ତେଙ୍କାନାଳ : ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହ ଠାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସହର ମଧ୍ୟରେ ବେପରୁଆ ଗାଡ଼ି ଚାଳନା, ସହର ମଧ୍ୟରେ ରାସ୍ତାରେ ପାର୍କିଂ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି, ମଦ୍ୟପ ଚାଳକମାନଙ୍କ ଯାଞ୍ଚ, ଜାତୀୟ ରାଜପଥରେ ପ୍ରମୁଖ ଛକ ମାନଙ୍କରେ ସଠିକ ସୂଚ଼ନା ଫଳକ ଲଗାଯିବା, ଯାତ୍ରୀ ବାହୀ ବସଗୁଡ଼ିକରେ ପାନୀୟ ଜଳ ଏବଂ ଓ ଆର ଏସ ପାଉଡ଼ର ରଖିବା ନିଶ୍ଚିତ କରିବାକୁ ବୈଠକରେ ଗୁରୁତ୍ଵାରୋପ କରାଯାଇଥିଲା । ପ୍ରାରମ୍ଭରେ ରାସ୍ତା ଓ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଜୟନ୍ତ ପ୍ରସାଦ ନାୟକ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ସଂପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ l ବାକିଥିବା ୪ଟି ହାଇମାକ୍ସ ଲାଇଟ ସ୍ଥାପନ କାର୍ଯ୍ୟ ଆସନ୍ତା ୧୫ ଦିନରେ ସଂପୂର୍ଣ୍ଣ ହେବ | ଅଣ୍ଡର ବାଇପାସ ନିର୍ମାଣ କାର୍ଯ୍ୟ, ବେଆଇନ ରାସ୍ତା କଟିଂ ବନ୍ଦ, ସମସ୍ତ ସ୍କୁଲ ସମ୍ମୁଖରେ ସାଇନେଜ ସ୍ଥାପନ, ରୋଡ୍ ସାଇନେଜ ସ୍ଥାପନ ସଂପର୍କରେ ଜାତୀୟ ରାଜପଥର କର୍ତ୍ତୃପକ୍ଷ ସୂଚ଼ନା ପ୍ରଦାନ କରିଥିଲେ । lଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଳିତ ମୋହନ ବେହେରାଙ୍କ ସମେତ ଏମ୍ ଭି ଆଇ ଶ୍ରୀ ଦେବାଶିଷ ସ୍ୱାଇଁ, ରାପିଡ୍ ରେସ୍ପନସ୍ ଟିମର ସଂଯୋଜକ ଶ୍ରୀ ବିରଞ୍ଚି ନାରାୟଣ ପାଣି, କମିଟିର ସଦସ୍ୟ ଶ୍ରୀ ରତନ କୁମାର ନାୟର ଏବଂ ଶ୍ରୀ ପ୍ରଦ୍ୟୁମ୍ନ ରଥ, ଜାତୀୟ ରାଜପଥ ପ୍ରାଧିକରଣର କର୍ମକର୍ତ୍ତା, ଏନ୍ଜିଓ ପ୍ରୟାସର କର୍ମକର୍ତ୍ତା, ବସ ମାଲିକ ସଂଘର କର୍ମକର୍ତ୍ତା ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l ସୂଚ଼ନା ଯୋଗ୍ୟ ଯେ, ଗତ ବର୍ଷ ଜାନୁଆରୀରେ ୪୨ଟି ଦୁର୍ଘଟଣାରେ ୨୨ଜଣ ଏବଂ ଫେବୃଆରୀରେ ୩୮ଟି ଦୁର୍ଘଟଣା ଘଟି ୧୬ ଜଣ ଏବଂ ମାର୍ଚ୍ଚ ମାସରେ ୩୫ଟି ଦୁର୍ଘଟଣାରେ ୨୨ ଜଣ ମୃତ୍ୟୁ ବରଣ କରିଥିଲେ । ଚ଼ଳିତ ବର୍ଷ ଜାନୁଆରୀରେ ୩୮ଟି ଦୁର୍ଦ୍ଦଟଣାରେ ୧୯ ଜଣ ଏବଂ ଫେବୃଆରୀରେ ୨୩ଟି ଦୁର୍ଘଟଣାରେ ୧୩ଜଣ ଏବଂ ମାର୍ଚ୍ଚ ମାସରେ ୪୫ ଟି ଦୁର୍ଘଟଣାରେ ୧୮ ଜଣ ମୃତ୍ୟୁ ବରଣ କରିଛନ୍ତି ବୋଲି ଜଣା ଯାଇଛି ।