହେଉଛୁ ସେହି ଶେଷ ପିଢ଼ି ଯିଏ ନଡ଼ା ଛପର ତିଆରି ମାଟି ଘରେ ବଢିଛେ । ଅଜା,ଆଇ,ଜେଜେମା,ଜେଜେବାପାଙ୍କ ଠାରୁ ପରିରାଇଜର ରାଜକୁମାରୀ,ବୁଢ଼ୀ ଅସୁରୁଣୀ,ଭୁତ ପ୍ରେତର ଗପ ଶୁଣିଛେ,ଆମ ଗାଁ ଦାଣ୍ଡରେ,କବାଡି,ନଟୁ,ବୋହୁଚୋରି,କିତିକିତି,ବାସ୍କେଟ୍ ବଲ୍,କାଚବାଟି,ଗୋଲି ଭଳି ଅନେକ ଖେଳନା ଖେଳିଛେ । ଗାଁ ଦାଣ୍ଡରେ,ସାଇକେଲର ପୁରୁଣା ଟାୟାର ଓ ରିମକୁ ଗଡାଇ ପ୍ରତିଯୋଗିତା କରିଛେ,ତେଲ ଟିଣକୁ ପିଟି ପିଟି ବାଜା ବଜାଇଛେ । ଡିବିରୀ,ଲେମ୍ଫ ଓ ଲଣ୍ଠନର ମିଞ୍ଜିମିଞ୍ଜି ଜଳୁଥିବା ଆଲୁଅରେ ପାଠ ପଢ଼ିଛେ । ନିଜର ମନ କଥା ଦୂର ସମ୍ପର୍କ ଲୋକଙ୍କୁ କହିବା ପାଇଁ ପୋଷ୍ଟ କାର୍ଡରେ ଅନେକ ଚିଠି ଲେଖିଛେ । ମନି ଅଡରରେ ଟଙ୍କା ଗ୍ରହଣ କରିଛେ । ବରଡା ବିଞ୍ଚଣାରେ ପବନ ଖାଇ ଆରାମରେ ଶୋଇ ଯାଉ ଥିଲେ । ସୋରିଷ,ନଡିଆ,ଜଡ଼ା,ରାଶିତେଲ ମୁଣ୍ଡରେ ଲଗେଇ ଗାଧୋଇ ପଖାଳ ଖାଇ ସ୍କୁଲ ଯାଉଥିଲୁ । ଓକେ ସାବୁନ ହେଉ କିମ୍ବା ହୁଇଲ୍ ଭଳି ସାବୁନରେ ଲୁଗା,ସାର୍ଟ,ପ୍ୟାଣ୍ଟ୍ ସଫା କରୁଥିଲୁ । କଲମରେ କାଳି ପୁରାଇ ଲେଖୁଥିଲି । ପରୀକ୍ଷା ଦିନତ ତିନି,ଚାରୋଟି କଲମ ନେଇ ସ୍କୁଲକୁ ଯାଉଥିଲି ଓ ରାସ୍ତାରେ ସବୁ ଗୁରୁଜନ ଓ ମନ୍ଦିରରେ ମୁଣ୍ଡିଆ ମାରି ଯାଉଥିଲି । ଶିକ୍ଷକଙ୍କ ଠାରୁ ମାଡ ଖାଉଥିଲି । ଆଉ ସେ କଥା ଘରେ ଆସି କହିଲେ ଘରେବି ପୁଣି ବାପା ମା ମାରୁଥିଲେ । ଦୁଷ୍ଟାମୀ କରୁଥିବା ବେଳେ ବୟୋଜ୍ୟେଷ୍ଠ ଲୋକଙ୍କୁ ଦେଖିଲେ ଦୌଡ଼ି ଯାଇ ଗାଁ ଶେଷରେ କେଉଁଠି ଲୁଚି ଯାଉଥିଲି । ସାଇକଲଟେ ପାଇଲେ ଫ୍ରେମ ଭିତରେ ଗୋଡ଼ ପୁରାଇ ଚଲାଉ ଥିଲି ଓ ସ୍ଵର୍ଗରେ ଉଡିଲା ଭଳି ଭାବୁଥିଲି । ଯେଉଁମାନଙ୍କୁ ଖାଇବାପାଇଁ ଜଳଖିଆ ହିସାବରେ ମୁଢି କିମ୍ବା ଚୁଡା ମିଳୁଥିଲା ଯଦି କେବେ ଗହମ ଜାଉ,ମକାଗୁଣ୍ଡ ଛତୁଆ କିମ୍ବା ଖଇ ଉଖୁଡା ମିଳିଗଲା ତେବେ ଆନନ୍ଦରେ ଫାଟି ପଡୁଥିଲି । ବର୍ଷା ହୁଏ ସାତଦିନ ସାତ ରାତି ଝରି ପୋକ ସହିତ ବେଙ୍ଗୁଲି ରାଣୀ ବର୍ଷା ପାଣି ଟିକେ ପିଇ କେଁ କଟର ଶବ୍ଦ ଓ ଶୀତ ଦିନରେ,ନିମ୍ବ ଫୁଲ,କଖାରୁ ଫୁଲ ଭଜା, ପୋଡାସାରୁ, ପୋଡ଼ା ଶୁଖୁଆ,ଆଦି ଖାଦ୍ୟ ଖାଇ ବହୁତ ଖୁସି ହେଉଥିଲି । ଯଦି କେବେ ମାଛ କିମ୍ବା ମାଂସ ତରକାରି ହେଲେ ଅଧିକଥର ଭାତ ମାଗି ଖାଉଥିଲି । ସାହି ପଡିଶାର ଭୋଜିଭାତ ହେଲେ ଡାକନ୍ତି ଖାଇବାକୁ ଯିବାକୁ ବ୍ୟସ୍ତ ହେଉ ଥିଲି । ଦୀପାବଳୀରେ ଫୁଟି ନଥବା ବାଣ ସବୁକୁ ଆଉଥରେ ନିଆଁ ଲଗାଇ ଖୁସିରେ ଫୁଟାଉ ଥିଲି । ସ୍କଲରେ ଖେଳଛୁଟି ହେଲେ ସ୍କୁଲ ପଛପଟ ବଣବୁଦାରୁ କୋଳି ତୋଳି ଖାଉଥିଲି । ଆମ୍ବଗଛରୁ କଞ୍ଚା ଆମ୍ବ ଏବଂ ତେନ୍ତୁଳି ଗଛରୁ କଞ୍ଚା ତେନ୍ତୁଳି ତୋଳି ଲୁଣ,ଲଙ୍କା ସହ ଆନନ୍ଦରେ ସାଙ୍ଗମାନଙ୍କସହ ଖାଉଥିଲି । ବର୍ଷାଦିନେ ପକ୍ଷୀ ବସାରେ ଚଢ଼େଇ ମାନଙ୍କର କିଚିରି ମିଚିର୍ ଶବ୍ଦ,ଗାଈ ଗୋରୁ ମାନଙ୍କ ହମ୍ବାରଡ଼ି ସୁଭିବା ସହ ମୁଁ ଖୁସିରେ କଙ୍କି ଧରି ତା’ ଲାଙ୍ଗୁଡରେ ସୁତାବାନ୍ଧି ଉଡାଉଥିଲି ଏବଂ ସାରୁ ପତ୍ର ୨ଟାରେ ତାକୁ ଧରୁଥିଲି । ନାଲି ଟୁକୁଟୁକୁ ସାଧବବୋହୁକୁ ଧରି ଖାଲି ଦିଆସିଲି ଖୋଳରେ ପୁରାଇ ରଖୁଥିଲୁ । ଗୁଡ଼ି ଓ ତାଳପତ୍ରରେ ସିଜୁକଣ୍ଟା ଫୋଡ଼ି ଫିରିକ କରି ଖୋଲା ପଡ଼ିଆରେ ବୁଲାଉ ଥିଲି । ଖେଳଛୁଟିରେ ବୁଟ, ବାଦାମ, ଖାଟାମିଠା,କାଠି,ଫୁଟି,କମଳା, ମଡେନ ଚକଲେଟ କିଣି ଖାଉଥିଲି । ଇମିତି ଅନେକ ଅନେକ କଥା । ସତରେ କେତେ ଭଲଥିଲା ସେଇ ଦିନସଵୁ । କେତେ ଭଲ ଥିଲା ଆମ ପିଢ଼ି ଆଉ ଆମ ମାନଙ୍କ ପରିବାର ଆଉ ପରିବେଶ । କେତେ ଖୁସି ଲାଗେ ସେହି ପିଲାଦିନର କଥା ଭାବି ଦେଲେ । ଏମିତି ବି ଇଚ୍ଛା ହୁଏ ପୁଣିଥରେ ସେହି ଦିନମାନ ଫେରିଆସି ଆଜିର ଏହି ଅଶାନ୍ତ ଦୁନିଆରେ ଶାନ୍ତି ଫେରାଇ ଆଣନ୍ତା କି । ଏମିତି ଆହୁରି କେତେ କଣ ମନରେ ଭାବି ଦେଲେ ଆସେ ଆହୁରି ଅନେକ କଥା କୁଆଡେ ଗଲା ସେଦିନ । ଆଜି ବି ମୋର ବହୁତ ମନେ ପଡେ ।

ମହେଶ୍ଵର ସାହୁ, ଭାପୁର, ଢେଙ୍କାନାଳ