ଗୁଳେହି ଗ୍ରାମର କଲଣ୍ଡା ଅଞ୍ଚଳରେ ଘଟିଲା ଦୁର୍ଭାଗ୍ୟଜନକ ଘଟଣା
ଢେଙ୍କାନାଳ: ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ଗୁଳେହି ଗ୍ରାମପଞ୍ଚାୟତର କଲଣ୍ଡା ଗ୍ରାମରେ ଭୋର ସମୟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଘଟଣା ଅଞ୍ଚଳରେ ଶୋକର ଛାୟା ବିସ୍ତାର କରିଛି। ମୃତକଙ୍କ ପରିଚୟ ଜେନା ସାହିର ଛବି ଦେହୁରୀ (୬୨) ଭାବେ ହୋଇଛି।
ସୂଚନା ଅନୁଯାୟୀ, ଭୋର ୬ଟା ପାଖାପାଖି ଖେତକୁ ଯାଉଥିବା ବେଳେ ଛବି ଦେହୁରୀ ଏକ ଦନ୍ତାହାତୀ ହାବୁଡରେ ପଡ଼ିଯାନ୍ତି। ହାତୀ ତାଙ୍କୁ ଟେକି କଚାଡି ଦେଇଥିଲା, ଫଳରେ ସେ ସ୍ଥଳୀରେ ହିଁ ନିଜ ପ୍ରାଣ ହରାଇଥିଲେ। ଘଟଣା ସ୍ଥଳକୁ ବନବିଭାଗ ଅଧିକାରୀ ଓ ପୋଲିସ୍ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ହିନ୍ଦୋଳ ମେଡିକାଲକୁ ପଠାଇଥିଲେ।
ଘଟଣା ପରେ କିଛି ସମୟ ପାଇଁ ଅଞ୍ଚଳରେ ଉତ୍ତେଜନାର ସୃଷ୍ଟି ହୋଇଥିଲା। ତେବେ ବନବିଭାଗ ପକ୍ଷରୁ ସରକାରୀ ସହାୟତା ଯୋଗାଇଦିଆଯିବା ଭାସ୍କର କ୍ଷତିପୂରଣ ନିମିତ୍ତେ ଭରସା ଦେଲେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।
ହିନ୍ଦୋଳ ବନାଞ୍ଚଳରେ ପରେପରି ହାତୀ ଆକ୍ରମଣର ଘଟଣା ବଢ଼ିବା ସହିତ ଜନମାନସରେ ଭୟ ବ୍ୟାପିଛି। ଜଙ୍ଗଲରୁ ଗଛ କାଟି ନେବା, ଶୀକାରୀଙ୍କ ସଚଳତା, ଜମି ଅବୈଧ ଭାବରେ ଖୋଲିବା ଓ ମାଟିମୋରମ୍ ଲୁଟିନେବା ଦ୍ୱାରା ଜଙ୍ଗଲ ଅଞ୍ଚଳର ପ୍ରାକୃତିକ ସନ୍ତୁଳନ ବିଗଡ଼ିବା ସହ ବନ୍ୟପ୍ରାଣୀ ଗ୍ରାମ ଅଞ୍ଚଳକୁ ଆସୁଛନ୍ତି।
ସରକାର ଓ ବନବିଭାଗ ପକ୍ଷରୁ ପ୍ରତିବାର ସ୍ଥାୟୀ ଉପାୟ ନ ନିଆଯିବା ନେଇ ସାଧାରଣ ଲୋକ ଓ ବୁଦ୍ଧିଜୀବୀ ମହଳରେ ଅସନ୍ତୋଷ ବିକାଶ ପାଇଛି। ସାରା ରାଜ୍ୟରେ ହିନ୍ଦୋଳ ଅଞ୍ଚଳରେ ସବୁଠୁ ଅଧିକ ହାତୀ ଆକ୍ରମଣ ଘଟୁଥିବାବେଳେ ରାଜ୍ୟ ସରକାର ଏହି ଅଞ୍ଚଳ ପ୍ରତି ଗମ୍ଭୀର ଧ୍ୟାନ ଦେଇ, ନିରୀହ ଲୋକଙ୍କ ଜୀବନ ରକ୍ଷା ପାଇଁ ଉଚିତ ବ୍ୟବସ୍ଥା ନେବାକୁ ହିନ୍ଦୋଳବାସୀ ଦାବି କରିଛନ୍ତି।