ଭୁବନ ଏନ୍ .ଏ .ସି. ରେ ମାଷ୍ଟର ପ୍ଲାନ୍ କର୍ମଶାଳା !

ଢ଼େଙ୍କାନାଳ : ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଘର ପରିସରରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ “ଭୁବନ-୨୦୫୧ ମାଷ୍ଟର ପ୍ଲାନ” ଆଧାରିତ ଏକ ଯୋଜନା ସଂପର୍କରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପରିବହନ ବିଭାଗ,ବିଦ୍ୟୁତ ବିଭାଗ, ପଞ୍ଚାୟତ ବିଭାଗର ଅଧିକାରୀଙ୍କ ସହ ଭୁବନର ସମସ୍ତ କାଉନ୍ସିଲର ଉପସ୍ଥିତ ଥିଲେ। ଆଗାମୀ ଦିନରେ ଭୁବନ କୁ ସରସ ସୁନ୍ଦର କରି ଗଢା ଯାଇ ପାରିବ ସେ ସଂପର୍କରେ କାର୍ଯ୍ୟ କିପରି ସୁଚାରୁ ରୂପରେ ହୋଇପାରିବ ଆଲୋଚନା ହୋଇଥିଲା । ଶିକ୍ଷା, ସ୍ୱାସ୍ଥ୍ୟ ଗମନାଗମନ, ପାନୀୟ ଜଳ, ବିଦ୍ୟୁତ୍, ଡ୍ରେନେଜ, ବନ୍ୟା ନିୟନ୍ତ୍ରଣ, ଅଗ୍ନି ନିୟନ୍ତ୍ରଣ, ଜଙ୍ଗଲ ଜମି, ଶିଳ୍ପ ପ୍ରତିଷ୍ଠା ସହିତ ଦକ୍ଷିଣ ଦିଗକୁ ସହର ବୃଦ୍ଧି ସଂପର୍କରେ ଆଲୋଚନା ହୋଇଥିଲା। ୨୦୧୧ ଜନ ଗଣନା ଅନୁଯାୟୀ ଭୁବନ ର ମୋଟ ୧୫ ଟି ୱାର୍ଡରେ ୧୮.୮୬ ବର୍ଗ କି.ମିରେ ୪୮୦୨ ପରିବାରର ୨୨୨୦୦ ଲୋକ ବାସ କରୁଛନ୍ତି। ଏହାର ୧୨.୩୬ ପ୍ରତିଶତ ହେଉଛି ଜଙ୍ଗଲ କିସମ ଜମି । ବାସ୍ତବରେ ଏଠାରେ କେଉଁ କାଳରୁ ବସତି ସ୍ଥାପନ ହୋଇଛି ସେହି ଅଞ୍ଚଳ ବାସୀ ଙ୍କୁ ବିଦ୍ୟୁତ୍, ପାଣି ସୁବିଧା ଦିଆଯାଉଛି , କିନ୍ତୁ ଟ୍ୟାକ୍ସ ସଂଗ୍ରହ କରାଯାଉନାହିଁ । ଏହି ବୈଠକରେ ସାଂସଦ ପ୍ରତିନିଧି ଭବାନୀ ଶଙ୍କର ବେହେରା, କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା,ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ, ବିଡ଼ିଓ ଆୟୁଶି ମହାପାତ୍ର, ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ର , ଆର୍ ଭି ଆସୋସିଏଟ ,ହାଇଦ୍ରାବାଦ ର ଦକ୍ଷତା ସମ୍ପନ୍ନ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ବେଜ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.

one × three =