ଢେଙ୍କାନାଳ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହିଷାପାଟ ସ୍ଥିତ ଆଞ୍ଚଳିକ ତାଲିମ ଓ ସଂପ୍ରସାରଣ ପ୍ରତିଷ୍ଠାନର ଫାର୍ମ ମଧ୍ୟରେ ଚାଷକାର୍ଯ୍ୟର ଶୁଭାରମ ସ୍ୱରୂପ ଅକ୍ଷିମୁଠି କାର୍ଯ୍ୟ ଆରମ୍ଭ ହୋଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇ ପାରମ୍ପରିକ ହଳ କରି ଓ ଟ୍ରାକ୍ଟର ଚଳାଇ ଅକ୍ଷିମୁଠିର ଶୁଭାରମ୍ଭ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ସମାବେଶରେ ମାନ୍ୟବର ମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ, କୃଷି ହେଉଛି ଓଡ଼ିଶାର ମେରୁଦଣ୍ଡ ବୋଲି କହିଥିଲେ । ଏହା ଆମର ସଂସ୍କୃତି ଓ ପ୍ରକୃତିର ଅବିଚ୍ଛେଦ୍ୟ ଅଙ୍ଗ । କୃଷି ପ୍ରତି ସରକାର ସର୍ବାଧିକ ପ୍ରାଥମିକତା ଦେଉଛନ୍ତି । କୃଷି ଓ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠାରେ ବୈପ୍ଳବିକ ପରିବର୍ତ୍ତନ ଯୋଗୁଁ ବର୍ତ୍ତମାନ ଏହା ଏକ ଲାଭଜନକ ବୃତ୍ତି ହୋଇ ପାରୁଛି | ସମସ୍ତେ ନିଜ ନିଜ ଘରେ ଗାଈ ରଖିବା ସହିତ ଓରଗାନିକ ପନିପରିବା ଚାଷ କରିବା ନିମନ୍ତେ ନିବେଦନ କରିଛନ୍ତି । କୃଷି ହେଉଛି ଆମ ଜୀବନ ଓ ବିକାଶର ମାନଦଣ୍ଡ | କୃଷିଭିତ୍ତିକ କାର୍ଯ୍ୟ ଓ କୃଷକମାନଙ୍କ ଉନ୍ନତି ସହିତ ରାଜ୍ୟର ବିକାଶ ନିମନ୍ତେ ଶିଳ୍ପାୟନକୁ ମଧ୍ୟ ସମାନ ଭାବେ ପ୍ରଧାନ୍ୟ ଦିଆଯାଉଛି ବୋଲି ପ୍ରକାଶ କରିଥିଲେ । ଉତ୍ସବରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଅର୍ଚ୍ଚନା ପୂହାଣ, ପୌର ଅଧ୍ୟକ୍ଷା ଜୟନ୍ତୀ ପାତ୍ର, ମାନ୍ୟବର ସାଂସଦଙ୍କ ପ୍ରତିନିଧି ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ବିମଳେନ୍ଦୁ ମହାନ୍ତି, ଉଦ୍ୟାନ ବିଭାଗର ଉପ ନିର୍ଦ୍ଦେଶିକା ଗୀତାଶ୍ରୀ ପାଢୀ ଯୋଗ ଦେଇ ପବିତ୍ର ଅକ୍ଷୟ ତୃତୀୟା ପାଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରି ଏହି ତିଥିରେ ସମସ୍ତ ମାଙ୍ଗଳିକ କାର୍ଯ୍ୟର ଶୁଭାରମ୍ଭ କରାଯାଇ ପାରେ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ଶିବ ନାରାୟଣ ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।