ଢ଼େଙ୍କାନାଳ : ଆନ୍ତର୍ଜାତୀୟ ସମବାୟ ବର୍ଷ । ଏହି ଅବସରରେ ଆଜି ଅପରାହ୍ନରେ ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ ଏକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଉତ୍ସବରେ ମୁଖ୍ଯ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି ଯୋଗ ଦେଇ ଓଡ଼ିଶାର ସମବାୟ ଆନ୍ଦୋଳନର ଅଗ୍ରଦୂତ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଭୂମିକା ଚୀର ସ୍ମରଣୀୟ ହୋଇ ରହିବ ବୋଲି ପ୍ରକାଶ କରିଥିଲେ l ମଧୁବାବୁ ସମବାୟ ଆନ୍ଦୋଳନର ସ୍ରଷ୍ଟା ଥିଲେ । ଓଡ଼ିଶାର ପ୍ରଥମ ଶିଳ୍ପୋଦ୍ୟୋଗୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ସମବାୟ ଆନ୍ଦୋଳନ ଫଳରେ ଗ୍ରାମାଞ୍ଚଳର ବହୁବିଧ ବିକାଶ ସମ୍ଭବ ହୋଇପାରିଛିଏବଂ ଏହାକୁ ଅଧିକ ବ୍ୟାପକ କରିବା ପାଇଁ ସେ ଗୁରୁତ୍ୱାରୋପ କରିଥିଲେ । ସମବାୟ ବ୍ୟବସ୍ଥା ଅଧିକ ସୁଦୃଢ ହେଲେ, କୃଷକ ବଂଧୁ ଓ ଗ୍ରାମାଞ୍ଚଳବାସୀମାନେ ଅଧିକ ଉପକୃତ ହେବେ ଏବଂ ଗ୍ରାମାଞ୍ଚଳର ଲୋକେମାନଙ୍କ ଆର୍ଥିକ ଓ ସାମାଜିକ ସ୍ତରରେ ଅଧିକ ଉନ୍ନତି ହେବ ଏବଂ ମଧୁବାବୁଙ୍କ ସ୍ୱପ୍ନର ଓଡ଼ିଶା ସାକାର ରୂପ ନେଇପାରିବ ବୋଲି ସେ ମତ ବ୍ୟକ୍ତ କରିଥିଲେ । ସମବାୟ ସମିତିର ଉପ ନିବନ୍ଧକ ଶ୍ରୀମତୀ ସରୋଜିନୀ ଜେନା ସମବାୟ ସମିତିର କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି ଏହା ଦ୍ୱାରା କୃଷକ ଭାଇ ଓ ଗ୍ରାମାଞ୍ଚଳବାସୀମାନେ କିପରି ଉପକୃତ ହେଉଛନ୍ତି ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଏହି ଅବସରରେ ଋଣ ପ୍ରଦାନ କ୍ଷେତ୍ରରେ ବିଶେଷ ଭୂମିକା ଗ୍ରହଣ କରିଥିବା ଅନୁଗୁଳ କେନ୍ଦ୍ରୀୟ ସଂଯୁକ୍ତ ସମବାୟ ବ୍ୟାଙ୍କର କର୍ମକର୍ତ୍ତା, ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତିର କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥଲା । ଉତ୍ସବରେ ଉଦ୍ୟାନ ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀମତୀ ଗୀତାଶ୍ରୀ ପାଢ଼ୀ, ଅବସରପ୍ରାପ୍ତ ଶିକ୍ଷକ ଡକ୍ଟର ଦେବୀ ପ୍ରସାଦ ମିଶ୍ର, ଅନୁଗୁଳ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଶ୍ରୀ ପ୍ରତାପ ଚନ୍ଦ୍ର ମଲ୍ଲିକ ପ୍ରମୂଖ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସ୍ମୃତିଚାରଣ କରିବା ସହିତ ସମବାୟ ଆନ୍ଦୋଳନରେ ତାଙ୍କର ଭୂମିକା ସଂପର୍କରେ ଆଲୋଚନା କରିଥିଲେ l ଏହି ଉତ୍ସବରେ ବିଭାଗୀୟ ଅଧିକାରୀମାନେ, ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ଓ ସଂପାଦକ, ବିଭିନ୍ନ ବ୍ୟାଙ୍କର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ ।