ହିନ୍ଦୋଳ ବାର୍ଷିଙ୍ଗା ଜଗନ୍ନାଥ ସାହିରେ ଉତ୍କଟ ପାଣି ସମସ୍ୟା !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକରେ ପାଣି ସମସ୍ୟାର ସ୍ଥାୟୀ ସମାଧାନ ହେବାର ନାଁ ଧରୁନି। ଦିନକୁ ଦିନ କୌଣସି ନା କୌଣସି ଅଞ୍ଚଳରୁ ପାଣି ସମସ୍ୟାର ଅଭିଯୋଗ ଆସୁଛି। ଏପରି ଏକ ଅଭିଯୋଗ ବାର୍ଷିଙ୍ଗା ଜଗନ୍ନାଥ ସାହିରୁ ଆସିଛି। ସୂଚନା ଅନୁଯାୟୀ ଅସରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାର୍ଷିଙ୍ଗା ଜଗନ୍ନାଥପୁର ସାହିରେ ଶହେରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ ଜନସଂଖ୍ୟା ପ୍ରାୟ ପାଞ୍ଚଶହରୁ ଅଧିକ। ଏହି ଲୋକଙ୍କ ପାଇଁ ଗ୍ରାମରେ ୨ଟି ନଳକୂପ ଥିବାବେଳେ ବାସିନ୍ଦାଙ୍କ ଜଳ କଷ୍ଟ ମେଣ୍ଟାଇ ପାରୁନାହିଁ। ଯାହାଫଳରେ ଲୋକମାନେ ପାଣି ମୁନ୍ଦେ ପାଇଁ ଡହଳବିକଳ ହେଉଛନ୍ତି। ଦୁଇଟି ଯାକ ନଳକୂପ ବର୍ଷରେ ଅଧାଦିନ ସଚଳ ରହୁଥିବା ବେଳେ ଅଧା ଦିନ ଅଚଳ ହୋଇପଡୁଛି। ବର୍ତ୍ତମାନର ଖରାର ୪୦ ଡିଗ୍ରୀ ତାପମାତ୍ରାରେ ଗ୍ରାମର ପୁରୁଷ ଓ ମହିଳା ଗରା ବାଲଟି ଧରି ପ୍ରାୟ ଅଧା କିଲୋମିଟର ପାଣି ପାଇଁ ଯାଉଛନ୍ତି। ଏପରିସ୍ଥଳେ ଗାଈ ଗୋରୁ ଗୁଡ଼ିକ ପାଣି ମୁନ୍ଦେ ପାଇଁ ଆହୁରି ଡହଳବିକଳ ହେଉଥିବା ପରିଲକ୍ଷିତ ହେଉଛି। ଅନୁରୂପ ଭାବେ ଗ୍ରାମର ମଝି ସାହି ଓ ଉପର ସାହିରେ ଜଳସଙ୍କଟ ଦେଖାଦେଇଛି l ନୂତନ ନଳକୂପ ଖୋଲିବା ନେଇ ପଞ୍ଚାୟତ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ୍ ଯାଏଁ ସମସ୍ତଙ୍କୁ ମୌଖିକ ଓ ଲିଖିତ ଭାବରେ ଜଗନ୍ନାଥପୁର ବାସିନ୍ଦା ଜଣାଇ ଆସୁଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଯଦି ଏହାର ସମାଧାନ ନ କରାଯାଏ ତେବେ ଆଗାମୀଦିନରେ ଏ ନେଇ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ତାଲା ପକାଇବାକୁ ଚେତାବନୀ ଦେଇଛନ୍ତି। ତେବେ ଜଗନ୍ନାଥପୁର ଗ୍ରାମବାସୀଙ୍କ ସମସ୍ୟାକୁ ଜନପ୍ରତିନିଧି ମାନେ ଆଖି ବୁଜି ଦେଇଛନ୍ତି। ଯାହାକୁ ନେଇ ସାଧାରଣରେ ଏବଂ ବୁଦ୍ଧିଜୀବୀ ମହଲରେ ଦୃଢ଼ ନିନ୍ଦା କରାଯାଇଛି।

Leave A Reply

Your email address will not be published.

eighteen + 14 =