ବ୍ୟାଙ୍କରେ ଲମ୍ବା ଧାଡ଼ିରେ ଠିଆହୋଇ ଯମଯନ୍ତ୍ରଣା ଭୋଗୁଛନ୍ତି ପକ୍ଷାଘାତ ବୃଦ୍ଧା : ପ୍ରଶାସନ ହାତାହାତି ଭତ୍ତା ପ୍ରଦାନ କରିବାକୁ ସାଧାରଣରେ ଦାବୀ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଅନେକ ରୋଗୀ, ବୟୋଜ୍ୟେଷ୍ଠ ବ୍ୟକ୍ତି ବ୍ୟାଙ୍କରେ ଲାଇନ୍ ଲଗାଇ ଭୋଗୁଛନ୍ତି ଯମଯନ୍ତ୍ରଣା । ଯାହାର ଜ୍ୱଳନ୍ତ ଉଦାହରଣ ପ୍ରତ୍ୟେକ ୱାର୍ଡରେ ନଦେଖିଲେ ବିଶ୍ୱାସ ହେବନାହିଁ। କିନ୍ତୁ ଏଥିପ୍ରତି ନିର୍ବାଚିତ ଜନପ୍ରତିନିଧି ଓ ପ୍ରଶାସନରନିଘାନାହିଁ । ଏଭଳି ଏକ ଅଭାବନୀୟ ଘଟଣା ଦେଖାଦେଇଛି ହିନ୍ଦୋଳ ଉପଖଣ୍ଡ ରଞ୍ଜାଗୋଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ରଞ୍ଜାଗୋଳ ଗ୍ରାମରେ । ସୂଚନା ଅନୁଯାୟୀ ରଞ୍ଜାଗୋଳ ଗ୍ରାମର ସୁଶୀଳା ବେୱା (୭୭) ସ୍ବାମୀ ସ୍ବର୍ଗତ ବାଇଧର ନାୟକ, ଆଜକୁ ୫ ବର୍ଷ ହେବ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ବହୁ ଦୁଃଖ କଷ୍ଟରେ ଘରେ ପଡି ରହିଛନ୍ତି। ମାସକୁ ୧ ହଜାର ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ପାଇ ଆସୁଥିବା ବେଳେ ଏହି ୫ ବର୍ଷ ହେବ ପକ୍ଷାଘାତ ରୋଗ ଯୋଗୁଁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ବ୍ୟାଙ୍କକୁ ଯାଇ ଭତ୍ତା ଉଠାଇବାକୁ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି। ପୁଅବୋହୁ ପ୍ରତି ମାସରେ ଅଟୋ ଯୋଗେ ତାଙ୍କୁ ବୋହି ନେଇ ଯାଉଥିବା ବେଳେ ଭତ୍ତା ପାଇଁ ବ୍ୟାଙ୍କରେ ଲମ୍ବା ଧାଡ଼ିରେ ଛିଡା ହେବା କଷ୍ଟକୁ ଦ୍ଵିଗୁଣିତ କରିଦେଇଛି। ଏ ସମସ୍ୟା ନେଇ ସୁଶୀଳାଙ୍କ ପୁଅ ବିପ୍ରବନ୍ଧୁ ପଞ୍ଚାୟତ ସରପଞ୍ଚ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ହିନ୍ଦୋଳ ବିଡ଼ିଓଙ୍କୁ ଜଣାଇ ଆସିଥିଲେ ହେଁ ଏହାର ଫଳ ଶୂନ। ସୁଶୀଳା କଥା କହି ପାରୁନଥିବା ବେଳେ ଲୁହ ଭରା ଆଖିରେ ଇଙ୍ଗିତ କରନ୍ତି ମଲେ ମରିବି ପଛେ କିନ୍ତୁ ଭତ୍ତା ପାଇଁ ଆଉ କୌଣସି କାର୍ଯ୍ୟାଳୟକୁ ଯାଇ ପାରିବି ନାହିଁ। ସେହିପରି ହିନ୍ଦୋଳ ଏନ୍ଏସି ୧୧ ନଂ ୱାର୍ଡ୍ ରେ ପକ୍ଷାଘାତ ରୋଗୀ ହାଡିବନ୍ଧୁ ମହାପାତ୍ର,ଦୁରାରୋଗରେ ପୀଡିତ ହାଡିବନ୍ଧୁ ବେହେରା ଓ ତାଙ୍କ ପତ୍ନୀ ଯିଏକି ଜଣେ ପକ୍ଷାଘାତରୋଗୀ ସମାନ ଅବସ୍ଥା ଭୋଗୁଛନ୍ତି। ଏଭଳି ପରିସ୍ଥିତିରେ ମାନବିକତା ଦୃଷ୍ଟିକୋଣରୁ ହାଡିବନ୍ଧୁ,ସୁଶୀଳା, ହାଡିବନ୍ଧୁ ଓ ତାଙ୍କ ପତ୍ନୀଙ୍କ ଭଳି ଅସଂଖ୍ୟ ବ୍ୟକ୍ତିମାନଙ୍କୁ ଚି଼ହ୍ନଟ କରାଯାଇ ହାତାହାତି ଭତ୍ତା ପ୍ରଦାନ ନିମନ୍ତେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଏବଂ ବୁଦ୍ଧିଜୀବୀ ମହଲରେ ଦୃଢ଼ ଦାବି ହେଉଛି।